କନକ ବ୍ୟୁରୋ : ୭୨ ବର୍ଷ ବୟସରେ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ସିପିଆଇଏମର ମହାସଚିବ କମ୍ରେଡ ସୀତାରାମ ୟେଚୁରୀଙ୍କର ମୃତ୍ୟୁ ହୋଇଛି । ୨୦୧୫ ମସିହାରୁ ସେ ସିପିଆଇଏମର ମହାସଚିବ ଭାବେ କାର୍ଯ୍ୟ ତୁଲାଉଥିଲେ । ବରିଷ୍ଠ ବାମପନ୍ଥୀ ନେତା ପ୍ରକାଶ କରାତେ ଦଳର ମହାସଚିବ ପଦରୁ ଇସ୍ତଫା ଦେବା ପରେ ପଦଭାର ସମ୍ଭାଳିଥିଲେ ୟେଚୁରୀ । ଏକ ଦୀର୍ଘ ସଂଘର୍ଷମୟ ଜୀବନର ଆଜି ଅନ୍ତ ଘଟିଛି । ଶରୀରର ସିନା ମୃତ୍ୟୁ ହୋଇଛି, ହେଲେ ତାଙ୍କ ରାଜନୈତିକ କ୍ୟାରିଅରରେ ସେ ଛାଡି ଯାଇଥିବା ଅନେକ ଅଭୁଲା ସ୍ମୃତି ଓ ଅଦିମ ସାହସିକତାର ପରିଚୟ ତାଙ୍କୁ ଦେଶର ଯୁବପୀଢି ସବୁଦିନ ମନେ ପକାଇବ । 

ସୀତାରାମ ୟେଚୁରୀ ଏକ ନାମ ନୁହେଁ ବରଂ ଏକ ବଳିଷ୍ଠ ସାହାସର ଚେହେରା । ୟେଚୁରୀ ୧୯୭୭ ରେ ପ୍ରଥମଥର ପାଇଁ ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ଆଉ ପଦ ଥିଲା ଜେଏନୟୁର ସଭାପତି । ବାସ୍ ସେତିକି ବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଜେଏନୟୁର କୁଳପତି ପଦରେ ଥାନ୍ତି । କୌଣସି କାରଣ ପାଇଁ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ତକ୍ରାଳନୀ ଉପକୂଳପତି ବି.ଡି ନାଗଙ୍କୁ କ୍ୟାମ୍ପସ ଭିତରେ ପ୍ରବେଶ କରାଇଦେଇନଥିଲେ । ଏହାର ଜବାବରେ ସରକାର ବିଶ୍ୱବିଦ୍ୟାଳୟକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଦେଲେ । କିନ୍ତୁ ଛାତ୍ରଛାତ୍ରୀ ଓ ଅଧ୍ୟାପକମାନେ ମିଳିତ ଭାବେ ବିଶ୍ୱବିଦ୍ୟାଳୟ ଚାଲୁ ରଖିବାକୁ ସୁନିଶ୍ଚିତ କରିଥିଲେ । ପାଠାଗାର ୨୪ ଘଣ୍ଟିଆ ଖୋଲା ରହିଲା, ସମସ୍ତ କ୍ଲାସ ସୁରଖୁରୁରେ ଚାଲିଲା । ଏକ ସାକ୍ଷାତକାରରେ ୟେଚୁରୀ କହିଥିଲେ କି, ‘ମୋର ମନେ ଅଛି କଲେଜ ଚଳାଇବା ପାଇଁ ଅର୍ଥର ଅଭାବ ପଡିଲା । ଏହାପରେ ସୀତାରାମ ୟେଚୁରୀଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀମାନେ ସରୋଜିନୀ ମାର୍କେଟ, କନ୍ନଡ ପାଲେସ ଆଦି ବୁଲିଲେ, ବେକରେ ପ୍ଲାକାର୍ଡ ପକାଇଥିଲେ । ଯେଉଁଥିରେ ଲେଖାଥିଲା ବିଶ୍ୱବିଦ୍ୟାଳୟ କାର୍ଯ୍ୟ କରୁଛି , କୁଳପତି ଧର୍ମଘଟ କରୁଛନ୍ତି ଏବଂ ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟ ଚଳାଇବା ପାଇଁ ପାଣ୍ଠି ସଂଗ୍ରହ କରୁଛନ୍ତି’

ଅନ୍ୟପଟେ ଲୋକସଭା ନିର୍ବାଚନରେ ପରାଜୟ ପରେ ମଧ୍ୟ ଇନ୍ଦିରା ଗାନ୍ଧୀ ବିଶ୍ୱବିଦ୍ୟାଳୟ କୁଳପତି ପଦରୁ ଇସ୍ତଫା ଦେଇନଥିଲେ । ଏନେଇ ସୀତାରାମ ୟେଚୁରୀ ଏକ ସାକ୍ଷାତକାରରେ କହିଥିଲେ ‘ମୋ ନେତୃ୍ତ୍ୱରେ ୫୦୦ରୁ ଅଧିକ ଛାତ୍ରଛାତ୍ରୀ ଏକ ଶୋଭାଯାତ୍ରା କରି ଇନ୍ଦିରା ଗାନ୍ଧୀଙ୍କ ବାସଭବନକୁ ଯାଇଥିଲୁ । ହେଲେ ଇନ୍ଦିରାଙ୍କ ବ୍ୟକ୍ତିଗତ ସଚିବ କହିଥିଲେ କି, ସର୍ବାଧିକ ୫ ଜଣ ଛାତ୍ରଛାତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଭେଟିପାରିବେ । ହେଲେ ଆମ ତରଫରୁ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲୁ । ଶେଷରେ ଇନ୍ଦିରା ଗାନ୍ଧୀ ବାଧ୍ୟ ହୋଇ ବାହାରକୁ ଆସିଥିଲେ । ଆମେ ଲିଖିତ ଆକାରରେ ନେଇଥିବା ଇନ୍ଦିରାଙ୍କ ବିରୋଧରେ ସଂକଳ୍ପପତ୍ର ତାଙ୍କ ସାମ୍ନାରେ ପଢିଥିଲୁ । ସେ ଏହାକୁ ନମ୍ରତାର ସହ ଶୁଣିଥିଲେ । ଏହାପରେ ଲିଖିତ ସଂକଳ୍ପପତ୍ରକୁ ମୁଁ ତାଙ୍କ ହାତରେ ଧରାଇଦେଇଥିଲି । ଏହାପରେ ସେ ବାଧ୍ୟ ହୋଇ ବିଶ୍ୱବିଦ୍ୟାଳୟର କୁଳପତି ପଦରୁ ଇସ୍ତଫା ଦେଇଥିଲେ’ 

ଜେଏନୟୁକୁ ଅଦ୍ୟମ ବାମପନ୍ଥୀ ଗଡ ଭାବେ ଗଠନ କରିବାରେ ସୀତାରାମ ୟେଚୁରୀ ଓ ତାଙ୍କ ପରେ ପ୍ରକାଶ କରାତେଙ୍କ ଉଦ୍ୟମ ଚିରସ୍ମରଣୀୟ । ସେମାନେ ଜେଏନୟୁକୁ ବାମ ଛାତ୍ର ସଂଗଠନ ପାଇଁ ଏଭଳି ଗଠନ କରିଥିଲେ କି ଯାହା ଏବେ ବି ଦକ୍ଷିଣପନ୍ଥୀ ଛାତ୍ର ସଂଗଠନଗୁଡିକ ପାଇଁ ଅଭେଦ୍ୟ ଗଡ ହୋଇ ରହିଛି ।