କନକ ବ୍ୟୁରୋ : କଟକରେ ବ୍ରିଜ୍ କାମ ବେଳେ କେମିତି ଖସିପଡ଼ିଲା କ୍ରେନ୍ ? ଅସୁରକ୍ଷିତ ଭାବେ ଚାଲିଥିଲା କି କାମ ? ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଘଟଣା ସ୍ଥଳରେ ପହଞ୍ଚିଛନ୍ତି ତଦନ୍ତକାରୀ ଟିମ୍ । ଉପ ଜିଲ୍ଲାପାଳଙ୍କ ନେତୃତ୍ୱରେ ଆସିଛି ଏହି ଟିମ୍ । ଟିମ୍ରେ ଶ୍ରମ ଅଧିକାରୀ ଓ ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ସାମିଲ ଅଛନ୍ତି । ଘଟଣା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଛନ୍ତି ଅଧିକାରୀ । ଗତକାଲି ସନ୍ଧ୍ୟାରେ କଟକ ଖାନନଗରରେ ବ୍ରିଜ୍ କାମ ଚାଲିଥିବା ବେଳେ ଯାଇଛି ୩ ଜଣଙ୍କର ଜୀବନ । କାମ ଚାଲିଥିବା ବେଳେ ସ୍ଲାବ ଖସିପଡିବାରୁ ୩ ଜଣଙ୍କ ମୃତ୍ୟୁ ହୋଇଛି,୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଗୁରୁତରଙ୍କ ଚିକିତ୍ସା କଟକ ଏସସିବିରେ ଚାଲିଛି । ଖାନନଗରରେ କାଠଯୋଡ଼ି ବ୍ରିଜ୍ କାମ ଚାଲିଥିବା ବେଳେ ଏଭଳି ଅଘଟଣ ଘଟିଛି । ମୃତକ ହେଉଛନ୍ତି ସାଇଟ୍ ଇଂଜିନିୟର ସୌମ୍ୟରଂଜନ ମଲ୍ଲିକ, ଶିବଶଙ୍କର ପଟ୍ଟନାୟକ ଓ ସୁବାସ ଚନ୍ଦ୍ର ଭକ୍ତ । ସେହିପରି ୨ ଆହତ ହେଉଛନ୍ତି ଅରୁଣ ବାରିକ ଏବଂ ବିକଳ ଜେନା । ଏସସିବିରେ ଆହତଙ୍କୁ ଭେଟିଛନ୍ତି ପୂର୍ତ୍ତମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।
କ୍ରେନ୍ ଅପରେଟର ଅରୁଣ ବାରିକଙ୍କ ପ୍ରତିକ୍ରିୟା,କ୍ରେନ ପିନ୍ ଭାଙ୍ଗି ଯିବାରୁ ଏଭଳି ଅଘଟଣ ଘଟିଲା, ପାଖରେ ଆହତଙ୍କୁ ନେବା ପାଇଁ ଆମ୍ବୁଲାନ୍ସ ନଥିଲା । ଆହତ ଅବସ୍ଥାରେ ସ୍କୁଟିରେ ନିଆଯାଇଥିଲା ବୋଲି କହିଛନ୍ତି ଆହତ କ୍ରେନ ଅପରେଟର । ଏବେ ଯାଏଁ ଠିକା ସଂସ୍ଥା ପକ୍ଷରୁ କୌଣସି ଅଧିକାରୀ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିନଥିବା ସେ କହିଛନ୍ତି ।