କନକ ବ୍ୟୁରୋ : ନେପାଳ ନାଗରିକଙ୍କ ଦ୍ୱାରା ସରକାରଙ୍କ ବିରୋଧରେ ଚାଲିଥିବା ପ୍ରଦର୍ଶନ ଭିତରେ ଭାରତରେ ବି ରାଜନୀତି ଆରମ୍ଭ ହୋଇଯାଇଛି । ନେପାଳରେ ଯୁବକଙ୍କ ବିଦ୍ରୋହକୁ ନେଇ ଶିବସେନା ନେତା ସଂଜୟ ରାୱତ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି କି, ଭାରତରେ ବି ସ୍ଥିତି ଠିକ୍ ନାହିଁ । ତେଣୁ ନେପାଳରେ ଯାହା ଘଟିଲା ତାହା ଭାରତରେ ବି ଘଟିପାରେ । ସଂଜୟ ରାୱତ କହିଛନ୍ତି ନେପାଳରେ ଯେଭଳି ଦୁର୍ନୀତି, ଏକଛତ୍ରବାଦ ଓ ଭାଇ-ଭଣଜାକୁ ବିରୋଧ କରି ନିଆଁ ଲାଗିଛି ତାହା ଭାରତରେ ବି ଘଟିପାରେ । ହେଲେ ଭାରତରେ ଏଭଳି ଘଟିବା ସହଜ ନୁହେଁ କାରଣ ଭାରତବାସୀ ମହାତ୍ମା ଗାନ୍ଧୀଙ୍କ ଅହିଂସା ବିଚାରଧାରାକୁ ବିଶ୍ୱାସ କରନ୍ତି । ଯେଉଁ କାରଣରୁ ଦୁର୍ନୀତି ଓ ଏକଛତ୍ରବାଦ ଶାସନ କରୁଥିବା ନରେନ୍ଦ୍ର ମୋଦୀଙ୍କ ସରକାର ଏପର୍ଯ୍ୟନ୍ତ ଭାରତରେ ତିଷ୍ଟି ରହିଛି । 

Advertisment

ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସଂଜୟ ରାୱତ କହିଛନ୍ତି ଯଦି ନେପାଳର ନିଆଁ ଭାରତକୁ ବ୍ୟାପେ ତେବେ ତାହାକୁ ସମ୍ଭାଳିବା କଷ୍ଟକର ହୋଇପଡିବ । ହେଲେ ମୋଦୀ ସରକାର ଯେଭଳି ଜନମାରଣ ନୀତି ଆପଣାଇ ଶାସନ କରୁଛନ୍ତି ଓ ଏହାକୁ ନେଇ ଲୋକଙ୍କ ଭିତରେ ଯେଉଁ ଅସନ୍ତୁଷ୍ଟ ରହିଛି କେତେବେଳେ କ'ଣ ହେବ ତାହା କହିହେବ ନାହିଁ । ହେଲେ ଭାରତର ନାଗରିକମାନେ ଏବେ ବି ଗାନ୍ଧୀଙ୍କୁ ନିଜର ଆଦର୍ଶ ବୋଲି ଗ୍ରହଣ କରିଥିବାରୁ ଏପର୍ଯ୍ୟନ୍ତ ମୋଦୀ ସରକାର ତିଷ୍ଟି ରହିଛି । ପ୍ରଧାନମନ୍ତ୍ରୀ ମୋଦୀ ୮୦ କୋଟି ଲୋକଙ୍କୁ ମାଗଣାରେ ରାସନ ଦେଉଛନ୍ତି । ଏହାର ଅର୍ଥ ଆଜି ବି ଦେଶର ୬୦ ପ୍ରତିଶତ ଲୋକ ଗରିବ ସୀମାରେଖା ତଳେ ଜୀବନ ବିତାଉଛନ୍ତି । ଯେଉଁ ଅବସ୍ଥା ନେପାଳରେ ହୋଇଛି । ଭାରତର ଟଙ୍କା ବିଦେଶ ଯାଉଛି, କାହାର ପୁଅ ଦୁବାଇରେ ବସିଛି, କାହାର ପୁଅ ସିଙ୍ଗାପୁରରେ ଆଉ କାହାର ପୁଅ କୌଣସି ଦକ୍ଷତା ନଥାଇ ବିସିସିଆଇର ମୁଖ୍ୟ ପଦ ମାଡ଼ି ବସି ହଜାର ହଜାର କୋଟି ଟଙ୍କା ଚଳୁ କରୁଛି ବୋଲି ପରୋକ୍ଷରେ ମୋଦୀ ସରକାରଙ୍କୁ କଟାକ୍ଷ କରିଛନ୍ତି ସଂଜୟ ରାୱତ । 

ସଂଜୟ ରାୱତ କେବଳ ସେତିକି କହିନାହାନ୍ତି । ନେପାଳ ଭଳି ଭାରତର ସ୍ଥିତି ହେବ ଏକଥା କହିବା ପଛରେ ଏକ ବଡ଼ କାରଣ ମଧ୍ୟ ଦର୍ଶାଇଛନ୍ତି । ସେ କେନ୍ଦ୍ର ସରକାରଙ୍କ ବୈଦେଶିକ ନୀତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ମୋଦୀ ସରକାର ୧୧ ବର୍ଷର ଶାସନ କାଳରେ ବିଦେଶ ନୀତିକୁ ରଶାତଳକୁ ନେଇ ଯାଇଛନ୍ତି । ଭାରତ ସରକାର ପଡୋଶୀ ଦେଶମାନଙ୍କୁ ଆବଶ୍ୟକ ସମୟରେ ସାହାଯ୍ୟ କରିନାହିଁ । ନେପାଳ ଆମର ମିତ୍ର ଦେଶ ଥିଲା, ନେପାଳ ଯେତେବେଳେ ସଂକଟରେ ଥିଲା ମୋଦୀ ସରକାର ସାହାଯ୍ୟର ହାତ ବଢାଇଲେ ନାହିଁ । ଏହା ଆମର ବିଦେଶ ନୀତିର ବିଫଳତା । ଭାରତରେ ବେରୋଜଗାରୀ ୪୫ ବର୍ଷର ରେକର୍ଡ ଭାଙ୍ଗିଛି, ହେଲେ ଭାରତର ଯୁବସମାଜ ଏବେ ନିରବ ରହିଛି । ଯେତେବେଳେ ଯୁବକ ତାତିବ ସେତେବେଳେ ଭାରତରେ ମଧ୍ୟ ନେପାଳ ଭଳି ସ୍ଥତି ହେବ ବୋଲି ଦାବି କରିଛନ୍ତି ସଂଜୟ ରାୱତ ।