କନକ ବ୍ୟୁରୋ: ମଞ୍ଚା,ସଞ୍ଚା, ଗୁଣ୍ଡିଚା ଏ ତିନି ଦର୍ଶନ କରେ ଯେଉଁ ପ୍ରାଣୀ… ବାରେ ମାତ୍ରକ ଯେ ଦେଖଇ ତାପ ତ୍ରୟରୁ ତରିଯାଇ । ଶ୍ରୀଜଗନ୍ନାଥ ଚରିତାମୃତରେ କୁହାଯାଇଛି ଏହି ଉକ୍ତି । ଭକ୍ତ ତା ଇଷ୍ଟଙ୍କଠାରୁ ଅନ୍ୟ କିଛି ଚାହେନା । ଚାହେ କେବଳ ତାଙ୍କ ପଦାରବିନ୍ଦ ତଳେ ସଂଯୁକ୍ତ ହେବାପାଇଁ । ଏହା ହେଉଛି ମହାପ୍ରଭୁଙ୍କ ନିକଟରେ ସମର୍ପଣର ଭାବ ।
ଆଜି ମହାପ୍ରଭୁଙ୍କ ସେବାରେ ଏକତ୍ରିତ ହୁଅନ୍ତି ସମସ୍ତ ସେବାୟତ । ଦତ୍ତ ମହାପ୍ରଭୁଙ୍କଠାରୁ ଆରମ୍ଭ କରି ଗରାବଡ଼ୁ, ଦଇତାଙ୍କ ଯାଏଁ ସମସ୍ତେ ଏକାଠି ବଡ଼ ଦିଅଁଙ୍କ ପାଖରେ ସେବା ଅର୍ପଣ କରନ୍ତି । ଜ୍ୟେଷ୍ଠ ପୂର୍ଣ୍ଣିମା, ମହାପ୍ରଭୁଙ୍କ ଆବିର୍ଭାବର ଦିନ । ତେଣୁ ଆଜି ଯେଉଁ କର୍ମ ଆରମ୍ଭ କଲେ ସବୁ ହୋଇଯାଏ ପବିତ୍ର । ସବୁଠୁ ବଡ଼ କଥା ହେଲା , ଯେଉଁ ନୂଆ ସେବାୟତମାନେ ମହାପ୍ରଭୁଙ୍କ ପାଖରେ ସେବା ପାଇଁ ଯୋଗ୍ୟ ହୁଅନ୍ତି ଆଜି ପ୍ରଥମ ଥର ସେବା ଆରମ୍ଭ କରନ୍ତି । ଆଜିଠାରୁ ଆରମ୍ଭ ହୁଏ ସେମାନଙ୍କ ସେବାର ଆରମ୍ଭ ।
ଆଜି ହେଉଛି ସେହି ମାହେନ୍ଦ୍ର ସମୟ ଯେବେ ପ୍ରତ୍ୟକ୍ଷ ସ୍ନାନ କରନ୍ତି ଚତୁର୍ଦ୍ଧା ମୂର୍ତ୍ତି । ଅନ୍ୟ ଦିନ ମାନଙ୍କରେ ମହାପ୍ରଭୁଙ୍କର ବିମ୍ବ ସ୍ନାନ ହେଉଥିବାବେଳେ ଆଜି ପ୍ରତ୍ୟକ୍ଷ ସ୍ନାନ ହୁଏ। ଆଜି ପ୍ରତ୍ୟକ୍ଷ ସ୍ନାନ ପାଇଁ ଆବଶ୍ୟକ ଜଳରେ ମିଶେ କର୍ପୁର, ଚନ୍ଦନ , ଚୂଆ ଏବଂ କେଶର ।