କନକ ବ୍ୟୁରୋ: ମୁଁ ଜିଇଁବି, ମୁଁ ଲଢ଼ିବି, ମୁଁ ପଢ଼ିବି, ମୁଁ ଆଗକୁ ବଢ଼ିବି... କୁନି ଝିଅର କାହାଣୀ ଆପଣଙ୍କ ଆଖିକୁ ଜକାଇଦେବ । ଆପଣଙ୍କୁ ଅସ୍ଥିର ଅଧୈର୍ଯ୍ୟ କରିଦେବ । ହାତରେ କଲମ ଧରି । ଫର୍ଦ୍ଦେ ଧଳା କାଗଜରେ ନିଜ କଷ୍ଟ, ନିଜ ଯନ୍ତ୍ରଣାକୁ ବଖାଣୁଛି କୁନି ଝିଅଟି । ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଉଛି । ମାନ୍ୟବର ମୁଖ୍ୟମନ୍ତ୍ରୀ... ମୋତେ କ୍ୟାନ୍ସର । ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଛି, ମୋତେ ବଂଚାଇ ଦିଅନ୍ତୁ । ମୋ ଘରେ ଭାରି ଅସୁବିଧା । ଏମିତି କିଛି ଛାତିଥରା ଚିଠି ଲେଖିଛନ୍ତି କେନ୍ଦ୍ରାପଡ଼ା ଡେରାବିଶ ବ୍ଲକ ନହଂଗ ପଞ୍ଚାୟତର ଦଶମ ଶ୍ରେଣୀ ଛାତ୍ରୀ ଚିନ୍ମୟୀ ।
ଜୀବନ ମୃତ୍ୟୁ ଦୋଛକିରେ ଚିନ୍ମୟୀ । ହେଲେ ଧୈର୍ଯ୍ୟହରା ହୋଇନାହାନ୍ତି । ବାପା ଏକ ଘରୋଇ ଠିକା ସଂସ୍ଥାରେ କାମ କରନ୍ତି। ସ୍ବାସ୍ଥ୍ୟ ବୀମା କାର୍ଡରେ ଥିବା ଟଙ୍କା ସରିଗଲାଣି । ଏବେ ଟଙ୍କା ଆସିବ କେଉଁଠୁ ? ନିଜ ଛୁଆର ଏ ଅବସ୍ଥା ଦେଖି କୋଉ ମା’ର ବା ଧୈର୍ଯ୍ୟ ରହିବ ବା। ଭାଙ୍ଗି ପଡ଼ିଛନ୍ତି ମା’ । ଆଖିରୁ ଲୁହ ଶୁଖୁନି । କୋଉଠୁ ଟଙ୍କା ଆଣିବେ, କେମିତି ଝିଅର ଚିକିତ୍ସା ହେବ... କିଛି ବାଟ ଦିଶୁନି । ମୁଖ୍ୟମନ୍ତ୍ରୀ ହିଁ ଶେଷ ଆଶା, ଭରସା...
ଅସହାୟ ଏହି ଛାତ୍ରୀ ଚିନ୍ମୟୀଙ୍କୁ ସହଯୋଗ ମିଳିଲେ ପରିବାର ଦୁଃଖ କଷ୍ଟରୁ ବଞ୍ଚିବା ସହ ଚିନ୍ମୟୀଙ୍କୁ ଏକ ନୂଆ ଜୀବନ ମିଳିପାରିବ । ....