କନକ ବ୍ୟୁରୋ: ଡିଜିଟାଲ୍ ଯୁଗରେ ସୋସିଆଲ ମିଡିଆ ଜୀବନର ଏକ ଅବଚ୍ଛେଦ୍ୟ ଅଙ୍ଗ ପାଲଟି ଯାଇଛି କହିଲେ ଭୁଲ ହେବନି । ରିପୋର୍ଟ ମୁତାବକ ପ୍ରତିଦିନ ଭାରତୀୟମାନେ ହାରହାରି ୨ ଘଣ୍ଟାରୁ ୩ ଘଣ୍ଟା ସମୟ ସୋସିଆଲ ମିଡିଆରେ ବିତାଉଛନ୍ତି । ୨୦୨୪ ବର୍ଷରେ ଦେଶରେ ୮୦ କୋଟିରୁ ଅଧିକ ସୋସିଆଲ ମିଡିଆ ୟୁଜର୍ସ ରହିଥିଲେ । ଅଧିକାଂଶ ୟୁଜର୍ସ ଇନ୍ଷ୍ଟାଗ୍ରାମ ଓ ଫେସ୍ବୁକ୍ରେ ସମୟ ବ୍ୟତୀତ କରୁଛନ୍ତି । ଏଭଳି ସୋସିଆଲ ମିଡିଆ ୟୁଜର୍ସଙ୍କୁ ଏବେ ଝଟକା ଲାଗିପାରେ, କାରଣ ଏବେ ଇନ୍ଷ୍ଟାଗ୍ରାମ ଓ ଫେସ୍ବୁକ୍ ବ୍ୟବହାର କରିବାକୁ ହେଲେ ଟଙ୍କା ଦେବାକୁ ପଡ଼ିପାରେ । ସୋସିଆଲ ମିଡିଆ ଫି' ଆକାରରେ ଏହାକୁ ଆଦାୟ କରାଯାଇପାରେ ।
ବିଶ୍ୱର ସବୁଠାରୁ ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସ୍ବୁକ୍ ଏବଂ ଇନ୍ଷ୍ଟାଗ୍ରାମ । ବର୍ତ୍ତମାନ ସୁଦ୍ଧା ଏହାକୁ ମାଗଣାରେ ବ୍ୟବହାର କରି ଆସୁଛନ୍ତି ୟୁଜର୍ସ । କିନ୍ତୁ ଏବେ ଆଉ ନୁହେଁ । କାରଣ UK(ୟୁନାଇଟେଡ୍ କିଙ୍ଗ୍ଡମ୍)ରେ ୟୁଜର୍ସ ମାନଙ୍କୁ ଏହି ପ୍ଲାଟଫର୍ମଗୁଡ଼ିକୁ ବିଜ୍ଞାପନମୁକ୍ତ ବା Ad-Free ଭାବରେ ଚଳାଇବା ପାଇଁ ପ୍ରତି ମାସରେ ଟଙ୍କା ଦେବାକୁ ପଡ଼ିବ । ଡାଟା ଗୋପନୀୟତାକୁ ନେଇ ବଢ଼ୁଥିବା ନିୟାମକ ଚାପ ପରେ ଏହି ନିଷ୍ପତ୍ତି ନିଆଯାଇଛି । UKରେ ସୋସିଆଲ ମିଡିଆ ୟୁଜର୍ସ ମାନଙ୍କ ପାଇଁ ଏକ ନୂଆ ସବସ୍କ୍ରିପସନ୍ ମଡେଲ ଆଣିଛି ମେଟା । ଯେଉଁମାନେ ପେଜ୍ରେ ସ୍କ୍ରୋଲିଂ ସମୟରେ ବିଜ୍ଞାପନ ଦେଖିବାକୁ ଚାହୁନାହାନ୍ତି, ସେମାନଙ୍କୁ ପ୍ରତି ମାସରେ ଭାରତୀୟ ମୁଦ୍ରାରେ ପ୍ରାୟ ୪୦୦ ଟଙ୍କା ଦେବାକୁ ପଡ଼ିବ । ଯେଉଁମାନେ ଲାପଟପ୍ କିମ୍ବା ଡେସ୍କଟପ୍ରେ ଫେସ୍ବୁକ୍ କିମ୍ବା ଇନଷ୍ଟାଗ୍ରାମ ବ୍ୟବହାର କରୁଛନ୍ତି, ସେମାନଙ୍କୁ ପ୍ରତି ମାସରେ ୩୦୦ ଟଙ୍କାରୁ ଅଧିକ ଖର୍ଚ୍ଚ କରିବାକୁ ହେବ । ଯଦି କୌଣସି ୟୁଜର୍ସ ଫେସ୍ବୁକ୍ ଏବଂ ଇନ୍ଷ୍ଟାଗ୍ରାମ ଉଭୟ ଆକାଉଣ୍ଟ ଲିଙ୍କ୍ ହୋଇଛି, ତେବେ ସେମାନଙ୍କୁ କେବଳ ଗୋଟିଏ ସବସ୍କ୍ରିପସନ୍ ନେବାକୁ ପଡ଼ିବ । ବର୍ତ୍ତମାନ ୟୁଜର୍ସମାନେ ମାଗଣାରେ ପ୍ଲାଟଫର୍ମ ବ୍ୟବହାର କରି ବିଜ୍ଞାପନ ଦେଖିପାରିବେ କିମ୍ବା ସବସ୍କ୍ରିପସନ୍ ନେଇ ବିଜ୍ଞାପନମୁକ୍ତ ଅନୁଭୂତି ପାଇପାରିବେ ।
ମେଟା ଦୀର୍ଘ ସମୟ ଧରି ନିୟାମକ ଚାପର ସାମ୍ନା କରୁଥିଲା । କମ୍ପାନି ଉପରେ ଅଭିଯୋଗ ଥିଲା ଯେ, ଏହା ୟୁଜର୍ସଙ୍କ ବ୍ୟକ୍ତିଗତ ଡାଟା ବ୍ୟବହାର କରି ସେମାନଙ୍କୁ ପର୍ସନାଲାଇଜ୍ଡ ବିଜ୍ଞାପନ ଦେଖାଉଛି । UKରେ ସୂଚନା ଆୟୁକ୍ତ କାର୍ଯ୍ୟାଳୟ (ICO) ସ୍ପଷ୍ଟ କରିଥିଲା ଯେ, ନିଜ ଡାଟାକୁ ବିଜ୍ଞାପନ ପାଇଁ ବ୍ୟବହାର କରିବାରୁ ରୋକିବା ଇଣ୍ଟରନେଟ୍ ୟୁଜର୍ସଙ୍କ ଅଧିକାର । ଡାଟା ଗୋପନୀୟତାକୁ ନେଇ ଜଣେ ଆକ୍ଟିଭିଷ୍ଟଙ୍କ ସହ ହୋଇଥିବା ଆଇନଗତ ବୁଝାମଣା ପରେ ମେଟା ବିଜ୍ଞାପନମୁକ୍ତ ସବସ୍କ୍ରିପସନ୍ ଦିଗରେ ପଦକ୍ଷେପ ନେବାକୁ ଯାଉଛି ।
ଏହି ପଦକ୍ଷେପକୁ ଏବେ ସ୍ୱାଗତ କରାଯାଉଛି ଏବଂ ଏହାକୁ ସୋସିଆଲ ମିଡିଆର ବ୍ୟବହାର ବିଜ୍ଞାପନ ଦେଖିବାର ବାଧ୍ୟତାମୂଳକତା ଠାରୁ ଅଲଗା କରିବା ଦିଗରେ ଏକ ପରିବର୍ତ୍ତନ ଭାବରେ ବିବେଚନା ହେଉଛି । ବର୍ତ୍ତମାନ କେବଳ UKର ୟୁଜର୍ସମାନଙ୍କୁ ସୁବିଧା ମିଳିଛି, କିନ୍ତୁ ଆଗାମୀ ଦିନରେ ସମସ୍ତ ୟୁଜର୍ସଙ୍କ ପାଇଁ ଏହି ସୁବିଧା ଉପଲବ୍ଧ ହୋଇପାରେ ।