କନକ ବ୍ୟୁରୋ : ନୂଆପଡ଼ାରେ କଲରାପତରିଆ ବାଘ ମାରି ମାଂସ ରୋଷେଇ କରି ଖାଇବା ପ୍ରସଙ୍ଗରେ ବନ୍ୟପ୍ରାଣୀ ପିସିସିଏଫଙ୍କ ପ୍ରତିକ୍ରିୟା । ଜନସାଧାରଣଙ୍କୁ ପିସିସିଏଫଙ୍କ ଆହ୍ଵାନ, ବାଘ ମାରି ମାଂସ ଖାଉଥିଲେ ସେମାନଙ୍କୁ ସାମାଜିକ ବାସନ୍ଦ କରିବାକୁ ସାଧାରଣ ଲୋକଙ୍କୁ ଆହ୍ବାନ ଦେଇଛନ୍ତି । ମହାବଳ ବାଘ ହେଉ କି କଲରାପତରିଆ ବାଘ, ସେମାନେ ଡିଫିକଲ୍ଟ ପରିସ୍ଥିତିରେ ମଣିଷ ଶିକାର କରିଥାନ୍ତି । କିନ୍ତୁ ପ୍ରଥମ ଥର ପାଇଁ ଦେଖିବାକୁ ମିଳୁଛି ଲୋକେ କଲରାପତରିଆ ବାଘ ମାଂସ ଖାଉଛନ୍ତି । ସଭ୍ୟ ସମାଜରେ ଏହାର କୌଣସି ସ୍ଥାନ ନାହିଁ । ସେମାନେ ସଭ୍ୟ ସମାଜରେ ରହିବାକୁ ଯୋଗ୍ୟ ନୁହନ୍ତି । ଲୋକଙ୍କୁ ଅନୁରୋଧ ଏଭଳି ବ୍ୟକ୍ତିଙ୍କୁ ସାମାଜିକ ବାସନ୍ଦ କରନ୍ତୁ । କୋମନା ବନାଞ୍ଚଳରେ ବାରହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ଫାଶରେ ପଡ଼ି କଲରାପତରିଆ ବାଘ ମୃତ୍ୟୁ ହୋଇଥିଲା । ବାଘକୁ ମାରି ମାଂସ ଖାଇଯାଇଥିଲେ ଦୁଇ ଶିକାରୀ । ବଳିଥିବା କିଛି ମାଂସକୁ ଲୁଚାଇବାକୁ ଚେଷ୍ଟା କରୁଥିବା ବେଳେ ଖବର ପାଇ ଚଢାଉ କରିଥିଲା କୋମନା ବନବିଭାଗ । ଚଢାଉ କରି ଦୁଇ ଶିକାରୀଙ୍କୁ ଗିରଫ କରିଥିଲା । ଅବଶିଷ୍ଟ ବାଘମାଂସ ସହ ଛାଲ, ନଖ ଓ ଲାଞ୍ଜ ମଧ୍ୟ ଜବତ କରିଥିଲା କୋମନା ବନବିଭାଗ ।
ଶିକାରୀ କହିଲେ ବାଘ ଶିକାରର ପୂରା କାହାଣୀ । କେମିତି ବାଘ ଶିକାର କଲେ, କେମିତି ବାଘ ମାଂସକୁ ଭାଗ ବାଣ୍ଟିଲେ । ଗତକାଲି ନୂଆପଡା ଜିଲ୍ଲା କୋମନା ରେଞ୍ଜ ଅନ୍ତର୍ଗତ ଦେଓଧରା ଗାଁରୁ ବାଘଛାଲ ଓ ମାଂସ ଜବତ କରିଥିଲା ବନବିଭାଗ । ଘଟଣାସ୍ଥଳରେ ଚଢାଉ କରି ଦୁଇ ଜଣଙ୍କୁ ଗିରଫ କରିଥିଲା । ଏବେ ସେମାନେ ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ଦେଓଧରା ଗାଁ ନିକଟରେ ଥିବା ଏକ ଡଙ୍ଗର ପାଖରେ ବରହା ଶିକାର ପାଇଁ ଜାଲ ପକାଇ ଥିଲେ ୪ ଶିକାରୀ । କିନ୍ତୁ ବାରହା ବଦଳରେ ଏହି ଜାଲରେ ପଡ଼ିଥିଲା ଏକ କଲରାପତରିଆ ବାଘ । ସେହି ବାଘକୁ ଉଦ୍ଧାର କରିବା ବଦଳରେ ସେମାନେ ତାକୁ ମାରି ମାଂସ ଭାଗ ବାଣ୍ଟି ନେଇଥିଲେ । କୌଣସି ସୂତ୍ରରୁ ଖବର ପାଇ ଚଢାଉ କରିଥିଲା କୋମନା ରେଞ୍ଜ ବନବିଭାଗ । ଦୁଇ ଜଣ ଧରାପଡ଼ିଥିବା ବେଳେ ଅନ୍ୟ ଦୁଇ ଶିକାରୀ ଏବେ ବି ଫେରାର ଅଛନ୍ତି ।