କନକ ବ୍ୟୁରୋ: ଭାରତ ଏକ ଆସ୍ଥା ଓ ପରମ୍ପରାର ଦେଶ, ଯେଉଁଠି ପ୍ରକୃତିର ପ୍ରତ୍ୟେକ ଜୀବଙ୍କୁ ପୂଜା କରାଯାଏ । ଏହାର ଏକ ଅନନ୍ୟ ଏବଂ ଆଶ୍ଚର୍ଯ୍ୟଜନକ ଉଦାହରଣ ଦେଖିବାକୁ ମିଳେ ବିହାରର ସମସ୍ତିପୁର ଜିଲ୍ଲାରେ, ଯେଉଁଠାରେ ନାଗପଞ୍ଚମୀ ଦିନ ଜୀବନ୍ତ ସାପମାନଙ୍କୁ ନେଇ ଏକ ବିଶାଳ ଶୋଭାଯାତ୍ରା ବାହାର କରାଯାଏ । ଏହି ଦୃଶ୍ୟ ଯେତିକି ବିପଦପୂର୍ଣ୍ଣ, ସେତିକି ଆସ୍ଥା ଓ ଭକ୍ତିରେ ପରିପୂର୍ଣ୍ଣ । ସମସ୍ତିପୁର ଜିଲ୍ଲାର ବିଭୂତିପୁର ବ୍ଲକ ଅନ୍ତର୍ଗତ ସିଂଘିଆ ଘାଟରେ ପ୍ରତିବର୍ଷ ନାଗପଞ୍ଚମୀ ଅବସରରେ ଏହି ପ୍ରସିଦ୍ଧ ସର୍ପ ମେଳାର ଆୟୋଜନ କରାଯାଏ । ଏହି ମେଳା ଶହ ଶହ ବର୍ଷ ଧରି ଚାଲିଆସୁଥିବା ଏକ ପରମ୍ପରାର ପ୍ରତୀକ । ଏଠାରେ କେବଳ ସାପ କେଳା ନୁହନ୍ତି, ବରଂ ସାଧାରଣ ଲୋକ, ଏପରିକି ପିଲାମାନେ ମଧ୍ୟ ନିର୍ଭୟରେ ବିଷାକ୍ତ ସାପମାନଙ୍କୁ ବେକରେ ପକାଇ, ହାତରେ ଧରି ଖେଳୁଥିବାର ଦେଖାଯାନ୍ତି ।
କିପରି ପାଳନ ହୁଏ ଏହି ଅନନ୍ୟ ପରମ୍ପରା ଆସନ୍ତୁ ଜାଣିବା
ନାଗପଞ୍ଚମୀ ଦିନ ସକାଳୁ ହଜାର ହଜାର ଭକ୍ତ ବୁଢ଼ୀ ଗଣ୍ଡକ ନଦୀ କୂଳରେ ଏକତ୍ରିତ ହୁଅନ୍ତି । ଏହି ପରମ୍ପରା ସିଂଘିଆ ବଜାରରେ ଥିବା ମା' ଭଗବତୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା ପରେ ଆରମ୍ଭ ହୁଏ । ଏହାପରେ ଭକ୍ତମାନେ, ବିଶେଷ କରି ଯେଉଁମାନଙ୍କୁ 'ଭଗତ' କୁହାଯାଏ, ସେମାନେ ମା' ବିଷହରୀଙ୍କ ନାମ ନେଇ ନଦୀ ଓ ଆଖପାଖ ଅଞ୍ଚଳରୁ ବିଭିନ୍ନ ପ୍ରଜାତିର ସାପ ଧରି ଆଣନ୍ତି । ଲୋକକଥା ଅନୁଯାୟୀ, ମା' ବିଷହରୀଙ୍କ କୃପାରୁ ଏହି ଦିନ ସାପମାନେ କାହାକୁ କ୍ଷତି ପହଞ୍ଚାନ୍ତି ନାହିଁ । ଏହାପରେ ଆରମ୍ଭ ହୁଏ ପ୍ରକୃତ ଦୃଶ୍ୟ । ହଜାର ହଜାର ଲୋକଙ୍କର ଏକ ବିଶାଳ ଶୋଭାଯାତ୍ରା ବାହାରେ । ଏହି ଶୋଭାଯାତ୍ରାରେ ପ୍ରାୟ ଏକ କିଲୋମିଟର ଲମ୍ବା ଲାଇନ ଦେଖିବାକୁ ମିଳେ, ଯେଉଁଠି ପ୍ରତ୍ୟେକ ବ୍ୟକ୍ତିଙ୍କ ହାତରେ ବା ବେକରେ ଜୀବନ୍ତ ସାପ ଝୁଲୁଥାଏ । କିଛି ଭକ୍ତ ସାପର ମୁହଁକୁ ନିଜ ମୁହଁରେ ଧରି ଆଶ୍ଚର୍ଯ୍ୟଜନକ କାରନାମା ମଧ୍ୟ ଦେଖାନ୍ତି । ଡ୍ରାମ, ତାସା ଏବଂ ବିଭିନ୍ନ ବାଦ୍ୟଯନ୍ତ୍ରର ତାଳେ ତାଳେ ଏହି ଶୋଭାଯାତ୍ରା ସମଗ୍ର ଅଞ୍ଚଳ ପରିକ୍ରମା କରେ ।
ଆସ୍ଥା ଓ ବିଶ୍ୱାସ
ଏହି ପରମ୍ପରା ପଛରେ ଗଭୀର ଆସ୍ଥା ଓ ବିଶ୍ୱାସ ରହିଛି । ସ୍ଥାନୀୟ ଲୋକଙ୍କ ମତରେ, ଏହା ଶହ ଶହ ବର୍ଷ ପୁରୁଣା ପରମ୍ପରା ଏବଂ ମା' ବିଷହରୀ ସମସ୍ତଙ୍କ ମନସ୍କାମନା ପୂରଣ କରନ୍ତି । ମହିଳାମାନେ ନିଜ ସନ୍ତାନଙ୍କ ମଙ୍ଗଳ ଏବଂ ବଂଶ ବୃଦ୍ଧି କାମନା କରି ନାଗ ଦେବତାଙ୍କର ବିଶେଷ ପୂଜା କରନ୍ତି । ମାନସିକ ପୂରଣ ହେଲେ, ସେମାନେ ନାଗ ଦେବତାଙ୍କୁ ପ୍ରସାଦ ଅର୍ପଣ କରନ୍ତି । ମେଳା ଶେଷ ହେବା ପରେ ଏହି ସମସ୍ତ ସାପଙ୍କୁ ପୁଣି ସୁରକ୍ଷିତ ଭାବେ ଜଙ୍ଗଲରେ ଛାଡ଼ି ଦିଆଯାଏ । ଏହି ମେଳାରେ କେବଳ ସମସ୍ତିପୁର ନୁହେଁ, ବରଂ ପାଖାପାଖି ଜିଲ୍ଲା ଯେପରିକି ଖଗାରିଆ, ସହରସା, ବେଗୁସରାଇ ଏବଂ ମୁଜାଫରପୁରରୁ ମଧ୍ୟ ବହୁ ସଂଖ୍ୟାରେ ଲୋକେ ଯୋଗ ଦିଅନ୍ତି । ସମସ୍ତିପୁରର ଏହି ସର୍ପ ମେଳା ମନୁଷ୍ୟ ଏବଂ ବନ୍ୟଜୀବଙ୍କ ମଧ୍ୟରେ ଥିବା ସମ୍ପର୍କର ଏକ ଅଦ୍ଭୁତ ନିଦର୍ଶନ । ଏହା ଏକ ପଟେ ଯେତିକି ଭୟ ସୃଷ୍ଟି କରେ, ଅନ୍ୟପଟେ ଆସ୍ଥା, ଭକ୍ତି ଏବଂ ପରମ୍ପରାର ଏକ ଜୀବନ୍ତ ଚିତ୍ର ପ୍ରଦାନ କରେ, ଯାହା ବାସ୍ତବରେ ଅବିଶ୍ୱସନୀୟ ।