କନକ ବ୍ୟୁରୋ: ଜଗଜ୍ଜନନୀଙ୍କ ଆବାହନ । ମୂଳାଷ୍ଟମୀ ଅବସରରେ ଆରମ୍ଭ ହୋଇଛି ଷୋଡ଼ଶ ଦିନାତ୍ମକ ପୂଜା। ଯେଉଁଥିପାଇଁ ଚଳଚଞ୍ଚଳ ହୋଇପଡିଛି ବିଭିନ୍ନ ଶକ୍ତି ପୀଠ। ଚଣ୍ଡୀ ପାଠ ଓ ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହେଉଛି ପରିବେଶ । ଷୋଡଶ ପୂଜା ଆରମ୍ଭରୁ ମାଆଙ୍କର ସ୍ବତନ୍ତ୍ର ରୀତିନୀତିର ସହ ପୂଜାର୍ଚ୍ଚନା କରାଯାଉଛି । ମାଆଙ୍କ ଦର୍ଶନ ପାଇଁ ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି । 
Advertisment
ମା’ଙ୍କ ଷୋଡଶ ଉପଚାରରେ ଚାଲିଛି ପୂଜା । ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳାଙ୍କ ପୀଠରେ ଶାରଦୀୟ ପାର୍ବଣ ପୂଜା ନୀତି ଆରମ୍ଭ ହୋଇଛି । ମଙ୍ଗଳ ଆଳତିରୁ ନେଇ ସୂର୍ଯ୍ୟପୂଜା, ଅବକାଶ ନୀତି, ଚଣ୍ଡୀପାଠ ଆଦି କରାଯାଉଛି । ଶାରଦୀୟ ଦୁର୍ଗାପୂଜା ଅବସରରେ ଷଷ୍ଠୀ ଦିନରୁ ମା’ଙ୍କ ବିଭିନ୍ନ ବେଶ କରାଯିବା ପରମ୍ପରା ରହିଛି ।
ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଶକ୍ତି ପୀଠ ସମଲେଶ୍ଵରୀ ଓ ମାଆ ପାଟଣେଶ୍ୱରୀଙ୍କ ଷୋଳ ପୂଜା ଚାଲିଛି । ଅନ୍ୟ ମନ୍ଦିର ପୂଜାବିଧିଠାରୁ ପାଟଣାଗଡ଼ ଶକ୍ତିପୀଠର ପୂଜାବିଧି ସମ୍ପୂର୍ଣ୍ଣ ଭିନ୍ନ । ଏଠାରେ ତନ୍ତ୍ର ମନ୍ତ୍ର ଓ ଯନ୍ତ୍ର ମାଧ୍ୟମରେ ମାଆଙ୍କର ଆବାହନ କରାଯାଏ । ମା’ଙ୍କ ଷୋଳ ପୂଜାରେ ବିଧି ଅନୁଯାୟୀ ମା’ଙ୍କୁ ମଧ୍ୟ ରାତ୍ରିରେ ୧୨ଟା ପରେ ହିଁ ରାଜ ପୁରୋହିତ ଚଣ୍ଡୀ ସପ୍ତଶତି ମନ୍ତ୍ରରେ ପୂଜା କରିଥାଆନ୍ତି ।
ବାଙ୍କୀର ମା’ ଚର୍ଚ୍ଚିକାଙ୍କ ପୀଠରେ ଆଜିଠୁ ଅର୍ଥାତ୍‌ ମୂଳାଷ୍ଟମୀରୁ ଷୋଡ଼ଶ ଉପଚାରାରେ ପୂଜାର୍ଚ୍ଚନା କରିଛନ୍ତି ପୂଜକ । ସକାଳୁ ମଙ୍ଗଳ ଆଳତୀ, ଚଣ୍ଡୀପାଠ ପରେ ସମସ୍ତ ନୀତି କରାଯାଇ ପୂଜା କରାଯାଉଛି । ସକାଳ ଧୂପରେ ମାଆଙ୍କ ନିକଟରେ ମାଣ୍ଡୁକ ଭୋଗ ଲାଗି କରାଯିବାର ବିଧି ରହିଛି । ମାଆଙ୍କ ଷୋଳ ଉପଚାରରେ ପୂଜା ଆରମ୍ଭ ହୋଇଥିବା ବେଳେ ପ୍ରତିଦିନ ମାଆ ବିଭିନ୍ନ ବେଶରେ ଦର୍ଶନ ଦେଇଥାନ୍ତି ।