କନକ ବ୍ୟୁରୋ: କ୍ରିକେଟ ଲିଜେଣ୍ଡ ସଚ୍ଚିନ ତେନ୍ଦୁଲକରଙ୍କ କ୍ୟାରିଅରକୁ ନେଇ ଯେତିକି ଚର୍ଚ୍ଚା ତାଙ୍କ ବ୍ୟକ୍ତିଗତ ଜୀବନ ବି ସେତିକି ଚର୍ଚ୍ଚିତ  । କାରଣ ପତ୍ନୀ ଅଞ୍ଜଳୀ ତେନ୍ଦୁଲକର ତାଙ୍କଠାରୁ ବୟସରେ ବଡ , ପ୍ରଫେସନରେ ଜଣେ ଡାକ୍ତର ଏକଥା ସମସ୍ତେ ଉଣା ଅଧିକେ ଜାଣିଥିବେ । ହେଲେ ବିବାହ ପୂର୍ବରୁ ଅଞ୍ଜଳିଙ୍କ ସହ ସାକ୍ଷାତ ଓ ପ୍ରେମ କାହାଣୀର କିଛି କଥା ହୁଏତ ଅନେକଙ୍କୁ ଅଜଣା ଥିବ ।

ଯେବେ ପ୍ରଥମ ଥର ସଚ୍ଚିନ ଅଞ୍ଜଳିଙ୍କୁ ଦେଖିଲେ ସେତେବେଳେ ସଚ୍ଚିନଙ୍କୁ ମାତ୍ର ୧୭ ବର୍ଷ ।  ଅଞ୍ଜଳି ତାଙ୍କଠାରୁ ୬ ବର୍ଷ ବଡ ଥିଲେ । ମୁମ୍ବାଇ ଏୟାରପୋର୍ଟରେ ଅଞ୍ଜଳି ସଚ୍ଚିନଙ୍କୁ ଦେଖିଲେ ଏବଂ ନିଜର ଜଣେ ସାଙ୍ଗ ଜରିଆରେ ତାଙ୍କ ଫୋନ ନମ୍ବର ଯୋଗାଡ କଲେ । ଏହା ପରେ ଆରମ୍ଭ ହୋଇଥିଲା ଦୁହିଁଙ୍କ ମଧ୍ୟରେ କଥାବାର୍ତ୍ତା । ହେଲେ ଏ ସମ୍ପର୍କ ବାବଦରେ ନା ସଚ୍ଚିନ ନା ଅଞ୍ଜଳିଙ୍କ ଘର ଲୋକଙ୍କୁ କିଛି ବି ଜଣାନଥିଲା । ଅଞ୍ଜଳିଙ୍କ ମା’ ତଥା , ଚର୍ଚ୍ଚିତ ସମାଜସେବୀ ଏନ୍ନାବେଲ  ମେହତା ତାଙ୍କ ଲିଖିତ ପୁସ୍ତକ ‘ମାଇଁ ପ୍ୟାସେଜ୍ ଟୁ ଇଣ୍ଡିଆ’ ରେ ସଚ୍ଚିନ ଓ ଅଞ୍ଜଳିଙ୍କ ଲଭ ଷ୍ଟୋରୀକୁ ବିସ୍ତୃତ ଭାବେ ଲେଖିଛନ୍ତି ।
 ଏନ୍ନାବେଲ ଲେଖିଛନ୍ତି ,  କିପରି ଆରମ୍ଭ ହେଲା ସଚ୍ଚିନ , ଅଞ୍ଜଳିଙ୍କ ପ୍ରେମ ସମ୍ପର୍କ...
୧୯୯୦, ମୁମ୍ବାଇ ଏୟାରପୋର୍ଟ, ଅଞ୍ଜଳି ତାଙ୍କ ଜଣେ ଘନିଷ୍ଠ ସାଙ୍ଗଙ୍କ ସହ ମା’ ଏନାବେଲଙ୍କୁ ରିସିଭ କରିବାକୁ ଯାଇଥିଲେ । ଦୁହେଁ ଗ୍ୟାଲେରୀରେ ଅପେକ୍ଷା କରିଥିଲେ । ଅଚାନେଙ୍କ ସେମାନଙ୍କ ଆଖି ଇଣ୍ଡିଆନ୍ କ୍ରିକେଟ ଟିମ ଉପରେ ପଡିଥିଲା, ଯିଏ ମ୍ୟାଚ ଖେଳି ହିଥ୍ରୋରୁ ଫେରୁଥିଲେ । ସେମାନଙ୍କ ମଧ୍ୟରୁ ଜଣେ କୁଞ୍ଚକୁଞ୍ଚିଆ ଚୁଟି ଥିବା ଗେଡା ଖେଳାଳିଙ୍କୁ ଇସାରା କରି ତାଙ୍କ ସାଙ୍ଗକୁ ତାଙ୍କ ପରିଚୟ ପଚାରିଥିଲେ । ଉତ୍ତର ମିଳିଲା ସଚ୍ଚିନ ତେନ୍ଦୁଲକର ... ଅଞ୍ଜଳିଙ୍କ ଆଖି ଦୁଇଟି ଯେପରି ସଚ୍ଚିିନଙ୍କ ଉପରେ ନିବଦ୍ଧ ହୋଇଯାଇଥିଲା । ସଚ୍ଚିନ ମଧ୍ୟ ଅଞ୍ଜଳିଙ୍କୁ ଦେଖିପାରିଥିଲେ । ଏହି ଘଟଣାର ଠିକ ପୂର୍ବ ଅଗଷ୍ଟ ୧୪ ତାରିଖରେ ସଚ୍ଚିନ ନିଜର ପ୍ରଥମ ଟେଷ୍ଟ ଶତକ କରି ଚର୍ଚ୍ଚାକୁ ଆସିଥାନ୍ତି । 
 

ଘଟଣାର ବର୍ଷକ ପରେ ଥରେ ଖରାବେଳେ ଅଞ୍ଜଳିଙ୍କ ଘରର ଲ୍ରାଣ୍ଡଲାଇନ୍ ଫୋନ ବାଜିଉଠିଲା । ସେପଟୁ ଜଣେ ମହିଳା କହିଥିଲେ, ମୁଁ ଅଞ୍ଜଳି ମେହତାଙ୍କ ସହ କଥା ହେବାକୁ ଚାହୁଁଛି, ଏପଟୁ ଜବାବ ମିଳିଥିଲା, ଅଞ୍ଜଳି ଘରେ ନାହାଁନ୍ତି, ଏହାପରେ ସେପଟୁ ମହିଳା କହିଥିଲେ, ମିଷ୍ଟର ତେନ୍ଦୁୁଲକର ଅଞ୍ଜଳିଙ୍କ ସହ କଥା ହେବାକୁ ଚାହୁଁଛନ୍ତି । ବାସ୍ ଏତିକିରେ ଫେନ୍ କଟିଯାଇଥିଲା । ଅଞ୍ଜଳି ଘରକୁ ଫେରିବା ପରେ ଏକଥା ମା’ ଏନ୍ନାବେଲ ତାଙ୍କୁ କହିଥିଲେ , ହେଲେ କଥାକୁ ଏଡାଇଦେଇଥିଲେ ଅଞ୍ଜଳି । କିନ୍ତୁ ୟା ଭିତରେ ବର୍ଷେ ଧରି ଦୁହେଁ ଡେଟ କରୁଥିଲେ, କିନ୍ତୁ କାହାରିକୁ କିଛି ଜଣାନଥିଲା । କିନ୍ତୁ ଏକ ଘଟଣାକ୍ରଅମରେ ଅଞ୍ଜଳିଙ୍କ ମା’ ଏନ୍ନାବେଲ ମେହେତା ଏକ ଖବର କାଗଜରୁ ଦୁହିଁଙ୍କ ସମ୍ପର୍କ ବାବଦରେ ସୁରାକ ପାଇଲେ, ଯାହା ପରେ ଏକଥା ସତ ବୋଲି ଜାଣିଥିଲେ ।

ପ୍ରଥମ ଦେଖାରେ ହିଁ ସଚ୍ଚିନ କହିଥିଲେ , ଅଞ୍ଜଳିହିଁ  ତାଙ୍କ ଜୀବନର ପ୍ରଥମ ଗର୍ଲ ଫ୍ରେଣ୍ଡ । ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଲେ । ହେଲେ ସଚ୍ଚିନଙ୍କୁ ମାତ୍ର ୧୯ ବର୍ଷ ହୋଇଥଥିବାରୁ ବିବାହ ପାଇଁ ଆହୁରି ଦୁଇ ବର୍ଷ ଅପେକ୍ଷା କରିବାକୁ ପଡିଲା । ଏହା ଭିତରେ ସଚ୍ଚିନ ନିଜ କ୍ରିକେଟରେ ମଜ୍ଜି କଲେ ଆଉ ଅଞ୍ଜଳି ଜେଜେ ହସ୍ପିଟାଲରେ ରୋଗୀ ସେବାରେ ବ୍ୟସ୍ତ ରହିଲେ ।

୧୯୯୪ ଏପ୍ରିଲ ୧୪ ତାରିଖରେ ସଚ୍ଚିନଙ୍କୁ ୨୧ ବର୍ଷ ହେଲା, ସହି ଦିନ ହିଁ ତାଙ୍କର ଅଞ୍ଜଳିଙ୍କ ସହ ନିର୍ବନ୍ଧ ହେଲା । ଏଥିରେ ଦୁଇ ପରିବାରର ମାତ୍ର ୨୫ ଜଣ ସମ୍ପର୍କୀୟ ଉପସ୍ଥିତ ଥିଲେ । ଦୁହିଁଙ୍କ ବିବାହ ଦିନ ୧୯୯୫ ମେ ୨୪ ତାରିଖକୁ ଧାର୍ଯ୍ୟ ହେଲା । ଏଥିପାଇଁ ଜାଗା ଖୋଜା ପଡିଲା । ସମସ୍ତଙ୍କର ଭାରି ଇଚ୍ଛା ଥିଲା ଦୁହିଁଙ୍କ ବିବାହ ସବୁଠୁ ବଡ ହୋଟେଲ ତାଜ ହୋଟେଲରେ ହେବ ବୋଲି । କିନ୍ତୁ ତାଜ କନଭେନସନ୍ ହଲ ଭିତରେ ନିଆଁ ଜଳାଯିବାର ଅନୁମତି ନଥିଲା । କିନ୍ତୁ ସଚ୍ଚିନ ମରାଠି ପରିବାରରୁ ଥିବାରୁ ହିନ୍ଦୁ ରୀତିନୀତି ଅନୁସାରରେ ବିବାହ ହେବା ଜରୁରୀ ଥିଲା । ସେଥିପାଇଁ ବାଧ୍ୟ ହୋଇ ସଚ୍ଚିନଙ୍କ ବିବାହ ୱାର୍ଲି ସ୍ଥିତ ନେହରୁ ସେଣ୍ଟରରେ ଅନୁଷ୍ଠିତ ହେଲା । 

ସେ ସମୟରେ ସଚ୍ଚିନ ଓ ଅଞ୍ଜଳିଙ୍କ ବିବାହ ସବୁଠୁ ଚଚ୍ଚିତ ଖବର ଥିଲା । ସେବେଠୁ ଅଜିଯାଏଁ ଦୁହିଁଙ୍କ ଜୀବନ ଗାଡି ଆରାମରେ ଚାଲିଛି ।