କନକ ବ୍ୟୁରୋ: ଗୁଜରାଟରେ ଜଳପ୍ରଳୟ । ବନ୍ୟାଜନିତ କାରଣରୁ ସେଠାରେ ମୃତ୍ୟ ସଂଖ୍ୟା ୩୫କୁ ବୃଦ୍ଧି ପାଇଛି। ପ୍ରାୟ ୧୮ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି । ଗୁଜରାଟରେ ଗୋଟିଏ ବର୍ଷରେ ହାରାହାରି ଯେତିକି ବର୍ଷା ହୁଏ, ଏପର୍ଯ୍ୟନ୍ତ ତା ଠାରୁ ୫ ପ୍ରତିଶତ ଅଧିକ ବର୍ଷା ହୋଇସାରିଲାଣି । ବଡୋଦରା, ଅହମଦାବାଦ, ସୁରଟ ସବୁଠୁ ଅଧିକ ପ୍ରଭାବିତ ହୋଇଛି । ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁସାରେ ଆଗାମୀ ୩ଦିନ ଧରି ଗୁଜରାଟ ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି ।

ସୌରାଷ୍ଟ୍ର ଓ କଚ୍ଛ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବାରୁ ଗତ କିଛିଦିନ ହେବ ଗୁଜରାଟରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି। ଗୁଜରାଟର ବରୋଦା, ଉଦୟପୁର, ନର୍ମଦା, ବରୁଚ ଓ ସୁରଟ ସମେତ ଏକାଧିକ ଜିଲାରେ ପ୍ରବଳ ବର୍ଷା ହେବା ନେଇ ରେଡ୍‌ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ।  ସେପଟେ ସ୍ଥିତିକୁ ଦେଖି ୩ଦିନ ପାଇଁ ପ୍ରଭାବିତ ଜିଲ୍ଲାର ସ୍କୁଲକୁ ବନ୍ଦ ରଖାଯାଇଛି । ଉଦ୍ଧାର କାର୍ଯ୍ୟରେ ସେନା, ଏନଡିଆରଏଫ ଓ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବାହିନୀ ନିୟୋଜିତ ହୋଇଛନ୍ତି। ବନ୍ୟା ସ୍ଥିତି ପ୍ରଧାନମନ୍ତ୍ରୀ ମୋଦୀ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସହ ଫୋନ ଯୋଗେ ଆଲୋଚନା କରିଛନ୍ତି।