କନକ ବ୍ୟୁରୋ: ହୋଲି ପୂର୍ବରୁ ପଡ଼ୁଥିବା  ଏକାଦଶୀ ଫଗୁଣ ଶୁକ୍ଳପକ୍ଷର ଗୁରୁତ୍ବପୂର୍ଣ୍ଣ ଦିନ । ୨୦୨୬ର ଏହି ଶୁଭ ତିଥି ଫେବ୍ରୁଆରି ୨୭ ତାରିଖରେ ପଡ଼ୁଛି । ବିଶ୍ବାସ ରହିଛି, ଏହି ଦିନ ଭଗବାନ ବିଷ୍ଣୁଙ୍କୁ ଦୃଢ଼ ବିଶ୍ବାସ ଓ ନିଷ୍ଠାର ସହ ପୂଜା କଲେ ଜୀବରେ ଖୁସିର ରଙ୍ଗ ଭରିଯାଏ । ଏମିତି ତ ଏକାଦଶୀରେ ନାରାୟଣଙ୍କୁ ପୂଜା ଏବଂ ତାଙ୍କ ପାଇଁ ଉପାସ ରଖିବାର ବିଧି ରହିଛି । କିନ୍ତୁ ଏହି ଦିନ ତୁଳସୀ ମା’ଙ୍କୁ ବିଶେଷ ଉପାୟରେ ପୂଜା କଲେ ସୁଫଳ ମିଳିଥାଏ । ଆପଣଙ୍କ ସୁପ୍ତ ଭାଗ୍ୟ ବି ଜାଗ୍ରତ ହେବାର ବିଶ୍ବାସ ରହିଛି । କେବଳ ଗୋଟିଏ କଥାକୁ ଦୃଷ୍ଟିରେ ରଖିବେ, ଏକାଦଶୀ ଦିନ ତୁଳସୀ ଗଛରୁ ପତ୍ର ଛିଡ଼ାଇବା ବର୍ଜିତ ଅଟେ ।   ତେଣୁ ବିଷ୍ଣୁଙ୍କ ପୂଜା ପାଇଁ ଆବଶ୍ୟକ ହେଉଥିବା ତୁଳସୀ ମଞ୍ଜରୀକୁ ଗୋଟିଏ ଦିନ ଆଗରୁ ତୋଳି ରଖିବା ଦରକାର । ହଁ,  ତା ପରଦିନ ମାନେ ଦ୍ବାଦଶୀରେ ବି ତୁଳସୀ ଛିଡ଼ାଇବା ବାରଣ ଥିବାରୁ ଦୁଇ ଦିନ ପାଇଁ ତୁଳସୀ ସାଇତି ରଖିଲେ ଭଲ । ଏବେ ଜାଣିବା ଏକାଦଶୀରେ ତୁଳସୀ ବୃକ୍ଷରେ କ’ଣ ସ୍ବତନ୍ତ୍ର ଉପଚାର କରିବା :

Advertisment

୧୧ଟି ଦୀପ ଦାନ : ଏକାଦଶୀରେ ସନ୍ଧ୍ୟା ସମୟରେ ତୁଳସୀ ମା’ଙ୍କ ପାଖରେ ୧୧ଟି ଦୀପ ଦାନ କରନ୍ତୁ । ଏହାସହ ’ମହାପ୍ରସାଦ ଜନନୀ’… ମନ୍ତ୍ରକୁ ୧୧ ଥର ଜପ କରନ୍ତୁ । ଏହାଦ୍ବାରା ଆପଣଙ୍କ ଛୋଟବଡ଼ ସଙ୍କଟ ଦୂରେଇଯିବ । 

ମାଟିର ତିଳକ : ମାନସିକ ଶାନ୍ତି ଏବଂ ଜୀବନରେ ସକାରାତ୍ମକ ଚିନ୍ତାର ଉଦ୍ରେକ ଲାଗି ତୁଳସୀ ମୁଳର ମାଟିକୁ ତିଳକ କରି ମଥାରେ ଳଗାନ୍ତୁ  । ଏହାଦ୍ବାରା ଆପଣଙ୍କଠାରେ ଆତ୍ମବିଶ୍ବାସ ବି ବଢ଼ିବ ।

ଲାଲ ଓଢ଼ଣୀ : ଏକାଦଶୀରେ ତୁଳସୀ ମା’ଙ୍କଠାରେ ଲାଲ ରଙ୍ଗର ଓଢ଼ଣୀ ଚଢ଼ାନ୍ତୁ । ଏହାଦ୍ବାରା ଭଗବାନ୍ ବିଷ୍ଣୁଙ୍କର ବିଶେଷ କୃପା ଲାଭ ହୁଏ । 

ମନ୍ତ୍ର ଜପ: ଏକାଦଶୀ ତିଥିରେ ତୁଳସୀ ବୃକ୍ଷ ନିକଟରେ ବସି ’ଓମ୍ ନମୋ ଭଗବତେ ବାସୁଦେବାୟ’ ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ । ଏହା ଭଗବାନ୍ ବିଷ୍ଣୁଙ୍କ କୃପା ଲାଭ କରିବାର ଆଦ୍ୟ ଉପାୟ । 

କ୍ଷୀର ଓ ତୁଳସୀ ମଞ୍ଜରୀ : ଆର୍ଥିକ ସମସ୍ୟା ଦୂରେଇବାକୁ ହେଲେ ଏକାଦଶୀ ତିଥିରେ କ୍ଷୀର ସହ ତୁଳସୀ ମଞ୍ଜରୀ ମିଶାଇ ଭଗବାନ୍ ବିଷ୍ଣୁଙ୍କୁ ଅର୍ପଣ କରନ୍ତୁ । ଏହାଦ୍ବାରା ସୁଖ, ସମୃଦ୍ଧିର ଦ୍ବାର ଖୋଲିବ ।

ହଳଦି ରଙ୍ଗର ସୂତା : ଏକାଦଶୀ ତିଥିରେ ଚଉରାରେ ହଳଦି ରଙ୍ଗର ସୂତା ଗୁଡ଼ାନ୍ତୁ । ଏହାକୁ ଗୁଡ଼ାଇବା ସମୟରେ ନିଜ ମନୋକାମନାକୁ ମନରେ ସ୍ମରଣ କରନ୍ତୁ । ଭଗବାନ ବିଷ୍ଣୁଙ୍କୁ ହଳଦି ରଙ୍ଗ ପ୍ରିୟ ହୋଇଥିବାରୁ ଏପରି ଉପାୟ ଆପଣଙ୍କ ପାଇଁ ମଙ୍ଗଳମୟ । 

ଗଙ୍ଗାଜଳ ସିଞ୍ଚନ : କୁହାଯାଏ ଏକାଦଶୀରେ ତୁଳସୀ ବୃକ୍ଷ ମୂଳରେ ଜଳଦାନ ବର୍ଜ୍ୟ । ତେଣୁ ଏକ ପାତ୍ରରେ ଗଙ୍ଗାଜଳ ନେଇ ସେଥିରେ କିଛି ଝଡ଼ିପଡ଼ିଥିବା ତୁଳସୀ ପତ୍ର ପକାଇ ସେହି ଜଳକୁ ଘର ଛିଞ୍ଚିଦିଅନ୍ତୁ । କୁହାଯାଏ ଏପରି କଲେ ଘରେ ଥିବା ନକାରାତ୍ମକ ଶକ୍ତି ଦୂରେଇଯାଏ । 

ତୁଳସୀ ନାମାଷ୍ଟକ ପାଠ : ଯଦି ସମ୍ଭବ ହୁଏ ତାହେଲେ ତୁଳସୀ ବୃକ୍ଷ ନିକଟରେ ବସି ’ତୁଳସୀ ନାମାଷ୍ଟକ’ ପାଠ କରନ୍ତୁ । ଯେଉଁମାନଙ୍କର ବିବାହ ଜନିତ ସମସ୍ୟା ଥାଏ ସେମାନଙ୍କ ପାଇଁ ଏହା ରାମବାଣ ଭଳି କାର୍ଯ୍ୟ କରେ ବୋଲି ବିଶ୍ବାସ ରହିଛି । 

ତୁଳସୀ ମଞ୍ଜରୀ ଦାନ : ଫଗୁଣ ମାସ ଏକାଦଶୀ ତିଥିରେ ତୁଳସୀ ମଞ୍ଜରୀ କୌଣସି ବିଷ୍ଣୁ ମନ୍ଦିରକୁ ଦାନ କରିବା ସ୍ବର୍ଣ୍ଣ ଦାନଠାରୁ କମ୍ ନୁହେଁ । ଏହାଦ୍ବାରା ଆପଣଙ୍କ ବ୍ୟବସାୟ ବା କ୍ୟାରିୟରରେ ଥିବା ସମସ୍ୟା ଦୂର ହୁଏ ।