କନକ ବ୍ୟୁରୋ: ଟେଲିଭିଜନ ଇଣ୍ଡଷ୍ଟ୍ରିର ସବୁଠାରୁ ଲୋକପ୍ରିୟ ବୋହୂମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ତୁଳସୀ ବିରାନି ବା ସ୍ମୃତି ଇରାନୀ । ‘କ୍ୟୁଁକି ଶାସ୍ ଭି କଭି ଥି’ ନାମକ ସିରିଏଲ୍ରେ ତୁଳସୀ ନାମକ ଭୂମିକାରେ ଲୋକଙ୍କ ଖୁବ ମନୋରଞ୍ଜନ କରିଥିଲେ ସ୍ମୃତି ଇରାନୀ । ତୁଳସୀଙ୍କୁ ପୁଣିଥରେ ଦର୍ଶକ ଛୋଟ ପରଦାରେ ଦେଖିବା ପାଇଁ ଅନେକ ଦିନରୁ ଅପେକ୍ଷା କରି ରହିଥିବା ବେଳେ ନିକଟରେ ସେ ଏକ ଖୁସି ଖବର ଦେଇଛନ୍ତି । ଖୁବଶୀଘ୍ର ସ୍ମୃତି ଇରାନୀଙ୍କ ସୋ ‘କ୍ୟୁଁକି ଶାସ୍ ଭି କଭି ଥି’ର ଦ୍ୱିତୀୟ ସିଜନ୍ ରିଲିଜ୍ ହେବାକୁ ଯାଉଛି । ଏଥିରେ ସ୍ମୃତିଙ୍କ ଅଭିନୟ ଦେଖିବାକୁ ମିଳିବ । ନିକଟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଅଭିନୟ ଜଗତକୁ ପୁଣି ଫେରିବାକୁ ନିଷ୍ପତ୍ତି ନେଇଛନ୍ତି । ଏଭଳି ନିଷ୍ପତ୍ତି ପଛରେ କାରଣ କ'ଣ ତାହା ବି ପ୍ରକାଶ କରିଛନ୍ତି ।
ସ୍ମୃତି ଇରାନୀ ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ଅଭିନୟ ଜଗତରେ ଖୁବ ଲୋକପ୍ରିୟତା ଅର୍ଜନ କରିଛନ୍ତି । ସେ ଲୋକପ୍ରିୟ ଟିଭି ସୋ’ 'କ୍ୟୁଁକି ଶାସ୍ ଭି କଭି ଥି' ମାଧ୍ୟମରେ ପ୍ରତ୍ୟେକ ଘରେ ନିଜର ଛାପ ଛାଡ଼ି ଯାଇଛନ୍ତି । ନିକଟରେ ଏକ ସାକ୍ଷାତକାରରେ ଯୋଗ ଦେଇ ସ୍ମୃତି ପୁଣିଥରେ ଅଭିନୟକୁ ଫେରିବାର ନିଷ୍ପତ୍ତି ଏବଂ ପରିବର୍ତ୍ତନଶୀଳ ମନୋରଞ୍ଜନ ଶିଳ୍ପ ବିଷୟରେ ଖୋଲାଖୋଲି ଭାବରେ ଆଲୋଚନା କରିଛନ୍ତି ।
ସ୍ମୃତି କହିଛନ୍ତି, ‘ମୁଁ ଯେଉଁ ସୋ’ ଜରିଆରେ ଅଭିନୟ ଜଗତରେ ପ୍ରବେଶ କରିଥିଲି ତାହା ଏହା ଏକ ସୀମିତ ସିରିଜ । ମୁଁ ଉଦୟ ଶଙ୍କର (ଜିଓହଟଷ୍ଟାରର ଉପାଧ୍ୟକ୍ଷ) ଏବଂ ଏକତା କପୁରଙ୍କ ଟିମ୍ ସହିତ କାମ କରିବାକୁ ଚାହୁଥିଲି । ଏକତାଙ୍କ ସୃଜନଶୀଳ ଯାତ୍ରା ଚମତ୍କାର ରହିଛି । ମୁଁ ଦେଖିବାକୁ ଚାହୁଥିଲି ଯେ ସେ ଆଜିର ସମସ୍ୟାଗୁଡ଼ିକୁ କିପରି ଚିତ୍ରଣ କରୁଛନ୍ତି । ମୁଁ ଆଜି ପର୍ଯ୍ୟନ୍ତ ଓଟିଟିରେ କାମ କରିନାହିଁ । ଏବେ ମୁଁ କେବଳ ଜିନିଷଗୁଡ଼ିକୁ ପର୍ଯ୍ୟବେକ୍ଷଣ କରୁଛି ଏବଂ ବୁଝୁଛି । ଏଥିସହିତ ଅଭିନୟ ପାଇଁ ମଧ୍ୟ ଏକ ସୁଯୋଗ ଅଛି, ତେଣୁ ମୁଁ ଏହାକୁ ପୁଣି ଆପଣାଇବାକୁ ନିଷ୍ପତ୍ତି ନେଇଛି । ମୋ ପାଇଁ ପୂର୍ବରୁ ଅଭିନୟ ଓ ରାଜନୀତି ଟଙ୍କାର ଦୁଇଟିପାର୍ଶ୍ୱ ଥିଲା । ଏବେ କିନ୍ତୁ ଅଭିନୟ ଓ ରାଜନୀତି ଉଭୟକୁ ନେଇ ଚାଲିବାକୁ ପଡ଼ିବ ।’