କନକ ବ୍ୟୁରୋ :ସୋସିଆଲ ମିଡିଆ ବର୍ତ୍ତମାନ ଛୋଟ ପିଲାଙ୍କ ଉପରେ ବଡ଼ ପ୍ରଭାବ ପକାଉଛି । ସୋସିଆଲ୍ ମିଡିଆ ପାଇଁ ଛୋଟ ପିଲା ବିଭିନ୍ନ ପ୍ରକାର ଆକ୍ଟିଭିଟିଠୁ ଦୂରେଇ ରହୁଛନ୍ତି । ଖେଳକୁଦଠୁ ଦୂରେଇ ରହି, ମୋବାଇଲ୍ ଦେଖିବାକୁ ଅଧିକ ପସନ୍ଦ କରୁଛନ୍ତି । ପାଠ ପଢ଼ା ବି ସୋସିଆଲ୍ ମିଡିଆ ପାଇଁ ପ୍ରଭାବିତ ହେଉଛି । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ମୋବାଇଲ୍ ବ୍ୟବହାର ଦ୍ଵାରା ପିଲାମାନେ ମାନସିକସ୍ତରରେ ଦୁର୍ବଳ ହେଉଛନ୍ତି । ମୋବାଇଲ୍ ନିଶା ଏମିତି ଘାରୁଛି ଯେ ମୋବାଇଲ୍ ବ୍ୟବହାରକୁ ବାରଣ କରିବାରୁ ପିଲା ଆତ୍ମହତ୍ୟା କରିବାକୁ ବି ପଛାଉନାହାନ୍ତି । ଏଭଳି ଅନେକ ନଜିର୍ ସାମ୍ନାକୁ ଆସିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଆନ୍ଦ୍ରପ୍ରଦେଶ ସରକାର ଏ ଦିଗରେ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି । ଅଷ୍ଟ୍ରେଲିଆ ଭଳି ଆନ୍ଦ୍ରପ୍ରଦେଶରେ ବି ୧୬ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ୍ ମିଡିଆ ବ୍ୟାନ୍ କରିବାକୁ ଯୋଜନା କରୁଛନ୍ତି । ଏବଂ ଏହା ଖୁବଶୀଘ୍ର ଲାଗୁ ହୋଇପାରେ । 

Advertisment

ଅଧିକ ପଢ଼ନ୍ତୁ : ବ୍ରେକ୍ ନେଲେ ନେହା ! କହିଲେ, ସୋସିଆଲ ମିଡିଆ ଆଉ ଭଲଲାଗୁନି ଟିକେ ଶାନ୍ତି ଦରକାର

ସ୍ଵିଜରଲାଣ୍ଡ ଦାବୋସରେ ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଆନ୍ଦ୍ରପ୍ରଦେଶ ମାନବ ସଂସାଧନ ବିକାଶ ମନ୍ତ୍ରୀ ନାରା ଲୋକେଶ କହିଛନ୍ତି, ଆନ୍ଧ୍ରପ୍ରଦେଶ ସରକାର ଅଷ୍ଟ୍ରେଲିଆ ପରି ‘ଅଣ୍ଡର-୧୬ ସୋସିଆଲ୍ ମିଡିଆ’ ଆଇନ୍ ଆଣିବା ପାଇଁ ବିଚାର କରୁଛନ୍ତି । ପିଲାଙ୍କ ସୁରକ୍ଷା ଏବଂ ଉଜ୍ଵଳ ଭବିଷ୍ୟତ ପାଇଁ ଏହି ଆଇନ୍ ଆଣିବା ଜରୁରୀ ବୋଲି ସରକାର ଭାବୁଛନ୍ତି । 

ପିଲାଙ୍କ ପାଇଁ ସୋସିଆଲ୍ ମିଡ଼ିଆ ବିପଦ କାହିଁକି? 
- କମ୍ ବୟସର ପିଲା ହାନିକାରକ କଣ୍ଟେଣ୍ଟ୍, ଭୁଲ ସୂଚନା ଏବଂ ନକାରାତ୍ମକ ପ୍ରଭାବକୁ ବୁଝିପାରନ୍ତି ନାହିଁ
- ସୋସିଆଲ ମିଡିଆର ପ୍ରଭାବ ପିଲାଙ୍କ ମାନସିକ ସ୍ଥିତି, ବ୍ୟବହାର ଏବଂ ପାଠପଢ଼ା ଉପରେ ପଡ଼ିଥାଏ 
- ଏହି କାରଣରୁ ଅନେକ ଦେଶ ପିଲାଙ୍କୁ ସୋସିଆଲ୍ ମିଡିଆଠୁ ଦୂରେଇ ରଖିବାର ପଦକ୍ଷେପ ନେଇସାରିଛନ୍ତି 
ଭାରତରେ ସ୍ଥିତି କଣ? 
- ଭାରତରେ ନାବାଳକଙ୍କୁ ସୋସିଆଲ୍ ମିଡିଆଠୁ ଦୂରେଇ ରଖିବା ପାଇଁ ‘ପ୍ୟାରେଣ୍ଟ୍ସ କଣ୍ଟ୍ରୋଲ ସିଷ୍ଟମ’ ନିୟମ ଲାଗୁ କରାଯାଇଛି । ଏହାଦ୍ଵାରା ବାପା ମାଆ ପିଲାଙ୍କ ସୋସିଆଲ୍ ମିଡିଆ ବ୍ୟବହାର ଉପରେ ନଜର ରଖିପାରିବେ । 
- କିନ୍ତୁ କେନ୍ଦ୍ର ସରକାର ବର୍ତ୍ତମାନ ସୁଦ୍ଧା ସୋସିଆଲ୍ ମିଡିଆଠୁ ପିଲାଙ୍କୁ ଦୂରରେ ରଖିବା ପାଇଁ କୌଣସି କଠୋର ନିୟମ ଆଣିପାରିନାହାନ୍ତି ।

ତେବେ ପିଲାଙ୍କୁ ସୋସିଆଲ୍ ମିଡିଆଠୁ ଦୂରେଇ ରଖିବା ପାଇଁ ଆନ୍ଦ୍ରପ୍ରଦେଶ ସରକାର ଗମ୍ଭୀର ଅଛନ୍ତି । ସୋସିଆଲ୍ ମିଡିଆକୁ ବ୍ୟାନ୍ କରିବା ପାଇଁ ବିଚାର ବିମର୍ଶ କରୁଛନ୍ତି । ଯଦି ଏହା ସଫଳ ହୁଏ ତେବେ ଆଗାମୀ ଦିନରେ ଆନ୍ଧ୍ରପ୍ରଦେଶ ଦେଶ ଏବଂ ଦେଶର ଅନ୍ୟ ରାଜ୍ୟମାନଙ୍କ ପାଇଁ ଏକ ଉଦାହରଣ ସାବ୍ୟସ୍ତ ହେବ ନିଶ୍ଚୟ ।