କନକ ବ୍ୟୁରୋ: ଆରମ୍ଭ ହେଲା ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା । ମଙ୍ଗଳବାର ନନ୍ଦପଡ଼ାର ଦେବାଧିଦେବ ମହାଦେବ ବମବରାଡ଼ ବାଲୁଙ୍କେଶ୍ୱର ଓ ଜଗଜ୍ଜନନୀ ମା’ ପାର୍ବତୀଙ୍କର ପତରପେଣ୍ଡି ବା ନିର୍ବନ୍ଧ ଅନୁଷ୍ଠିତ ହୋଇଛି । ସନ୍ଧ୍ୟା ପ୍ରାୟ ୮ଟା ସମୟରେ ଦେବ ବେଦ ମହାଦେବଙ୍କ ମନ୍ଦିରରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ହୋଇଥିଲା । ଏହା ପରେ ବର ପିତା ଓ ସପ୍ତଋଷୀ ବାହାରିଥିଲେ ମହାଦେବଙ୍କ ପାଇଁ କନ୍ୟା ଅନ୍ୱେଷଣରେ । ଭବ୍ୟ ପଟୁଆରରେ ଘଣ୍ଟ, ଶଙ୍ଖ, ଦୁଲୁଦୁଲି, ଧମାଲ ବାଦ୍ୟର  ତାଳେ ତାଳେ ବାହାରିଥିଲା ମହାଦେବଙ୍କ ପଟୁଆର । ବରପକ୍ଷ ପହଞ୍ଚିଥିଲେ ସମ୍ବଲପୁର ନିବାସୀ ପ୍ରତାପ ନନ୍ଦ ଓ ଲିପିକା ନନ୍ଦଙ୍କ ଘରେ । ବରପକ୍ଷଙ୍କୁ କନ୍ୟା ଘର ତରଫରୁ ଭବ୍ୟ ସ୍ୱାଗତ କରାଯାଇଥିଲା । 

Advertisment

ବରପକ୍ଷ କନ୍ୟାପକ୍ଷଙ୍କୁ ମହାଦେବଙ୍କ ପାଇଁ ଏକ ସୁଯୋଗ୍ୟ କନ୍ୟା ଥିବାର ସୂଚନା ପାଇ ଆସିଥିବାର ବରପିତା କହିଥିଲେ । ପରେ କନ୍ୟାପକ୍ଷ ସାମ୍ନାରେ ମହାଦେବଙ୍କ ଗୁଣଗାନ କରିଥିଲେ ସାଙ୍ଗରେ ଆସିଥିବା ସପ୍ତଋଷି । କନ୍ୟାପକ୍ଷ ରାଜି ହେବା ପରେ ସପ୍ତଋଷୀଙ୍କ ଉପସ୍ଥିତିରେ ଦେବୀ ପାର୍ବତୀଙ୍କୁ ବେଲ ପତ୍ର, ଫୁଲ ଏବଂ ଗୋଟିଏ ବିଡ଼ା ସରଗି ପତ୍ର ଦେଇ ବୋହୁ ହିସାବରେ ବାଛିଛନ୍ତି ବରପକ୍ଷ, ଏଥିସହିତ ସମ୍ପନ୍ନ ହୋଇଛି ମହାଦେବ ଓ ମା ପାର୍ବତୀଙ୍କ ପତରପେଣ୍ଡି ବା ନିର୍ବନ୍ଧ କାର୍ଯ୍ୟ । ବିବାହ ପୂର୍ବରୁ ଆଜି ଦେବ ନିମନ୍ତ୍ରଣ କରାଯିବାର କାର୍ଯ୍ୟକ୍ରମ ରହିଛି । ସେହିପରି ଆସନ୍ତାକାଲି ଅନ୍ୟ ଯାତ୍ରା କମିଟି ପକ୍ଷରୁ ପତରପେଣ୍ଡି ଅନୁଷ୍ଠିତ ହେବ । 

 

ଏପଟେ ଭୁବନେଶ୍ବର ଆରାଧ୍ୟ ମହାପ୍ରଭୁ ଲିଙ୍ଗରାଜ ମନ୍ଦିରରେ ମେ ୩୦ରେ ଶିବ ବିବାହ ଓ ୩୧ରେ ଶୀତଳଷଷ୍ଠୀ ଯାତ୍ରା । ଏଥିପାଇଁ ସରିଛି ପ୍ରସ୍ତୁତି ବୈଠକ । ଓଡିଶାର ଦ୍ଵିତୀୟ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା କେମିତି ସମସ୍ତ ନିଯୋଗ ସହାୟତାରେ ମହାଆଡମ୍ବରରେ ପାଳନ କରାଯିବ ସେନେଇ ନୀତିନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି । ସମସ୍ତ ନୀତିକାନ୍ତି ଯଥା ସମୟରେ ଶେଷ କରିବା ସହ ବିଭିନ୍ନ ପାରମ୍ପରିକ ନୃତ୍ୟ, ସଂଗୀତ ଓ ବଡଦାଣ୍ଡରେ ଶୋଭାଯାତ୍ରାକୁ ନେଇ ମଧ୍ୟ ପ୍ରସ୍ତୁତି ବୈଠକରେ ଆଲୋଚନା କରାଯାଇଛି। କମିଟି ପକ୍ଷରୁ ଭୁବନେଶ୍ବର ମହାନଗର ନିଗମ , ରାଜ୍ୟ ସରକାର, ଭକ୍ତ ଶ୍ରଦ୍ଧାଳୁଙ୍କ ସହଯୋଗ କାମନା କରାଯାଇଛି ।