କନକ ବ୍ୟୁରୋ: ଆଉ ନାହାନ୍ତି ଭାରତୀୟ ଅର୍ଥନୀତିର ମହାନାୟକ, ଆର୍ଥିକ ଉଦାରୀକରଣର ସୂତ୍ରଧର, ମହାନ ରାଜନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂ। ଆଜି ତାଙ୍କ ଅବର୍ତ୍ତମାନରେ ତାଙ୍କୁ ମନେପକାଉଛି ସାରାଦେଶ। ସ୍ୱଭାବରେ ଅତି ନରମ ଥିବା ମନମୋହନ କିନ୍ତୁ ତାଙ୍କ କାର୍ଯ୍ୟକାଳ ସମୟରେ ନେଇଥିଲେ ଅନେକ କଠୋର ଓ ବଡବଡ ନିଷ୍ପତ୍ତି । କିଛି ଐତିହାସିକ ନିଷ୍ପତ୍ତି ନେଇ ମନମୋହନ ପ୍ରମାଣିତ କରିଥିଲେ କଣ ପାଇଁ ସେ ଥିଲେ ଅନନ୍ୟ ଓ ଦୃଷ୍ଟାନ୍ତ । 

Advertisment

ଉଦାରୀକରଣ

ଭାରତୀୟ ଅର୍ଥନୀତି ଯେତେବେଳେ ଏକ କଠିନ ପରିସ୍ଥିତି ଦେଇ ଗତି କରୁଥିଲା, ସେତେବେଳେ କ୍ରାଇସିସ୍ ମ୍ୟାନେଜର ବା ସଙ୍କଟମୋଚକ ଭାବେ ସାମ୍ନାକୁ ଆସିଥିଲେ ମନମୋହନ।  ଏଲପିଜି ମଡେଲ ଅର୍ଥାତ ଲିବରାଇଲେଜସନ,  ପ୍ରାଇଭେଟାଇଜେସନ,  ଗ୍ଲୋବାଲାଇଜେସନ, ଉଦାରୀକଣ, ଘରୋଇକରଣ ଏବଂ ଜଗତୀକରଣ ଜରିଆରେ ଦେଶର ଅର୍ଥନୀତିକୁ ଟ୍ରାକକୁ ଫେରାଇ ଆଣିଥିଲେ। ସେଥିପାଇଁ  ତାଙ୍କୁ କୁହାଯାଏ ଉଦାରୀକରଣର ସୂତ୍ରଧର ।

ଏନଆରଇଜିଏ 

ଗାଁର ବିକାଶରେ ହିଁ ଦେଶର ବିକାଶ ସମ୍ଭବ।  ଗ୍ରାମୀଣ ଅର୍ଥନୀତିକୁ କିଭଳି ମଜୁଭୁତ କରାଯାଇପାରିବ, ସେ ଦୂରଦୃଷ୍ଟି ରଖିଥିଲେ ମନମୋହନ ସିଂହ।  ଯାହାଫଳରେ ଗ୍ରାମୀଣ ଅର୍ଥନୀତିରେ  ଗାଁ ଲୋକଙ୍କୁ  ମିଳିଲା  ରୋଜଗାରର ପର୍ଯ୍ୟାପ୍ତ ସୁଯୋଗ ।  ଅତି କମରେ  ବର୍ଷକୁ ୧୦୦ ଦିନର କାମକୁ ସୁନିଶ୍ଚିତ କରାଯାଇପାରିଥିଲା । ସଡ଼କ ନିର୍ମାଣ, ଜଳ ସଂରକ୍ଷଣ, ବୃକ୍ଷ ରୋପଣ ଆଦି କାମରେ ସାମିଲ ହୋଇ ରୋଜଗାର ପାଇବାର ଏକ ବଡ଼ ସୁଯୋଗ ସୃଷ୍ଟି ହୋଇପାରିଥିଲା। କୋଭିଡ୍ ଭଳି ଅସ୍ୱାଭାବିକ ପରିସ୍ଥିତିରେ ଏହା ଲୋକଙ୍କୁ ଦେଇଥିଲା ରୋଜଗାରର ଏକ ବଡ଼ ବିକଳ୍ପ।

ଆଧାରକାର୍ଡ

ମନମୋହନ ସିଂହଙ୍କ କାର୍ଯ୍ୟକାଳ ସମୟରେ ହିଁ ଅନ୍ୟ ଏକ ବଡ଼ ଉପଲବ୍ଧି ଥିଲା ଆଧାରକାର୍ଡର ପ୍ରଚଳନ।  ପ୍ରତ୍ୟେକ ନାଗରିକଙ୍କୁ  ମିଳିଲା ଏଭଳି ଗୋଟିଏ ପରିଚୟ ପତ୍ର ବା  ଆଇଡେଣ୍ଟିଟି କାର୍ଡ, ଯାହାକୁ ସେ ସବୁ ସ୍ଥାନରେ ବ୍ୟବହାର କରିପାରିବ। ଆଜିର ସମୟରେ ଆଧାର କାର୍ଡ ଏଭଳି ଏକ ଡକ୍ୟୁମେଣ୍ଟ ବା ଦସ୍ତାବିଜ ହୋଇଛି, ଯାହା ସମସ୍ତଙ୍କ ପାଇଁ ଜରୁରୀ ଓ ଅପରିହାର୍ଯ୍ୟ। 

ସୂଚନା ଅଧିକାର ଆଇନ ( ଆରଟିଆଇ)

ଆରଟିଆଇ ବା ସୂଚନା ଅଧିକାର ଆଇନ।  ୨୦୦୫ ମସିହାରେ  ଆସିଥିଲା ଏଭଳି ଏକ ଆଇନ। ଯାହାଫଳରେ ଶାସନ ପ୍ରକିୟାରେ ସ୍ୱଚ୍ଛତା ଆଣିବା ସହିତ ବ୍ୟବସ୍ଥା  ଉପରେ ଉତ୍ତରଦାୟିତ୍ୱ ମଧ୍ୟ ଧାର୍ଯ୍ୟ କରାଯାଇପାରିଲା । ଜଣେ ସାଧାରଣ ଭାରତୀୟ ନାଗରିକକୁ  ସେ ନିର୍ବାଚିତ କରିଥିବା ସରକାରଙ୍କଠାରୁ ସୂଚନା ପାଇବାର ଅଧିକାର ମିଳିଥିଲା। 

ଶିକ୍ଷା ଅଧିକାର ଆଇନ

ଏହା ଜରିଆରେ ଶିକ୍ଷା ଏକ ଦାୟିତ୍ୱ ଏବଂ କର୍ତ୍ତବ୍ୟ ନୁହେଁ, ବରଂ ଅଧିକାର ହେଲା। ପରବର୍ତ୍ତୀ  ସମୟରେ ସମ୍ୱିଧାନରେ ମଧ୍ୟ ଏହାକୁ ସ୍ଥାନ  ମିଳିଥିଲା। ଉଭୟ ଶିକ୍ଷା, ଶିକ୍ଷାନୁଷ୍ଠାନ, ଶିକ୍ଷକ  ଏବଂ ଶୀକ୍ଷାର୍ଥୀ ସମସ୍ତଙ୍କ ହିତରେ ଆସିଥିଲା ଏହିଭଳି ଏକ ଆଇନ ।