କନକ ବ୍ୟୁରୋ : ହଠାତ୍ ବଢ଼ିଛି ପରିବା ଦର । ଗୋଟିଏ ପଟେ ବାତ୍ୟା ଓ ଅନ୍ୟପଟେ ଦୁଇ ଦିନ କଟକ ଛତ୍ରବଜାର ବନ୍ଦ ପାଇଁ ବଢ଼ିଛି ପନିପରିବା ଦର । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାହକ । ଚାଲିଛି ଧର୍ମ ମାସ କାର୍ତ୍ତିକ । ଘରେ ପଶୁନି ଆମିଷ । ଏପରି ସ୍ଥିତିରେ ଖାଉଟିଙ୍କୁ କନ୍ଦାଉଛି ପରିବା ଦର । କାର୍ତ୍ତିକରେ ଅହେତୁକ ଦରବୃଦ୍ଧି ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।

Advertisment

କଟକ ଛତ୍ର ବଜାରରେ ଆକାଶଛୁଆଁ ପରିବା ଦର । ଦୁଇ ଦିନିଆ ଛତ୍ରବଜାର ବନ୍ଦ ଡାକରାକୁ ନେଇ ପରିବା ଦର ହଠାତ୍ ବଢ଼ିଯାଇଛି । ଗୋଟିଏ ପଟେ ବାତ୍ୟା, ଅନ୍ୟପଟେ ଦୁଇ ଦିନ ପାଇଁ ଛତ୍ର ବଜାର ବନ୍ଦ ରହୁଥିବାରୁ ଲୋକେ ଅଧିକ ପରିବାପତ୍ର କିଣି ନେଉଛନ୍ତି । ଫଳରେ ଦର ଅହେତୁକ ଭାବେ ବଢ଼ିଯାଇଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାହକ ।

ବିଭିନ୍ନ ଦାବି ନେଇ ଦୁଇ ଦିନିଆ ଛତ୍ର ବଜାର ବନ୍ଦ ଡାକରା ଦେଇଛି ଛତ୍ରବଜାର ବ୍ୟବୟାସୀ ସଂଘ । ଫଳରେ ମଙ୍ଗଳବାର ଓ ବୁଧବାର ବନ୍ଦ ରହିବ ହାଟ । ଅର୍ବାନ ହାଟ ଟେଣ୍ଡର ପ୍ରକ୍ରିୟାକୁ ବ୍ୟବସାୟୀ ସଂଘ ବିରୋଧ‌ କରୁଛି । ସେହିପରି ଛତ୍ର ବଜାରକୁ ସିଏମ୍‌ସି ଅଣଦେଖା କରୁଥିବା ଅଭିଯୋଗ ହୋଇଛି । ସରକାର ଦାବି ନଶୁଣିଲେ ଆଗକୁ ତୀବ୍ର ଆନ୍ଦୋଳନ ପାଇଁ ବ୍ୟବସାୟୀ ସଂଘ ଚେତାବନୀ ଦେଇଛି ।

ପ୍ରତ୍ୟେକ ଦିନ ଶହ ଶହ ଲୋକେ ଛତ୍ରବଜାରରୁ ପରିବାପତ୍ର କିଣିଥାନ୍ତି । ବହୁତ ଛୋଟ ଛୋଟ ଦୋକାନୀମନେ ମଧ୍ୟ ଏଠାରୁ ପରିବା ନେଇ ବିକ୍ରି କରିଥାନ୍ତି । ଛତ୍ରବଜାର ବନ୍ଦ ଯୋଗୁଁ କଟକ ସହର ଉପରେ ଏହାର ବଡ ପ୍ରଭାବ ପଡିବ ବୋଲି ଆଶଙ୍କା କରାଯାଉଛି ।