Photograph: (kanak news)
କନକ ବ୍ୟୁରୋ: ପୂର୍ବ ସରକାର ହାଇସ୍କୁଲଗୁଡ଼ିକୁ ୫-ଟିରେ ରୂପାନ୍ତରିତ କରି ଲକ୍ଷଲକ୍ଷ ଟଙ୍କା ବିନିମୟରେ ସୋନ୍ଦର୍ଯ୍ୟୀକରଣ କରିଛନ୍ତି । ରଙ୍ଗବେରଙ୍ଗର ଚିତ୍ରରେ ଚମକୁଛି ସ୍କୁଲ କାନ୍ଥ। ହେଲେ ସୌନ୍ଦର୍ଯ୍ୟୀକରଣ କରି ଭିତ୍ତିଭୂମି ସୁଧାରିବାକୁ ଭୁଲିଯାଇଛନ୍ତି। ଫଳରେ ସ୍କୁଲ ଭିତରେ ସ୍ମାର୍ଟ କ୍ଲାସ ରୁମ୍ ଚାଲିଥିବା ବେଳେ ବାହାରେ ସାଇକେଲ ଷ୍ଟାଣ୍ଡରେ ଚାଲିଛି ପାଠପଢ଼ା ।
ଗୋଟିଏ ପଟେ ଡିଜିଟାଲ୍ କ୍ଲାସ୍ରୁମ୍ ଅନ୍ୟ ପଟେ ସାଇକେଲ୍ ଷ୍ଟାଣ୍ଡ । ଶିକ୍ଷାର ଏ ଭିନ୍ନ ଭିନ୍ନ ଘଟଣା ଗୋଟିଏ ବିଦ୍ୟାଳୟର । ବଲାଙ୍ଗୀର ଜିଲ୍ଲା ଦେଉଗାଁ ବ୍ଲକ କୁରୁଆଝର ସ୍ଥିତ ଶ୍ରୀରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ୩ଟି ଘରେ ବସୁଛନ୍ତି ଛାତ୍ରଛାତ୍ରୀ । ଚତୁର୍ଥ ଓ ପଞ୍ଚମ ଶ୍ରେଣୀ ପାଇଁ ଗୋଟିଏ ବ୍ଲାକ୍ ବୋର୍ଡ ରହିଛି । ସପ୍ତମ ଓ ଅଷ୍ଟମ ଶ୍ରେଣୀ ପିଲା ସାଇକେଲ୍ ଷ୍ଟାଣ୍ଡରେ ବସୁଛନ୍ତି । ଆଉ ନବମ ଓ ଦଶମ ଶ୍ରେଣୀର ୮୫ ଜଣ ଛାତ୍ରଛାତ୍ରୀ ଡିଜିଟାଲ୍ କ୍ଲାସ୍ରୁମ୍ରେ ବସି ପଢ଼ୁଛନ୍ତି । ବେଳେବେଳେ ମଧ୍ୟାହ୍ନ ଭୋଜନ ରୋଷେଇ ଘର ଓ ଅଫିସର ଗୋଟିଏ କୋଣରେ ପଢ଼ିବାକୁ ପଡ଼ୁଛି।
ବିଦ୍ୟାଳୟକୁ ୫-ଟି କାର୍ଯ୍ୟକ୍ରମରେ ପୂର୍ବ ସରକାର ୪୫ ଲକ୍ଷ ଟଙ୍କା ଯୋଗାଇ ଦେଇଥିଲେ । ଲାଇବ୍ରେରି ଓ ବିଜ୍ଞାନାଗାର ଓ ସ୍ମାର୍ଟ କ୍ଲାସରୁମ୍ କରାଗଲା। ହେଲେ ୫ ବର୍ଷ ଧରି ଶ୍ରେଣୀଗୃହ ଅଭାବ ସତ୍ତ୍ବେ ଭିତ୍ତିଭୂମି ପ୍ରତି ଧ୍ୟାନ ଦିଆଯାଉନାହିଁ। ୨୦୨୪ ଜାନୁଆରିରେ ନୂଆଘର ପାଇଁ ୪୦ ଲକ୍ଷ ଟଙ୍କା ବ୍ୟବସ୍ଥା କରି ଭିତ୍ତିପ୍ରସ୍ତର ସ୍ଥାପନ କରାଗଲା। ହେଲେ ଦେଢ଼ ବର୍ଷ ପରେ ବି କାମ ଆରମ୍ଭ ନହେବା ଅସନ୍ତୋଷର କାରଣ ପାଲଟିଛି ।
ଟେଣ୍ଡର କରି ନିର୍ମାଣ କାର୍ଯ୍ୟ କରାଯିବାର ପ୍ରତିଶ୍ରୁତି ମିଳିଥିଲେ ବି ଏହା ଖୁବଶୀଘ୍ର କାର୍ଯ୍ୟକାରୀ କରାଯାଇପାରିଲେ ପିଲାମାନେ ଉପକୃତ ହୋଇପାରିବେ ।
Follow Us