କନକ ବ୍ୟୁରୋ: ସମ୍ବଲପୁର ମାନେଶ୍ୱର ମା’-ଝିଅଙ୍କୁ ପୋଡ଼ି ହତ୍ୟା ଘଟଣା । ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ। ସଦର ଥାନା ଅନ୍ତର୍ଗତ ମାନେଶ୍ଵର ହାତପଦା ଠାରେ ହୋଇଥିବା ମା’ ଓ ଝିଅ ଅର୍ଦ୍ଧଦଗ୍ଧ ହୋଇ ମୃତ୍ୟୁ ଘଟଣାରେ ପୁଅ ଜଗନ୍ନାଥ ଓ ନାତିକୁ ଗିରଫ କଲା ପିଲିସ  । 

Advertisment

ଗୁରୁବାର ପୋଲିସ ଜଗନ୍ନାଥ ଓ ତାଙ୍କ ପରିବାରକୁ ଥାନାକୁ ନେଇ ପଚରାଉଚରା କରିଥିଲା । ସମ୍ପତ୍ତି ବିବାଦ ଯୋଗୁଁ ଏଭଳି ଘଟଣା ଘଟି ଥାଇ ପାରେ ବୋଲି ପୋଲିସ ତଦନ୍ତ ଆରମ୍ଭରୁ କହିଆସୁଛି । ଜଗନ୍ନାଥଙ୍କ ସାନ ଭଉଣୀ ଇନ୍ଦ୍ରାଣୀ ପୁରୋହିତଙ୍କ ଏତଲା କ୍ରମେ ପୋଲିସ ଜଗନ୍ନାଥ ଓ ତାଙ୍କ ପୁଅକୁ ରାତି ସାରା ଥାନାରେ ଅଟକ ରଖି ପଚରାଉଚରା କରିଥିଲା । ଆଜି ସକାଳେ ଦୁହିଁଙ୍କୁ ଗିରଫ କରିଛି ପୁଲିସ ।  କାହାରି ଉତ୍ତର କାହା ସହ ମେଳ ଖାଉନଥିଲା । ଏବେ ଅଧିକ ତଥ୍ୟ, ପ୍ରମାଣ ଯୋଗାଡ଼ କରିବାରେ ଲାଗିଛି ପୋଲିସ । ସେପଟେ ମୃତ ସୈରେନ୍ଦ୍ରିଙ୍କ ହାତ ମୁଠାରେ ଜଗନ୍ନାଥଙ୍କ ପୁଅର ଚୁଟି ରହିଥିବା ସୂଚନା ମିଳିଛି । ଜଗନ୍ନାଥଙ୍କ ଦେହରେ ମଧ୍ୟ ଆମ୍ପୁଡା ଦାଗ ରହିଛି  । ପୋଲିସ ଏସବୁକୁ ନେଇ ଅଧିକାର ତଦନ୍ତ ଜାରି ରଖିଛି  । 

ବୁଧବାର ସମ୍ବଲପୁର ମାନେଶ୍ଵର ହାତପଦା ଠାରେ ଏକ କୋଠାରେ ନିଆଁ ଜଳୁଥିବା ଦେଖିବାକୁ ମିଳିଥିଲା । ପୋଡ଼ି ହୋଇ ଜଣେ ବୃଦ୍ଧା ଓ ତାଙ୍କ ଝିଅଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଥିଲା । ମୃତ ମା’ଙ୍କ ବୟସ ୯୦ ଓ ଝିଅର ବୟସ ୬୨ ବର୍ଷ । ମୃତ ମା’ ସ୍ନେହଲତା ଦୀକ୍ଷିତ ଓ ଝିଅ ସୈରେନ୍ଦ୍ରୀ ଦୀକ୍ଷିତ ରାତିରେ ଶୋଇଥିବା ବେଳେ ନିଆଁରେ ପୋଡି ହୋଇ ମୃତ୍ୟୁ ହୋଇଥିଲା । ଦୁଇ ମହଲା ଘରର ଉପର ରୁମରେ ଘଟଣା ଘଟିଥିଲା  । ତଳ ମହଲାରେ ମହିଳାଙ୍କ ପୁଅ ରହୁଥିଲେ। ଆଉ ସମ୍ପତ୍ତି ପାଇଁ ପୁଅ ହିଁ ନିଜ ମାଆ ଓ ଭଉଣୀକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।