କନକ ବ୍ୟୁରୋ : ପାଗଳ କରୁଛି ସୋସିଆଲ ମିଡିଆ । ଆଜିକାଲିର ଯୁବପିଢ଼ିମାନଙ୍କ ପାଇଁ ସୋସିଆଲ ମିଡ଼ିଆ ବ୍ୟବହାର କରିବା ଯାହା ଦୈନନ୍ଦିନ ଜୀବନରେ ଖାଇବା, ପିଇବା, ନିଶ୍ବାସ,ପ୍ରଶ୍ବାସ ନେବା ତାହା । ସକାଳେ ନିଦ ଭାଙ୍ଗିବା ଠାରୁ ଆରମ୍ଭ କରି ରାତିରେ ଶୋଇବା ଯାଏ ସୋସିଆଲ ମିଡିଆ ସ୍କ୍ରଲ କରିବା, ଷ୍ଟୋରୀ ଅପଲୋଡ କରିବା ଓ ଷ୍ଟାଟସ୍ ଅପଡେଟ୍ କରିବାକୁ ଭୁଲୁନାହାନ୍ତି ଯୁବପିଢ଼ି । ସୋସିଆଲ ମିଡ଼ିଆ ମାଧ୍ୟମରେ ଦେଶ ଦୁନିଆ ବାବଦରେ ଚୁଟକିରେ ଖବର ମିଳୁଛି ସତ, ହେଲେ ଏହାର କେତେକ ଅପକାରିତା ମଣିଷର ଜୀଇଁବାର ଶୈଳୀକୁ ବିଗାଡ଼ି ଦେଇଛି । ସୋସିଆଲ୍ ମିଡିଆର ଅଭ୍ୟାସଗୁଡ଼ିକ ଧୀରେ ଧୀରେ ମନୋଭାବକୁ  ପ୍ରଭାବିତ କରିବା ସହ ମାନସିକ ସ୍ୱାସ୍ଥ୍ୟକୁ ମଧ୍ୟ ଖରାପ କରୁଛି । 

Advertisment
SocialMedia mania
SocialMedia mania Photograph: (google)

ମାନସିକ ସ୍ବାସ୍ଥ୍ୟ ଉପରେ ସୋସିଆଲ ମିଡ଼ିଆର ପ୍ରଭାବ 

-ସକାଳେ ଉଠିବା ମାତ୍ରେ ପ୍ରଥମେ ମୋବାଇଲ୍ ଖୋଜନ୍ତି ଯୁବପିଢ଼ି 
-ଇନଷ୍ଟାଗ୍ରାମରେ ଫଟୋ ଅପଲୋଡ୍ ସହ ଫେସ୍‌ବୁକରେ କରନ୍ତି ଷ୍ଟାଟସ୍ ଅପଡେଟ୍
-ପୂର୍ବରୁ ସୋସିଆଲ୍ ମିଡିଆ ସମ୍ପର୍କ ଯୋଡ଼ିବାର ଏକ ମାଧ୍ୟମ ଥିଲା
- ଧୀରେ ଧୀରେ ଏହି ଧାରାରେ ପରିବର୍ତ୍ତନ ଆସିଛି
-ସୋସିଆଲ ମିଡିଆରେ ଏବେ ଲାଇକ, ସେୟାରର ଲଢ଼େଇ ଚାଲିଛି
-ଏହାଦ୍ବାରା ବନ୍ଧୁ ମାନଙ୍କ ମଧ୍ୟରେ ସମ୍ପର୍କ ବିଗିଡୁଥିବା ଦେଖିବାକୁ ମିଳୁଛି

କେବଳ ଲାଇକ୍ ସେୟାର ନୁହେଁ, ସୋସିଆଲ ମିଡ଼ିଆ ବ୍ୟବହାରକାରୀମାନେ ନିଜ ଜୀବନକୁ ଏହାକୁ ନେଇ ମୂଲ୍ୟାଙ୍କନ କରିବା ଆରମ୍ଭ କରିଦେଇଛନ୍ତି । ପ୍ରତ୍ୟେକ ଲାଇକ୍ ଏବଂ କମେଣ୍ଟରେ ମସ୍ତିଷ୍କକୁ ଏକ ଛୋଟ ଖୁସି ମିଳିଥାଏ ଏବଂ ଧୀରେ ଧୀରେ ଏହା ଏକ ନିଶା ପରି ହୋଇଯାଏ । ଯଦି ପୋଷ୍ଟକୁ କମ୍ ଲାଇକ୍ ମିଳେ, ମନ ଓ ମସ୍ତିଷ୍କ ଉପରେ ଏହାର ପ୍ରଭାବ ପଡ଼ିଥାଏ । ଯାହଦ୍ବାରା ମାନସିକ ଚାପ, ଚିନ୍ତା ଏବଂ କେତେକ ସମୟରେ ଅବସାଦ ଭଳି ଅବସ୍ଥା ଦେଇ ଗତି କରିବାକୁ ପଡ଼େ । ଏଭଳି ସ୍ଥିତିରେ ଭୁଲ୍ ନିଷ୍ପତ୍ତି ନେବାକୁ ମଧ୍ୟ ଆଜିର ମଣିଷ ପଛଘୁଞ୍ଚା ଦେଇନଥାଏ । ସୋସିଆଲ ମିଡିଆକୁ ସମ୍ପୂର୍ଣ୍ଣ ଭାବରେ ଛାଡ଼ିବାର ଆବଶ୍ୟକତା ନାହିଁ, କିନ୍ତୁ ଏହାକୁ ସନ୍ତୁଳିତ ଭାବରେ ବ୍ୟବହାର କରିବା ଗୁରୁତ୍ୱପୂର୍ଣ୍ଣ । ଦିନରେ ସୋସିଆଲ ମିଡିଆ ପାଇଁ ଏକ ନିର୍ଦ୍ଦିଷ୍ଟ ସମୟ ରଖିବା ଉଚିତ, ଅନାବଶ୍ୟକ ସ୍କ୍ରଲିଂ ଏଡ଼ାଇବା ସହ ଶୋଇବା ପୂର୍ବରୁ ଫୋନ୍ ବ୍ୟବହାର ଅଭ୍ୟାସ ତ୍ୟାଗ କଲେ ସୋସିଆଲ ମିଡ଼ିଆ ସିଣ୍ଡ୍ରୋମରୁ ମିଳିପାରିବ ମୁକ୍ତି ।