କନକ ବ୍ୟୁରୋ: ଲଗାଣ ବର୍ଷାରେ ବେହାଲ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ । ଆସାମ, ମଣିପୁର, ସିକ୍କିମର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ବନ୍ୟା ଓ ଭୁସ୍ଖଳନ ସ୍ଥିତି । ରାସ୍ତାଘାଟ, ଘରଦ୍ବାର ଚାରିଆଡ଼େ ପାଣି ହିଁ ପାଣି । ଏଭଳି ସ୍ଥିତିରେ ବିଭିନ୍ନ ରାଜ୍ୟରେ ମୋଟ ୧୯ ଜଣଙ୍କର ମୃତ୍ୟୁ ଘଟିସାରିଲାଣି । ପାଣି ଘେରରେ ରହିଥିବା ଲୋକଙ୍କୁ ଏନଡିଆରଏଫ୍, ଏସଡିଆରଏଫ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପରିବହନ ବ୍ୟବସ୍ଥା ପ୍ରଭାବିତ ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି ।
ସମୟ ପୂର୍ବରୁ ମୌସୁମୀ ଦେଶରେ ପହଞ୍ଚିଛି । ଏହାର ପ୍ରଭାବରେ ସାରା ଦେଶରେ ବର୍ଷା ସାଙ୍ଗକୁ କିଛି ରାଜ୍ୟରେ ପ୍ରବଳ ବର୍ଷା ହେଉଛି । ଫଳରେ ସ୍ଥିତି ଅସମ୍ଭାଳ ହୋଇଛି । ବିଶେଷ କରି ଉତ୍ତର ଭାରତର ଏକାଧିକ ସ୍ଥାନରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଥିବାବେଳେ ଭୂସ୍ଖଳନ ହୋଇଥିବା ସୂଚନା ରହିଛି । ବିଭିନ୍ନ ନଦୀର ଜଳସ୍ତର ଉଛୁଳୁଛି । ଉତ୍ତର ଭାରତରେ ବିଭିନ୍ନ ରାଜ୍ୟରେ ପାଣି ଘେରରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଉଛି ।