କନକ ବ୍ୟୁରୋ : ଶ୍ରୀମନ୍ଦିର ମେଘନାଦ ପାଚେରିରେ ଫାଟକୁ ନେଇ ରାଜନୀତି । ପୂର୍ବ ସରକାରଙ୍କୁ ଘେରିଲା ବିଜେପି । ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳ ଟୁଇଟ କରି କହିଛନ୍ତି, କିଛି ଭୁଲ ଅଛି ଯାହାର କ୍ଷମା ନାହିଁ । ବିଗତ ସରକାର ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ବାବୁ ଏବଂ ତାଙ୍କ ସହଯୋଗୀ ଭିକେ ପାଣ୍ଡିଆନ ବାବୁ ଏମିତି କିଛି ଭୁଲ କରିକି ଯାଇଛନ୍ତି, ଯାହାର ମୂଲ୍ୟ ଏବେ ଓଡିଶାବାସୀଙ୍କୁ ଦେବାକୁ ପଡୁଛି ।

Advertisment

ସେ ଆହୁରି କହିଛନ୍ତି, ଏବେ ମେଘନାଦ ପାଚିରୀରେ ଯେଉଁ ଫାଟ ବାହାରିଛି ଏବଂ ଫାଟ ଗୁଡିକ ମଧ୍ୟ ମେଲିବା ଆରମ୍ଭ କରୁଛି । ତାହା କୋଟି କୋଟି ଜଗନ୍ନାଥ ପ୍ରେମୀ ଭକ୍ତଙ୍କ ପାଇଁ ଚିନ୍ତାଜନକ କଥା । ପରିକ୍ରମା ପ୍ରକଳ୍ପ ନିର୍ମାଣ ସମୟରେ ଯେଭଳି ବଡ଼ ବଡ଼ ମେସିନ ଲଗାଇ ଶ୍ରୀମନ୍ଦିର ଚାରିପଟେ ଓ ଅତି ନିକଟରେ ବଡ ବଡ ଗାତ କରାଗଲା । ଯାହା ମେଘନାଦ ପାଚିରି ଉପରେ ପ୍ରଭାବ ପକାଇଲା ଓ ଫାଟ ସୃଷ୍ଟି ହେଲା । ପ୍ରତ୍ନତତ୍ତ୍ୱ ବିଭାଗ ଏବଂ ନ୍ୟାସନାଲ ମନୁମେଣ୍ଟ ଅଥରିଟିର ବିନା ଅନୁମତିରେ ପ୍ରଥମେ ମେସିନ ଲଗାଇ ଖୋଳାଗଲା । ବିନା କୌଣସି ହେରିଟେଜେ ଇମ୍ପାକ୍ଟ ଷ୍ଟଡି ନ କରାଯାଇ ଏହି ଖୋଳାଖୋଳି କାମ କେଉଁ ପରିସ୍ଥିତିରେ କରାଯାଇଥିଲା ?

ନ୍ୟାସନାଲ ମନୁମେଣ୍ଟ ଅଥରିଟିର ନିୟମ ୧୦୦ ମିଟର ପରିସରରେ କୌଣସି ନିର୍ମାଣ କାମ, ଖୋଳାଖୋଳି ନକରିବା ନିୟମକୁ ନମାନିବା ଏବେ ମହଙ୍ଗା ପଡ଼ିଲାଣି । ୯୦୦ ବର୍ଷର ଏକ ପ୍ରାଚିନ ମନ୍ଦିର ଚାରିପଟେ ଯେଉଁଭଳି ଭାବରେ ବିଶାଳ ମେସିନ ଲଗେଇ ବୃହତ ଗର୍ତ୍ତ କରାଯାଇ ଏହାର ସ୍ଥାୟୀତ୍ୱକୁ ବିଗାଡି ଦିଆଗଲା । ଏହାର ପ୍ରଭାବ ବର୍ତ୍ତମାନ ମେଘନାଦ ପାଚେରି ଉପରେ ପଡିଲାଣି କ୍ଷ ଆଗାମୀ ଦିନରେ ମନ୍ଦିର ଉପରେ ଏହା ଯେ ନପଡିବ ତାହା କିଏ କହିବ ବୋଲି କହିଛନ୍ତି ଅନିଲ ବିଶ୍ୱାଳ । ନବୀନ ବାବୁ ଏବଂ ପାଣ୍ଡିଆନ ବାବୁ ଏନେଇ ମୁହଁ ଖୋଲିବା ଉଚିତ ବୋଲି ସେ କହିଛନ୍ତି ।