କନକ ବ୍ୟୁରୋ: ଆଜି ଶ୍ରୀଜିଉଙ୍କ ସ୍ନାନଯାତ୍ରା ପାଇଁ ସମସ୍ତେ ଚଳଚଞ୍ଚଳ । ଧାଡ଼ି ପହଣ୍ଡିରେ ଆସି ସ୍ନାନବେଦିରେ ବିଜେ କଲେଣି ବଡ଼ବାଡ଼ଗ୍ରାହୀ ଶ୍ରୀବଳଭଦ୍ର । ତାଙ୍କ ପୂର୍ବରୁ ବିଜେ କରିଛନ୍ତି ଚକ୍ରରାଜ ସୁଦର୍ଶନ । ବଡ଼ଭାଇଙ୍କ ପରେ ଆସି ବିଜେ କରିସାରିଛନ୍ତି ମା’ ସୁଭଦ୍ରା । ଏବେ ପହଣ୍ଡି କରି ଆସୁଛନ୍ତି ବ୍ରହ୍ମାଣ୍ଡ ଗୋସାଇଁ ଶ୍ରୀ ଜଗନ୍ନାଥ ।
 
ପ୍ରଚଣ୍ଡ ଗରମ , ଗୁଳୁଗୁଳି ଭିତରେ ଆଜି ପ୍ରାଣପ୍ରିୟ ଠାକୁର ଗାଧୋଇବେ । ଦେହକୁ ଶୀତଳ କରିବେ । ଏଥିପାଇଁ ସମସ୍ତେ ଚଳଚଞ୍ଚଳ । ସଂସାର କଥା ଭାବିବାକୁ କାହାରି ପାଖରେ ତର ନାହିଁ । ଘଣ୍ଟଘଣ୍ଟାରେ ପ୍ରକମ୍ପିତ ହେଉଛି ପୂରା ପରିବେଶ । କାହା କଥା କିଏ ଶୁଣୁଛି ,କାହା କଥା କିଏ ଭାବୁଛି । ସମସ୍ତଙ୍କ ମନ, ଆଖି ସେଇ ଠାକୁରଙ୍କ ଉପରେ । ବଡଦାଣ୍ଡରେ ଥାଟ୍ଟ ମାରି ରୁଣ୍ଡ ହୋଇଛନ୍ତି ଭକ୍ତ । ସମସ୍ତଙ୍କ ମନରେ ଗୋଟିଏ ଚେତନା; ଶ୍ରୀଜଗନ୍ନାଥ ଚେତନା, ବିଭୂ ଚେତନା । ଆଜି ମସସ୍ତେ ଏକାକାର ନିଜ ପ୍ରିୟ ମହାପ୍ରଭୁଙ୍କ ଭାବନାରେ ।