କନକ ବ୍ୟୁରୋ: ବାଲି ଚୋରା ଚାଲାଣ କଥା ଆପଣମାନେ ଶୁଣିଥିବେ । କିନ୍ତୁ ମାଟି ଚୋରା ଚାଲାଣ କଥା ଆପଣ ହୁଏତ ଶୁଣି ନଥିବେ । କିନ୍ତୁ ଝାରସୁଗୁଡ଼ାରୁ ଆସିଛି ସେମିତି ଖବର । ବେଧଡକ ଭାବେ ଚାଲିଛି ବେଆଇନ ମାଟି ଚାଲାଣ ।
ବେଆଇନ ଭାବେ ମାଟି ଖୋଳା ଚାଲିଛି । ସେହି ମାଟିକୁ ବଡ଼ ବଡ଼ ଗାଡ଼ିରେ ବାହାରକୁ ଚାଲାଣ କରାଯାଉଛି । ଝାରସୁଗୁଡ଼ା ସହରଠାରୁ ମାତ୍ର ପାଞ୍ଚ କିଲୋମିଟର ଦୂର, ବେହେରାପାଲି ଗାଁ ନିକଟରେ ପାଖାପାଖି ୨୦ ଏକର ପରିଧି ଅଞ୍ଚଳରେ ଚାଲିଛି ଏପରି ବେଆଇନ କାରବାର । କେବଳ ବେହେରାପାଲି ନୁହେଁ, ଅନେକ ସ୍ଥାନରେ ଗଭୀର ମାଟି ଖୋଳି କରାଯାଉଛି ଚୋରା ଚାଲାଣ । ପ୍ରଶାସନ ଓ ମାଟି ମାଫିଆଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଚାଲିଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ।
ବାରମ୍ବାର ଅଭିଯୋଗ ପରେ ପ୍ରଶାସନ ତଦନ୍ତ କରିବାକୁ ଯାଇ କେବଳ ଥାନାରେ ମାମଲା ରୁଜୁ କରି ଚୁପ୍ ବସିଛି । ଝାରସୁଗୁଡ଼ା ଉପଜିଲ୍ଲାପାଳ କହିଛନ୍ତି, ବେଆଇନ ମାଟି ଚାଲାଣ ନେଇ ତଦନ୍ତ କରାଯିବ । ସରକାରୀ ଜମିରୁ ମାଟି ଉଠିଛି କି ଘରୋଇ ଜମିରୁ ଉଠିଛି, ତଦନ୍ତ ପରେ ପଦକ୍ଷେପ ଗ୍ରହଣ କରାଯିବ । ତେବେ ବେହେରାପାଲିରୁ ମାଟି ଉତ୍ତୋଳନ ପାଇଁ କୌଣସି ପ୍ରକାର ଅନୁମତି ଦିଆଯାଇ ନଥିବା ଉପଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି ।
ତୁରନ୍ତ ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବେଆଇନ ମାଟି ଚାଲାଣ ବନ୍ଦ କରାନଗଲେ ସରକାର କୋଟିକୋଟି ଟଙ୍କା ରାଜସ୍ବ ହରାଉଥିବେ । ସୂର୍ଯ୍ୟଙ୍କୁ ଲଣ୍ଠନ ଦେଖାଇବା ଭଳି ନାମକୁମାତ୍ର ମାମଲା ରୁଜୁ ନେଇ ପ୍ରଶାସନ ଉପରେ ଲୋକଙ୍କ ଅସନ୍ତୋଷ ବଢୁଛି ।