କନକ ବ୍ୟୁରୋ: କଟକରେ ଧୀରେଧୀରେ ଶାନ୍ତି ପେରୁଛି । ତଥାପି ଦୋକାନ ବଜାର, ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଛି । ପେଟ୍ରୋଲ ଟାଙ୍କି ବି ବନ୍ଦ ଅଛି । ସାହି ସାହିରେ ପୁଲିସ ପଇଁତରା ମାରୁଛି । ସ୍ପର୍ଶକାତର ସ୍ଥାନରେ ପୁଲିସ ଛାଉଣୀ ହୋଇଛି । ଘରୁ କେହି ବାହାରୁନାହାନ୍ତି । ଆଉ ଯେଉଁମାନେ ଘରୁ ବାହାରୁଛନ୍ତି ସେମାନଙ୍କୁ ପ୍ରଶ୍ନବାଣର ସମ୍ମୁଖୀନ ହେବାକୁ ପଡୁଛି  । 
 
ସିସିଟିଭିରୁ ଚିହ୍ନଟ ହୋଇଛନ୍ତି ବିଶୃଙ୍ଖଳାକାରୀ 
କଟକକୁ ଜଗିଛନ୍ତି ୬୦ ଫ୍ଲାଟୁନ ଫୋର୍ସ

Advertisment

୧୩ ଥାନା ଅଞ୍ଚଳରେ କର୍ଫ୍ୟୁ ବଳବତ୍ତର ରହିଛି । ଇଣ୍ଟରନେଟ୍‌ ସେବା ବି ବନ୍ଦ ରହିଛି ।  ସୁରକ୍ଷା ବଳୟରେ ପୁରା ସିଲ୍‌ଭର୍‌ ସିଟି । କଟକରେ ୬୦ ଫ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି । ୬ କମ୍ପାନି କେନ୍ଦ୍ରୀୟ ସୁରକ୍ଷାବଳ ବି କଟକକୁ ଜଗିଛନ୍ତି ।  ସହରରେ ଚେକିଂ, ବ୍ଲକିଂ ଓ ପାଟ୍ରୋଲିଂକୁ ଜୋରଦାର କରାଯାଇଛି । ଯେଉଁ ସ୍ଥାନରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା ସେଠାରେ ରାୟଟ୍ କଂଟ୍ରୋଲ ଭେହିକିଲ  ଚକ୍କର କାଟୁଛି । ଘଟଣାରେ ୩ ମାମଲା ରୁଜୁ ହେବା ସହ ୮ ଜଣଙ୍କୁ ଗିରଫ କରାଯାଇଛି । ଗିରଫଙ୍କ ନାଁରେ ସଙ୍ଗୀନ ଦଫା ଲଗାଯାଇଛି ।  

କଟକ ସ୍ଥିତି ସ୍ବାଭାବିକ ହେଉଥିବାବେଳେ ରାଜନୀତି ଆରମ୍ଭ ହେଲାଣି ।  କଟକ ଘଟଣାରେ ଗୁଇନ୍ଦା ଫେଲ ବୋଲି ଅଭିଯୋଗ ଆଣିଛନ୍ତି ବିଧାୟିକା ସୋଫିଆ ଫିର୍ଦ୍ଦୋସ । କଟକ  ସାଂସଦ ଭର୍ତ୍ତୃହରି ମହତାବ ବଡ଼ ବୟାନ ଦେଇଛନ୍ତି । କହିଛନ୍ତି, ଆଗୁଆ ସୂଚନା ଦେଇଥିଲି । କିଛି ଲୋକ ବିଶୃଙ୍ଖଳା ପାଇଁ ଉସୁକାଇଥିଲେ । ଗତକାଲି ରାତି ୧୦ରୁ କଟକର ୧୩ ଥାନା ଅଂଚଳରେ ୩୬ ଘଣ୍ଟା ପାଇଁ କର୍ଫ୍ୟୁ ଜାରି ହୋଇଛି । ଶାନ୍ତି ପାଇଁ ସମସ୍ତେ ଅପିଲ କରିଛନ୍ତି ।  ଗୁଜବଠାରୁ ଦୂରେଇ ରହିବାକୁ ପୁଲିସ ଅପିଲ କରିଛି । 

ସେପଟେ କଟକ ଗଣ୍ଡଗୋଳକୁ ନେଇ ଆଇନ ମନ୍ତ୍ରୀ ପ୍ରତିକ୍ରିୟା ଦେଇଛନ୍ତି । କହିଲେ ଉଦବେଗଜନକ ସ୍ଥିତିରୁ ଧୀରେଧୀରେ ସ୍ୱାଭାବିକ ହେଉଛି ପରିସ୍ଥିତି । ପୁଲିସ ପ୍ରଶାସନ ଯଥା ଯୋଗ୍ୟ ପଦକ୍ଷେପ ନେବା କଥା ନେଇଛି । ମୁଖ୍ୟମନ୍ତ୍ରୀ ମଧ୍ୟ ଶାନ୍ତି ପାଇଁ ଅପିଲ କରିଛନ୍ତି । ସରକାରଙ୍କ ତରଫରୁ ଅନୁରୋଧ କରାଯାଉଛି । ଏଭଳି କିଛି ଘଟଣା ନଘଟୁ ଯାହାଦ୍ୱାରା ଓଡ଼ିଶା କିମ୍ବା କଟକର ସମ୍ମାନରେ ଆଞ୍ଚ ଆସିବ । ସମସ୍ତେ ଶାନ୍ତି ଶୃଙ୍ଖଳା ବଜାୟ ରଖନ୍ତୁ । ଯେଉଁମାନେ ସମ୍ପୃକ୍ତ ସେମାନଙ୍କ ବିରୋଧରେ ସରକାର ସଜାଗ ଅଛନ୍ତି । କଠୋର ଶାସ୍ତି ବିଧାନ ହେବ ।