କନକବ୍ୟୁରୋ : ପୁଣି ସୁବର୍ଣ୍ଣରେଖା ନଦୀରେ ବନ୍ୟା। ରାଜଘାଟରେ ବିପଦ ସଙ୍କେତ ଟପିଲା ବନ୍ୟାଜଳ । ରାଜଘାଟଠାରେ ବିପଦ ସଂକେତ ୧୦ ଦଶମିକ ୩୬ ମିଟର ରହିଥିବା  ବେଳେ ସକାଳ ୯ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୧୦ ଦଶମିକ ୭୪ ମିଟରରେ ପ୍ରବାହିତ ହେଉଛି । ସୁବର୍ଣ୍ଣରେଖା ନଦୀରେ ଚଳିତ ବର୍ଷ ଆସିଛି ଷଷ୍ଠ ବନ୍ୟା  ।  

Advertisment

ଝାଡ଼ଖଣ୍ଡର ଗାଲୁଡିହ ବ୍ୟାରେଜରୁ ୫ ହଜାର କ୍ୟୁସେକ ପାଣି ଛଡାଯାଇଥିବାରୁ ନଦୀର ଜଳସ୍ତର ବୃଦ୍ଧି ପାଇଛି । ଲଘୁଚାପ ପ୍ରଭାବରେ ଝାଡ଼ଖଣ୍ଡ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି। ଫଳରେ ନଦୀର ଗାଲୁଡିହ ବ୍ୟାରେଜରୁ ପାଣି ଛଡା ଯାଇଛି  ।  ଆଜି ସନ୍ଧ୍ୟା ସୁଦ୍ଧା ରାଜଘାଟ ନିକଟରେ ବନ୍ୟା ଜଳ ଅତିକ୍ରମ କରିବ ବୋଲି ଅନୁମାନ କରାଯାଇଛି । ତେଣୁ ବାଲିଆପାଳ ଓ ଭୋଗରାଇ ଅଞ୍ଚଳରେ ବନ୍ୟା ହେବ ବୋଲି ଆଶଙ୍କା କରାଯାଉଛି ।  

ସେପଟେ ବଢୁଛି ବୈତରଣୀ  ।   ଆଖୁଆ ପଦା ନିକଟରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ବୈତରଣୀ  ।  ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ବିପଦ ସଂକେତ ଉପରେ ବନ୍ୟା ପାଣି ପ୍ରବାହିତ ହେଉଛି  ।  ଏଠାରେ ବିପଦ ସଂକେତ ୧୮ ଦଶମିକ ୩୩ ମିଟର ଥିବା ବେଳେ ୧୮ ଦଶମିକ ୫୪ ମିଟର ଉପରେ ପ୍ରଭାବିତ ହେଉଛି ବନ୍ୟା ପାଣି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ କରାଯାଇ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।

ଲଗାଣ ବର୍ଷାରେ ବେହାଲ କେନ୍ଦୁଝର। ତେଲକୋଇ, ବାଂଶପାଳ, ହରିଚନ୍ଦନପୁର ଅଞ୍ଚଳରେ ଅନେକ ନାଳ  ଉପରେ ଚାଲିଛି ପାଣି। ଫଳରେ ଅନେକ ଗାଁକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଅନେକ ଘର ଭାଙ୍ଗି ଯାଇଛି। ଏହି ତିନୋଟି ବ୍ଲକରେ ବିଭିନ୍ନ ଦୁର୍ଗମ ଅଞ୍ଚଳ ବନ୍ୟା ଜଳ ପାଇଁ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି। ହରିଚନ୍ଦନପୁର, ଧୋରଠ ଗାଁର କୁରେଇଁଯୋଡି ପୋଲ ଉପରେ ୪ ଫୁଟରୁ ଉଚ୍ଚର ପାଣି ଚାଲୁଥିବା ବେଳେ ଲୋକଙ୍କ ଜୀବନ ଯାତ୍ରା ଠପ ହୋଇଯାଇଛି ।  

ସେହିପରି ଖଣ୍ଡାଧୂଆଁ ନାଳରେ ବନ୍ୟା ଯୋଗୁ ଭଗାମୁଣ୍ଡା ପ୍ରାଥମିକ ବିଦ୍ୟାଳୟରେ ପାଣି ପଶି ବନ୍ୟାର ଭ୍ରମ ସୃଷ୍ଟି କରିଛି। ବାଂଶପାଳରେ ମଧ୍ୟ ସମାନ ସ୍ଥିତି ଦେଖାଯାଇଛି। ପ୍ରବଳ ବର୍ଷା ଯୋଗୁ ଅଁରା, କାଞ୍ଜିପାଣି, ରାହିଡିହା ଅଞ୍ଚଳରେ ଥିବା ଅଧିକାଂଶ ପୋଲ ଉପରେ ତିନି ଚାରି ଫୁଟରୁ ଅଧିକ ପାଣି ଚାଲୁଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।  

ସବୁଠାରୁ ସଂଗୀନ ଅବସ୍ଥା ହେଉଛି ତେଲକୋଇ ବ୍ଲକର ସ୍ଥିତି ।  ସମାକୋଇ ନଦୀରେ ପ୍ରଖର ବନ୍ୟା ଜଳ ପ୍ରବାହିତ ଯୋଗୁ ଅଧିକାଂଶ ନାଳ ଘୁରୁଡିହା, ହନୁମନ୍ତିଆ, ଶଙ୍କରପୁର, ପିଟାନାଳି ଆଦି ନାଳରେ ଚାରି ଫୁଟରୁ ଉଚ୍ଚ ପାଣି ଚାଲୁଥିବାରୁ ଏହି ଅଞ୍ଚଳରୁ ଢେଙ୍କାନାଳ, ତାଳଚେର ଅନଗୁଳ ଆଦି ସ୍ଥାନକୁ ଯୋଗାଯୋଗ ବିଛିନ୍ନ ହୋଇପଡିଛି । ପ୍ରବଳ ବର୍ଷା ଯୋଗୁ ଏହି ତିନୋଟି ବ୍ଲକରେ ୫୦ରୁ ଉର୍ଦ୍ଧ ଘର ଭାଙ୍ଗି ଯାଇଥିବାରୁ ବହୁ ଲୋକ ବେସାହାରା ହୋଇଯାଇଛନ୍ତି । 

ପାଣିରେ ବୁଡିଲା ରାଉଲକେଲା ସହର। ରାଉରକେଲା ସହରର ବାଲୁଘାଟ ବସ୍ତି, ନ୍ୟୁ ବସ୍ତି ଓ ସର୍ଦ୍ଦାର ବସ୍ତିରେ ପାଣି  ପଶିଛି । ତୁରନ୍ତ ବସ୍ତି ଖାଲି କରିବାକୁ ରାଉଲକେଲା ମହାନଗର ନିଗମ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।  ବିପନ୍ନ ମାନଙ୍କୁ ବ୍ରାହ୍ମଣୀ ନଗର ପ୍ରାଇମେରୀ ସ୍କୁଲ ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତର କରାଯାଇଛି । ଲୋକଙ୍କୁ ଶୁଖିଲା ସହ ରନ୍ଧା ଖାଦ୍ୟ ଯୋଗାଇ ଦେବାକୁ ବ୍ୟବସ୍ଥା କରୁଛି ମହାନଗର ନିଗମ । 

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସାନକିରାସିରା ଗାଁର ଜଣେ ଯୁବକ ବନ୍ୟା ପାଣିରେ ଭାସି ଯାଉଥିବା ବେଳେ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ। ଗାଁର କିଛି ଯୁବକ ସୁରୁବାଲି ଜୋରକୁ ଗାଧୋଇବା ପାଇଁ ଯାଇଥିଲେ। ଏହି ସମୟରେ ପାଣି ସ୍ରୋତ ହଠାତ୍ ବଢ଼ି ଯାଇଥିବାବେଳେ ଆଦର୍ଶ ପଧାନ ନାମକ ଜଣେ ଯୁବକ ଆଉ ପାଣି ଭିତରୁ ବାହାରକୁ ଆସି ପାରିନଥିଲେ। ବନ୍ୟା ପାଣି ଭିତରେ ଏକ ଛୋଟ ଗଛର ସାହାରାରେ ଅଟକି ରହିଥିଲେ। ଗାଁ

 ଲୋକେ ବୀରମହାରାଜପୁର ଅଗ୍ନିଶମ କର୍ମଚାରୀଙ୍କୁ ଖବର ଦେଇଥିଲେ। ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପାଣିର ପ୍ରଖରଶ୍ରୋତରୁ ବହୁ ପରିଶ୍ରମରେ ତାଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ। ଘଟଣାସ୍ଥଳରେ ସୁବଳୟା ଥାନା କର୍ମଚାରୀ ମଧ୍ୟ ଉପସ୍ଥିତ ଥିଲେ। 

ରାଜ୍ୟରେ ବିଭିନ୍ନ ସ୍ଥାନରେ ଜାରି ରହିଛି ଲଘୁଚାପ ଜନିତ ବର୍ଷା । ଗତକାଲି ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ବର୍ଷା ଜାରି ରହିଥିବା   ବେଳେ ଆସନ୍ତାକାଲି ଆଉ ଏକ ଲଘୁଚାପ ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।  ଦୁଇ ଦୁଇଟି ଲଘୁଚାପ ପ୍ରଭାବରେ ୨୭ ତାରିଖ ଯାଏ ପ୍ରବଳ ବର୍ଷା ଲାଗି ରହିବ। ଉତ୍ତର ଓଡିଶା ଓ ତତସଂଲଗ୍ନ ଗାଙ୍ଗେଟିକ ୱେଷ୍ଟବେଙ୍ଗଲ ଉପରେ ସକ୍ରିୟ ଥିବା ଘୁର୍ଣ୍ଣିବଳୟ ପ୍ରଭାବରେ ଗାଙ୍ଗେଟିକ ୱେଷ୍ଟବେଙ୍ଗଲ ଓ ତାର ପାଶ୍ୱବର୍ତୀ ଅଂଚଳରେ ଲଘୁଚାପ ସୃଷ୍ଟି ହୋଇଥିଲା । 

ଆଜି ରାଜ୍ୟର ଅନେକ ସ୍ଥାନରେ ବର୍ଷା ସହ ବିଜୁଳି ଘଡଘଡି ବର୍ଷାର ସମ୍ଭାବନା ରହିଛି। ଆଜି ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ୪ ଜିଲ୍ଲା ସମେତ ମୋଟ୍ ୨୦ ଜିଲ୍ଲାରେ ବର୍ଷା ପାଇଁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ଆସନ୍ତାକାଲିଠୁ ବର୍ଷାର ପରିମାଣ ବଢିବ। ଆସନ୍ତାକାଲି ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।