କନକ ବ୍ୟୁରୋ : ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଦିଲ୍ଲୀ ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇପାରନ୍ତି । ଗ୍ରେଟର କୈଳାଶ ବିଧାନସଭା ଆସନରୁ ତାଙ୍କ ନାମ ବିଜେପି ପ୍ରାର୍ଥୀ ପାଇଁ ସୁପାରିଶ ଦୃଷ୍ଟିରୁ ଏଭଳି ଆକଳନ କରାଯାଉଛି ।
ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ବିପକ୍ଷରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ବୋଲି ଚାଲିଥିବା ଟାହିଟାପରା ଉତର ଦେବାକୁ ବିଜେପି ଉଚିତ ମଣୁଛି । ଏଥିପାଇଁ କେଜ୍ରିୱାଙ୍କୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଭାବେ ବିଜେପି ସାମ୍ନାକୁ ଆଣିପାରେ । ଦିଲ୍ଲୀ ରାଜନୀତିରେ ସ୍ମୃତି ନୂଆ ନୁହଁନ୍ତି । ୨୦୦୪ ଲୋକସଭା ନିର୍ବାଚନରେ ସ୍ମୃତି ଦିଲ୍ଲୀର ଚାନ୍ଦନୀ ଚୌକ ଆସନରୁ ପ୍ରତିଦ୍ବନ୍ଦିତା କରି ତତକାଳୀନୀ କଂଗ୍ରେସ ପ୍ରାର୍ଥୀ କପିଲ ସିବଲଙ୍କଠାରୁ ହାରିଥିଲେ ।
ବିଜେପି ସ୍ମୃତିଙ୍କୁ ସାମ୍ନାକୁ ଆଣିବାର ପ୍ରଥମ କାରଣ ହେଉଛି ସୌରଭ ଭରଦ୍ବାଜ ଆପର ଲୋକପ୍ରିୟ ନେତା । ତାଙ୍କ ବିପକ୍ଷରେ ବିଜେପିର ଜଣାଶୁଣା ଚେହେରା ହେବେ ସ୍ମୃତି ଇରାନୀ । ନିଜ ବଳିଷ୍ଠ ଭାଷଣ ତଥା ଟାଣୁଆ ବ୍ୟକ୍ତିତ୍ବ ପାଇଁ ସ୍ମୃତି ଇରାନୀ ଚର୍ଚ୍ଚାରେ ରୁହନ୍ତି । ତେଣୁ ଆପର ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଭାବେ ଭଲଭାବରେ ଚ୍ୟାଲେଞ୍ଜ ଦେଇପାରନ୍ତି । ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସାହେବ ସିଂ ବର୍ମାଙ୍କ ପୁଅ ତଥା ପୂର୍ବତନ ସାଂସଦ ପ୍ରଭେଶ ବର୍ମା ଓ ମୁଖ୍ୟମନ୍ତ୍ରୀ ଆତିସୀଙ୍କ ବିରୋଧରେ ପୂର୍ବତନ ସାଂସଦ ରମେଶ ବିଧୁରୀଙ୍କୁ ବିଜେପି ପ୍ରାର୍ଥୀ କରିଛି । ଏବେ ସୌରଭ ଭରଦ୍ବାଜଙ୍କ ବିରୋଧରେ ସ୍ମୃତିଙ୍କୁ ପ୍ରାର୍ଥୀ କରି କୌଣସି ଆପ ନେତାଙ୍କୁ ସହଜରେ ବିଜୟ ହାସଲ କରିବାକୁ ସୁଯୋଗ ଦେବାକୁ ଚାହୁଁନି ବିଜେପି ।