କନକବ୍ୟୁରୋ : କଳାହାଣ୍ଡି ଜିଲ୍ଲା ଶକ୍ତି ପୀଠ ମାନଙ୍କରେ ଆରମ୍ଭ ହୋଇଛି ଷୋଡ଼ଶ ଉପଚାର ପୂଜା ।  ମା’ ଲଙ୍କେଶ୍ବରୀଙ୍କ ପୀଠରେ ଖଣ୍ଡାବସା ଯାତ୍ରା ,  ମା’ ମାଣିକେଶ୍ବରୀଙ୍କ ନିକଟରେ ମୁଣ୍ଡବସା ପୂଜା ଅନୁଷ୍ଠିତ ହୋଇଛି । କଳାହାଣ୍ଡିବାସୀ  ନିଜ ପରମ୍ପରା ଓ ଆସ୍ଥା  ଦେବୀଙ୍କ ପାଖେ ଅର୍ପଣ କରି ଆଶିଷ କାମନା କରୁଛନ୍ତି । 
Advertisment
କଳାହାଣ୍ଡି ଜିଲ୍ଲା ଜୁନାଗଡ଼ରେ ମା’ ଲଙ୍କେଶ୍ବରୀଙ୍କ ପୀଠରେ ସରିଛି ଖଣ୍ଡାବସା ଯାତ୍ରା ।  ହଜାର ହଜାର ବର୍ଷର ଏହି ପରମ୍ପରା। ପୂର୍ବ ନିର୍ଦ୍ଧାରିତ ରୀତିନୀତି ଅନୁସାରେ ପାଳନ ହୁଏ ଏହି ଯାତ୍ରା ।  ମନ୍ଦିରରୁ ଏକ ଶୋଭାଯାତ୍ରାରେ ମା’ଙ୍କ ଚଳନ୍ତି ପ୍ରତିମା ପାଟ ଖଣ୍ଡା ବାହାରି ହଜାର ହଜାର ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥାନ୍ତି। ପରେ କଳାହାଣ୍ଡିର ମହାରାଜା ମା’ଙ୍କ ଖଣ୍ଡାକୁ ଗୁପ୍ତ ଭାବେ ମନ୍ଦିରରେ ସ୍ଥାପନ କରନ୍ତି । ଆଉ ଏହାପରେ ଦେବୀ ପୀଠରେ ଆରମ୍ଭ ହୁଏ ଶାରଦୀୟ ପାର୍ବଣ। 
କଳାହାଣ୍ଡି ଅଧିଷ୍ଠାତ୍ରୀ ଦେବୀ ମାଣିକେଶ୍ବରୀ। ମାଆଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି ମୁଣ୍ଡବସା ପୂଜା। ଗର୍ଭଗୃହରେ ସ୍ଥାପିତ ଦେବୀଙ୍କ ମୂର୍ତ୍ତି ଏକ ସ୍ତମ୍ଭାକାର ଶରୀର ଉପରେ ମସ୍ତକ ସ୍ଥାପନ କରାଯାଇ ପ୍ରତୀୟମାନ ହଅନ୍ତି। ମୂଳାଷ୍ଟମୀ ରାତିରେ ପୁରାତନ ମସ୍ତକକୁ କାଢ଼ି ରତ୍ନଅଳଙ୍କାର ଖଚିତ ନୂତନ ମୃଣ୍ମୟ ମସ୍ତକ ସ୍ଥାପନ କରାଯାଇଥାଏ। ମା’ଙ୍କୁ ଦେଖିବାକୁ ଲାଗେ ଭକ୍ତଙ୍କ ଭିଡ଼। ମୂଳାଷ୍ଟମୀରୁ ମହାଷ୍ଟମୀ ଯାଏଁ ଏଠାରେ ଅନୁଷ୍ଠିତ ହୋଇଥାଏ ସ୍ୱତନ୍ତ୍ର ପୂଜାବିଧି।
ଆଜି ଆମେ କଳାହାଣ୍ଡି ଜିଲ୍ଲାର ଦୁଇଟି ଶକ୍ତିପୀଠର ଷୋଡ଼ଶ ଉପଚାର ପୂଜା ସଂପର୍କରେ ଜାଣିଲେ, ଆଗକୁ ଏମିତି ଅନେକ ଶକ୍ତିପୀଠର କାହାଣୀ ଜାଣିବା ।