କନକ ବ୍ୟୁରୋ :  ଦେଶରେ ଚର୍ଚ୍ଚାରେ ରହିଛି ଆଇଟି ସହର ବେଙ୍ଗାଲୁରୁ ସହ ଆରସିବି । ବିବାଦ ବଢିବା ସହ ଇସ୍ତଫା ଦାବି ମଧ୍ୟ ବଢୁଛି । ବିଜୟ ଉତ୍ସବ ପାଳନ ସମୟରେ ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମ ବାହାରେ ଦଳାଚକଟା ହୋଇ ୧୧ ଜଣଙ୍କ ପ୍ରାଣହାନି ହୋଇଛି । ଏହି ଘଟଣାରେ ପୁଲିସ ଆରସିବିର ଜଣେ ଶୀର୍ଷ ଅଧିକାରୀଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି । ପୁଲିସ ଅନୁଯାୟୀ ଆରସିବିର ଶୀର୍ଷ ମାର୍କେଟିଂ ଅଧିକାରୀ ନିଖିଲ ସୋସେଲଙ୍କ ସମେତ ୪ ଜଣ  ଗିରଫ ହୋଇଛନ୍ତି । ଅନ୍ୟପଟେ କର୍ଣ୍ଣାଟକ କ୍ରିକେଟ ଆସୋସିଏସନ୍ ସମ୍ପାଦକ ଓ କୋଷାଧ୍ୟକ୍ଷ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ପୂରା ଘଟଣାକୁ ଦେଖିଲେ ଲାଗୁଛି , ଦୋଷ କରୁଛି କିଏ ବଳି ପଡୁଛି କିଏ ? ନିଖିଲ ମୁମ୍ବାଇ ଅଭିମୁଖେ ଯାଉଥିବା ବେଳେ କେମ୍ପେଗୌଡ଼ା ଅନ୍ତର୍ଜାତୀୟ ବିମାନବନ୍ଦରରୁ ଗିରଫ ହୋଇଛନ୍ତି ।  ଅନ୍ୟପକ୍ଷେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ  ରାଜ‌ନୈତିକ ସଚିବ କେ ଗୋବିନ୍ଦରାଜଙ୍କୁ ତାଙ୍କ ପଦରୁ ବହିଷ୍କାର କରାଯାଇଛି ।  ଦଳାଚକଟା ଘଟଣା ପାଇଁ ରାଜ୍ୟ ସରକାର କଡ଼ା ସମାଲୋଚନାର ଶିକାର ହୋଇଥିବାବେଳେ ଏହି ସମୟରେ କେ ଗୋବିନ୍ଦରାଜ ତାଙ୍କ ପଦରୁ ବହିଷ୍କୃତ ହୋଇଥିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି କୁହାଯାଇଛି । କିନ୍ତୁ ଏଥିପାଇଁ କୌଣସି କାରଣ ଦର୍ଶାଯାଇନି । ଆରସିବି ଆଇପିଏଲ୍‌ ଟିମର ବିଜୟ ପରେଡ୍‌ ସଂକ୍ରାନ୍ତରେ  ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେଇଥିବା କୁହାଯାଉଛି । କିନ୍ତୁ ଏହାକୁ ଗୋବିନ୍ଦରାଜ ଖଣ୍ଡନ କରି କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେବାପାଇଁ ମୁଁ କିଏ ? ଅନ୍ୟପକ୍ଷେ ଗୁରୁବାର ବିଳମ୍ବିତ ରାତିରେ ହୋଇଥିବା ଅଦଳ ବଦଳରେ ବରିଷ୍ଠ ଆଇପିଏସ୍‌ ଅଫିସର  ସୀମାନ୍ତ କୁମାର ସିଂହଙ୍କୁ ବେଙ୍ଗାଲୁରୁର ନୂଆ ପୁଲିସ କମିସନର ନିଯୁକ୍ତ କରାଯାଇଛି । ଅନ୍ୟପଟେ ଆରସିବି ସମର୍ଥକ ଏବେ ରାହୁଲ ଗାନ୍ଧୀଙ୍କ  ପୋଷ୍ଟକୁ ଭାଇରାଲ କରି ଦୟା ଭାବନା ପାଇବା ପାଇଁ ପୋଷ୍ଟକୁ ଭାଇରାଲ କରୁଛନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ୨୦୨୧ରେ କରାଯାଇଥିବା ଏକ 'ଏକ୍ସ' ପୋଷ୍ଟ ବର୍ତ୍ତମାନ ଭାଇରାଲ ହୋଇଛି, ଯେଉଁଥିରେ ସେ ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କୁ ସମର୍ଥନ କରିଥିଲେ । ଏହି ପୋଷ୍ଟ ପୁଣି ଚର୍ଚ୍ଚାରେ ଆସିଛି କାରଣ ବେଙ୍ଗାଲୁରୁରେ ଆରସିବିର ଆଇପିଏଲରେ ବିଜୟ ଉତ୍ସବ ସମୟରେ ହୋଇଥିବା ଦଳାଚକଟା ଘଟଣାରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଘଟଣା ପରେ ସୋସିଆଲ ମିଡିଆରେ କୋହଲିଙ୍କୁ ଗିରଫ କରିବା ପାଇଁ ଟ୍ରେଣ୍ଡ ଜୋର ଧରିଛି । ୨୦୨୧ ଟି-୨୦ ବିଶ୍ୱକପରେ ଭାରତର ପରାଜୟ ପରେ କୋହଲି ଓ ସାଥୀ ଖେଳାଳି ମହମ୍ମଦ ଶାମିଙ୍କୁ ଟ୍ରୋଲିଂର ଶିକାର ହେବାକୁ ପଡ଼ିଥିଲା । ସେତେବେଳେ ରାହୁଲ ଗାନ୍ଧୀ ତାଙ୍କ ପୋଷ୍ଟରେ ଲେଖିଥିଲେ, ପ୍ରିୟ ବିରାଟ, ଏହି ଲୋକମାନେ ଘୃଣାରେ ଭର୍ତ୍ତି କାରଣ ସେମାନଙ୍କୁ କେହି ପ୍ରେମ ଦିଅନ୍ତି ନାହିଁ । ସେମାନଙ୍କୁ କ୍ଷମା କର ଓ ଦଳକୁ ସୁରକ୍ଷା ଦିଅ । ଏହି ପୋଷ୍ଟକୁ ବର୍ତ୍ତମାନ କୋହଲିଙ୍କ ସମର୍ଥକମାନେ ପୁଣି ସେୟାର କରିଛନ୍ତି । ଆରସିବିର ୧୮ ବର୍ଷର ଆଇପିଏଲ ଟ୍ରଫି ଅପେକ୍ଷାରେ ଅନ୍ତ ଘଟିଥିଲା ସତ, ହେଲେ ବିଜୟର ୧୫ ଘଣ୍ଟା ପରେ ହିରୋରୁ ଭିଲେନ ପାଲଟିଗଲେ କୋହଲି । ବେଙ୍ଗାଲୁରୁ ପୁଲିସ ଉତ୍ସବ ସ୍ଥଗିତ କରିବାକୁ ପରାମର୍ଶ ଦେଇଥିଲେ, କିନ୍ତୁ ଆରସିବି, କର୍ଣ୍ଣାଟକ ରାଜ୍ୟ କ୍ରିକେଟ ଆସୋସିଏସନ (କେଏସସିଏ) ଓ ରାଜ୍ୟ ସରକାର ଏହାକୁ ଅଣଦେଖା କରିଥିବା ଅଭିଯୋଗ ହୋଇଛି । ଏହି ଘଟଣା ପରେ ସୋସିଆଲ ମିଡିଆରେ ଆରେଷ୍ଟ କୋହଲି ହାସଟ୍ୟାଗ୍ ଟ୍ରେଣ୍ଡ କରୁଛି । କୋହଲିଙ୍କୁ ମୁମ୍ବାଇ ବିମାନବନ୍ଦରରେ ଦେଖାଯିବା ପରେ କେହି କେହି ଦାବି କରିଛନ୍ତି ଯେ ସେ ‘ଲଣ୍ଡନକୁ ପଳାଉଛନ୍ତି’ । ଏହା ମଧ୍ୟରେ ରାହୁଲ ଗାନ୍ଧୀଙ୍କ ପୁରୁଣା ପୋଷ୍ଟ କୋହଲିଙ୍କ ପାଇଁ ସମର୍ଥନର ପ୍ରତୀକ ହେଇ ବାହାରିଛି  ।