Palash-Muchal Photograph: (KanakNews)
କନକ ବ୍ୟୁରୋ : ଭାରତୀୟ ମହିଳା କ୍ରିକେଟର୍ ସ୍ମୃତି ମନ୍ଧାନା ଏବଂ ମ୍ୟୁଜିକ୍ ଡାଇରେକ୍ଟର ପଳାଶ ମୁଛଲଙ୍କ ବିବାହ ଭାଙ୍ଗିବାକୁ ଦୁଇ ମାସରୁ ଅଧିକ ସମୟ ବିତିଗଲାଣି ସତ କିନ୍ତୁ ସେହି ରାତିରେ କ’ଣ ଘଟିଥିଲା ତାହା ଏବେ ବି ରହସ୍ୟ ହୋଇ ରହିଛି । ରାତାରାତି ଏମିତି କ’ଣ ହେଲା ଯେ ସକାଳୁ ହେବାକୁ ଥିବା ବିବାହ ଭାଙ୍ଗିଗଲା ଏହାକୁ ନେଇ ପୂରା ଦେଶ କେବଳ ଅନୁମାନ କରୁଛି । ତେବେ ବର୍ତ୍ତମାନ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ସଦ୍ୟ ରିପୋର୍ଟରୁ ଜଣାପଡ଼ିଛି ଯେ ସ୍ମୃତିଙ୍କ ପୁରୁଣା ବନ୍ଧୁ ଏବଂ ପଳାଶଙ୍କ ବିଜନେଶ୍ ପାର୍ଟନର ଥିବା ବିଦ୍ୟାନ ମାନେ ଏହି ରହସ୍ୟରୁ ପରଦା ହଟାଇଛନ୍ତି । ଅଭିନେତା ତଥା ପ୍ରଡ୍ୟୁସର ବିଦ୍ୟାନ କହିଛନ୍ତି ଯେ ଯେତେବେଳେ ପଳାଶଙ୍କୁ ଅନ୍ୟ ମହିଳାଙ୍କ ସହ ବିଛଣାରେ ଶୋଇଥିବା ଦେଖିବାକୁ ମିଳିଥିଲା ସେତେବେଳେ ସେ ସେହି ସ୍ଥାନରେ ହିଁ ଥିଲେ ।
ଆଗକୁ ପଢ଼ନ୍ତୁ : ସ୍ମୃତିଙ୍କୁ ଧୋକା ଦେଉଥିଲେ କି ପଳାଶ ? ଭାଇରାଲ୍ ହେଉଛି ପର୍ସନାଲ୍ ଚାଟ୍
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ୩୪ ବର୍ଷୀୟ ମାନେ କହିଥିଲେ ଯେ ‘ମୁଁ ସ୍ମୃତି-ପଳାଶଙ୍କ ବିବାହ ସମାରୋହରେ ଉପସ୍ଥିତ ଥିଲି । ୨୩ ନଭେମ୍ବର ୨୦୨୫ରେ ଯେତେବେଳେ ସେ ଅନ୍ୟ ଜଣେ ମହିଳାଙ୍କ ସହିତ ବିଛଣାରେ ଧରାପଡ଼ିଥିଲେ ସେ ସମୟର ଦୃଶ୍ୟ ଅତି ଭୟଙ୍କର ଥିଲା । ସ୍ମୃତିଙ୍କ ସାଙ୍ଗ ତଥା ଭାରତୀୟ ମହିଳା କ୍ରିକେଟରମାନେ ପଳାଶଙ୍କୁ ନିର୍ଦ୍ଧୁମ ମାଡ଼ ମାରିଥିଲେ । ପଳାଶଙ୍କ ପୂରା ପରିବାର ହିଁ ଚୋର । ମୁଁ ଭାବିଥିଲି ଦୁହେଁ ବାହା ହୋଇ ସାଙ୍ଗଲିରେ ଥିବା ଫ୍ଲାଟରେ ରହିବେ କିନ୍ତୁ ସବୁ ଓଲଟା ହୋଇଗଲା।’ ବିଦ୍ୟାନ ଗଣମାଧ୍ୟମକୁ କହିଛନ୍ତି ଯେ ସେ ସ୍ମୃତିଙ୍କ ପିଲାଦିନର ବନ୍ଧୁ ଥିଲେ ଏବଂ ତାଙ୍କ ମାଧ୍ୟମରେ ହିଁ ସେ ପଳାଶଙ୍କୁ ଜାଣିଥିଲେ । ତା’ପରେ ସେ ପଳାଶଙ୍କୁ ଏକ ଅପ୍ରକାଶିତ ଚଳଚ୍ଚିତ୍ରରେ ନିବେଶ କରିବା ପାଇଁ କିଛି ଟଙ୍କା ଦେଇଥିଲେ । ବର୍ତ୍ତମାନ ପଳାଶ ତାଙ୍କର ୪୦ ଲକ୍ଷରୁ ଅଧିକ ଟଙ୍କା ଠକେଇ କରି ନେଇ ଯାଇଛନ୍ତି । ଯାହାର ଅଭିଯୋଗ ସେ ମହାରାଷ୍ଟ୍ରର ସାଙ୍ଗଲିରେ କରିଥିଲେ । ବିଦ୍ୟାନ କହିଛନ୍ତି ଯେ ‘‘ଗତ ମାସରେ ଯେତେବେଳେ ମୁଁ ପଳାଶଙ୍କ ମାଆ ଅମିତା ମୁଛଲଙ୍କୁ ଭେଟିଲି ସେ ମୋତେ କହିଲେ ଯେ ଫିଲ୍ମର ରିଲିଜ୍ ବଜେଟ୍ ୧.୫ କୋଟି ଟଙ୍କା ବଢ଼ିଛି । ସେ ମୋତେ ଆଉ ୧୦ ଲକ୍ଷ ଟଙ୍କା ନିବେଶ କରିବାକୁ କହିଥିଲେ ନଚେତ୍ ମୁଁ କୌଣସି ଟଙ୍କା ଫେରି ପାଇବି ନାହିଁ । ସେମାନେ ମୋତେ ବ୍ଲାକମେଲ୍ କରିବା ଆରମ୍ଭ କଲେ ଏବଂ ମୋତେ ଫିଲ୍ମରୁ ବାହାର କରିବାକୁ ଧମକ ଦେଲେ ତେଣୁ ମୁଁ ବାଧ୍ୟ ହୋଇ ଅଭିଯୋଗ କରିବାକୁ ଆସିଲି । ବିବାହ ବାତିଲ ହେବା ପରେ ତାଙ୍କ ପରିବାର ମୋତେ ସବୁ କାମରେ ଅଟକାଇବା ଆରମ୍ଭ କଲେ । ମୁଁ ଜାଣିବାକୁ ପାଇଲି ଯେ ଫିଲ୍ମର ଅନ୍ୟ କଳାକାରମାନେ ମଧ୍ୟ ସେମାନଙ୍କର ପ୍ରାପ୍ୟ ପାଇ ନାହାଁନ୍ତି । ଆଗରୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରଯୋଜକମାନଙ୍କୁ ଠକୁଥିବା ନିର୍ଦ୍ଦେଶକମାନଙ୍କ ବିଷୟରେ ଶୁଣିଥିଲି କିନ୍ତୁ ପଳାଶଙ୍କୁ ସତରେ ଏଭଳି କାମ କରିବାର ଦେଖିଛି । ମୁଁ ମୋର ଚାଟ୍ , ଫୋନ୍ କଲ୍ ସମେତ ସମସ୍ତ ପ୍ରମାଣ ରଖିଛି ଯାହାକୁ ପୁଲିସ ଏବଂ ଗଣମାଧ୍ୟମ ସହିତ ସେୟାର କରିବି ।’’
ତେବେ ଏହାକୁ ନେଇ ଇନଷ୍ଟାଗ୍ରାମ ଷ୍ଟୋରୀରେ ପଳାଶ କହିଛନ୍ତି "ସାଙ୍ଗଲିର ବିଦ୍ୟାନ ମାନେଙ୍କ ଦ୍ୱାରା ସୋସିଆଲ ମିଡିଆରେ କରାଯାଇଥିବା ଅଭିଯୋଗକୁ ଆଖି ଆଗରେ ରଖି ମୁଁ ସ୍ପଷ୍ଟ କରିବାକୁ ଚାହୁଛି ଯେ ମୋ ବିରୁଦ୍ଧରେ ଯେଉଁ ଅଭିଯୋଗ କରାଯାଉଛି ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ ଏବଂ ତଥ୍ୟଗତ ଭାବରେ ଭୁଲ । ମୋ ଇମେଜକୁ ନଷ୍ଟ କରିବା ପାଇଁ ଏଭଳି କରାଯାଉଛି ଏବଂ ଏହାକୁ ଅଣଦେଖା କରାଯିବ ନାହିଁ । ମୋ ଓକିଲ ଶ୍ରେୟାଂଶ ମିଠାରୀ ଏହାର ଉତ୍ତର କୋର୍ଟରେ ଦେବେ ।" ଆପଣଙ୍କୁ ଏଠାରେ କହିରଖୁଛୁ ଯେ ୨୦୨୫ ରେ ସ୍ମୃତି ଏବଂ ପଳାଶଙ୍କ ବିବାହ ହେବାର ଥିଲା । କିନ୍ତୁ ପ୍ରଥମେ ସ୍ମୃତିଙ୍କ ବାପାଙ୍କ ହୃଦଘାତର କାରଣ ଦର୍ଶାଇ ଉଭୟ ପରିବାର ବିବାହ ସ୍ଥଗିତ ରଖିବାର ଘୋଷଣା କରିଥିଲେ । ତା’ପରେ ପଳାଶଙ୍କ ବିଶ୍ୱାସଘାତକତାର କାହାଣୀ ଖୁବ୍ ଶୀଘ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଗଲା । ପରେ ସ୍ମୃତି ତାଙ୍କ ଘର ଛାଡ଼ିବାର ନିଷ୍ପତ୍ତିର ଖବର ସାର୍ବଜନୀନ ଭାବରେ ସେୟାର କରିଥିଲେ ।
Follow Us