କନକ ବ୍ୟୁରୋ: ଆମେ ସମସ୍ତେ ଏବେ କିଛି କରୁଛନ୍ତି କି ନାହିଁ ହେଲ୍‌ଥ ଇନସ୍ୟୁରାନ୍ସ ପ୍ରଥମେ କରୁଛନ୍ତି । କାରଣ ବର୍ତ୍ତମାନ ସମୟରେ ହଠାତ୍‌ ଯେଉଁପରି ଭାବରେ ରୋଗ ହେଉଛି ତାହାର ପୂର୍ବାନୁମାନ କେହି କଳ୍ପନା ବି କରିପାରୁନାହାନ୍ତି । କେବଳ ରୋଗ କାହିଁକି ବରଂ ଆକସ୍ମିକ ଦୁର୍ଘଟଣାର ଶିକାର ହୋଇ ଶହଶହ ଲୋକ ମେଡ଼ିକାଲ ପଡ଼ି ଛଟପଟ ହେଉଛନ୍ତି । କାହା ପାଖରେ ଟଙ୍କା ନଥିବାରୁ ମେଡ଼ିକାଲରେ ପଡ଼ି ଛଟପଟ ହେଉଛି ତ ଆଉ କିଏ ସାମାନ୍ୟ ଭୁଲ ପାଇଁ ବୀମା କରିବା ପରେ ଟଙ୍କା ବି ପାଉନି । ଗୁରୁତ୍ବପୂର୍ଣ୍ଣ କଥା ହେଲା, ପୂର୍ବବର୍ଷ ପାଖାପାଖି ୨୬ ହଜାର କୋଟି ଟଙ୍କାର ବୀମା ପ୍ରତ୍ୟାଖ୍ୟାନ ହୋଇଯାଇଛି । କୁହାଯାଉଛି ସାମାନ୍ୟତମ ଭୁଲ ଲାଗି ସେମାନେ ନିଜର ବୀମା ଟଙ୍କା ପାଇନାହାନ୍ତି । ଆସନ୍ତୁ ଜାଣିବା କାହିଁକି ବୀମା  କରିଥିବା ପରେ ମିଳୁନି ଟଙ୍କା, ଏଥିରେ ଭୁଲ ରହୁଛି କାହାର ?

Advertisment

୨୨-୨୩ ଅପେକ୍ଷା ୨୪ରେ ରିଜେକ୍ଟ ସଂଖ୍ୟା ଅଧିକ
ନିୟମ ନମାନିଲେ ହଇରାଣ ହେବେ ଆପଣ

IRDAI ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ୨୨-୨୩ ଆର୍ଥିକ ବର୍ଷରେ ଯେତିକି ସଂଖ୍ୟାରେ ବୀମା ରିଜେକ୍ଟ ହୋଇଥିଲା ୨୩-୨୪ ରେ ରିଜେକ୍ଟ ସଂଖ୍ୟା ତାହାଠାରୁ ଢେର ଅଧିକ । ପାଖାପାଖି ୧୯.୧୦ ପ୍ରତିଶତ ରିଜେକ୍ଟ ହୋଇଥିଲା ହେଲ୍‌ଥ ଇନସ୍ୟୁରାନ୍ସ । ତେବେ ଆସନ୍ତୁ ଜାଣିବା କାହିଁକି ରିଜେକ୍ଟ ହେଉଛି ବୀମା ଟଙ୍କା । 


ୱେଟିଂ ଟାଇମ୍‌ରେ ଇନସ୍ୟୁରାନ୍ସ କ୍ଲେମ୍‌ କରିବା

ବୀମା କରିବା ବେଳେ ଆମେ କେବଳ ଗୋଟିଏ କଥା ଚିନ୍ତା କରନ୍ତି କେମିତି ଟଙ୍କା ପାଇବା । କିନ୍ତୁ ସେଥିରେ ଯେ ଅନେକ ନିୟମ ରହିଛି ସେନେଇ ଆମେ ଧ୍ୟାନ ଦିଅନ୍ତି ନାହିଁ । ଯଦି ଆପଣ ୱେଟିଂ ଟାଇମ୍‌ରେ ବୀମା ଆବେଦନ କରୁଛନ୍ତି ତାହାଲେ ବୀମାର ସୁବିଧା ଆପଣ ନପାଇପାରନ୍ତି । 

ପୂର୍ବ ରୋଗ ସମ୍ପର୍କରେ ସୂଚନା ନଦେବା

ଆମେ ଯେବେ ହେଲ୍‌ଥ ଇନସ୍ୟୁରାନ୍ସ କରନ୍ତି, ସେବେ କମ୍ପାନୀ ଆପଣ କେତେ ସୁସ୍ଥ ଅଛନ୍ତି ସେନେଇ ପ୍ରଶ୍ନ କରନ୍ତି । ଅର୍ଥାତ୍‌ ପୂର୍ବରୁ ଆପଣ କେଉଁ ରୋଗରେ ପଡ଼ିଥିଲେ, କେଉଁ ରୋଗ ଅଛି ଇତ୍ୟାଦି । କାରଣ ଥରେ ରୋଗ ହେବା ପରେ ବୀମା କରିବାରେ ପ୍ରତିବନ୍ଧକ ଲାଗିଥାଏ । ଯଦି ଆପଣ ବୀମା କରିବା ବେଳେ, ରୋଗ ସମ୍ପର୍କରେ ଭୁଲ ସୂଚନା ଦେଇଥାଆନ୍ତି କିମ୍ୱା ରୋଗ ଲୁଚାଇଥାଆନ୍ତି ତାହାଲେ ବୀମା କମ୍ପାନୀ ଆପଣଙ୍କ ଆବେଦନକୁ ରିଜେକ୍ଟ କରିଦେଇପାରେ ।

ଠିକ୍‌ ସମୟରେ ବୀମା ଟଙ୍କା ନଦେବା

ବୀମା କରିବା ପରେ ଉଚିତ୍‌ ସମୟରେ ବୀମାରାଶି ଦେବାକୁ ପଡ଼େ । ବେଳେ ବେଳେ ଟଙ୍କାର ଅଭାବ କାରଣରୁ ଆମେ ପ୍ରିମିୟମ୍‌ ଠିକ୍‌ରେ ଦେଇପାରନ୍ତି ନାହିଁ । ଏମିତି ସମୟରେ ମେଡ଼ିକାଲରେ ପଡ଼ିଥିବା ପରେ ବି ଆପଣଙ୍କୁ ବୀମା ଟଙ୍କା ସାହାଯ୍ୟ ନକରିପାରେ । 

ପ୍ରିମିୟମ୍‌ଠୁ ଅଧିକ ଟଙ୍କା ମାଗିଲେ

ଦୁର୍ଘଟଣା ହେଉ କିମ୍ୱା କୌଣସି ବଡ଼ ରୋଗ ହେଉ…କେତେ ଟଙ୍କା ଖର୍ଚ୍ଚ ହେବ ସେନେଇ ଚିକିତ୍ସା କରୁଥିବା ଡାକ୍ତର ବି ଠିକ୍‌ରେ କହିପାରନ୍ତି ନାହିଁ । ଉଦାହରଣ ସ୍ବରୂପ ଆପଣ ୧୦ ଲକ୍ଷ ଟଙ୍କାର ବୀମା କରିଛନ୍ତି କିନ୍ତୁ ଡାକ୍ତର କହୁଛନ୍ତି ଚିକିତ୍ସା ଲାଗି ୧୫ ଲକ୍ଷ ଟଙ୍କା ଦରକାର । ସେମିତି ସ୍ଥିତିରେ ଆପଣ ଯଦି ୧୫ ଲକ୍ଷ ପାଇଁ ବୀମା ଆବେଦନ କରିବେ ତାହାଲେ ମଧ୍ୟ ଆପଣଙ୍କ ଆବେଦନ ଅଗ୍ରାହ୍ୟ ହୋଇଯିବ । 

ମୋଟ୍‌ ଉପରେ ଆମେ ନିଜର ସୁବିଧା ଲାଗି ବୀମାରାଶି କରନ୍ତି । ହେଲେ ନିଜର ସାମାନ୍ୟ ଭୁଲ ଲାଗି ସେହି ଟଙ୍କା ପାଇବାରୁ ବଂଚିତ ହୁଅନ୍ତି । ତେଣୁ ଆପଣ ବି ଯଦି ଏମିତି ଭୁଲ କରୁଛନ୍ତି ତାହାଲେ ସାବଧାନ ହୋଇଯାଆନ୍ତୁ, ନଚେତ୍‌ ଆପଣଙ୍କର ବି ଅଗ୍ରାହ୍ୟ ହୋଇପାରେ ବୀମାରାଶି ।