କନକ ବ୍ୟୁରୋ :  ବଦଳିବ ସୀତାକୁଣ୍ଡ ଜଳପ୍ରପାତର ଭାଗ୍ୟ । ଦାର୍ଘ ଦିନର ଦାବି ପରେ ଶେଷରେ ମନ୍ତ୍ରୀ ସୀତାକୁଣ୍ଡ ପରିଦର୍ଶନ କରିଛନ୍ତି ।  ଚଲାପଥ, ଶୌଚାଳୟ ଓ ବିଶ୍ରାମାଗାର ପରି ଅନେକ ସୁବିଧା କରାଯିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି । ଜିଲ୍ଲା ପ୍ରଶାସନ,ବନବିଭାଗ ଓ ପର୍ଯ୍ୟଟନ ବିଭାଗ ସହ ଆଲୋଚନା କରି ଖୁବ ଶିଘ୍ର କାର୍ଯ୍ୟ ଆରମ୍ଭ କରାଯିବା ନେଇ ସୂଚନା ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ।

Advertisment

ବଣ ପାହାଡ଼ ଘେରା ମନୋରମ ପରିବେଶ ଭିତରେ ରହିଛି ମନଲୋଭା ଜଳପ୍ରପାତ । ସୌନ୍ଦର୍ଯ୍ୟର ଗନ୍ତାଘର ମୟୂରଭଞ୍ଜ ଶିମିଳିପାଳ । ସେଠାରେ ମୁଖ୍ୟ ଆକର୍ଷଣ ପାଲଟିଛି ସୀତାକୁଣ୍ଡ ଜଳପ୍ରପାତ। ବର୍ଷ ତମାମ ଏଠି ସବୁଜିମା ଭରିଥିବା ବେଳେ  ଝରଣାର କୁଳୁକୁଳୁ ନାଦ ପର୍ଯ୍ୟଟକଙ୍କ ମନ ମୋହିଥାଏ । ଝରଣାର ମନଲୋଭା ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ଦୂରଦୂରାନ୍ତରୁ ଛୁଟିଆସୁଛନ୍ତି ପର୍ଯ୍ୟଟକ ମାନେ । ଖାସ୍ କରି ଏହି ପର୍ଯ୍ୟଟନ ଋତୁ ଆସିଲେ ବହୁ ପର୍ଯ୍ୟଟକ ଛୁଟି ଆସନ୍ତି ଏହି ସ୍ଥାନକୁ । କିଛି ମୁହର୍ତ୍ତ ଏହି ସବୁଜ ବନାନୀ ଭିତରେ କାଟିବା ସହ ଜମିଥାଏ ଭୋଜିଭାତର ଆସର । ହେଲେ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଥିବା ଏହି ଜଳପ୍ରପାତ ଅବହେଳିତ ହୋଇ ପଡ଼ିଥିବା ବେଳେ ଏବେ ଉନ୍ନତି ପାଇଁ ତିଆରି ହୋଇଛି ବ୍ଲୁ ପ୍ରିଣ୍ଟ । 

ସୀତାକୁଣ୍ଡ ର ବିକାଶ ଓ ଉନ୍ନତି ପାଇଁ ଜିଲ୍ଲାବାସୀ ଦୀର୍ଘଦିନ ଧରି ଦାବି କରିଆସୁଥିଲେ। ବହୁ ଦିନର ଦାବି ପରେ ଶେଷରେ ସୀତାକୁଣ୍ଡର ବିକାଶ ହେବ । ଯାହା ପର୍ଯ୍ୟଟକଙ୍କ ମନରେ ଏକ ନୂତନ ଆଶା ସଞ୍ଚାର କରିଛି । ଏହି ସ୍ଥାନକୁ ଯିବାକୁ ପଥ ସୁଗମ ହେବା ସହିତ ସେଠାରେ ରାସ୍ତା, ପାନୀୟ ଜଳରୁ ନେଇ ସମସ୍ତ ପ୍ରକାର ସବୁଧା କରାଯିବାର ମିଳିଛି ପ୍ରତିଶ୍ରୁତି । ପର୍ଯ୍ୟଟନସ୍ଥଳୀର ଉନ୍ନତିକରଣ ସହ ପର୍ଯ୍ୟଟକ ମାନଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା କରାଯିବ । ଯାହାଫଳରେ ଆହୁରି ପର୍ଯ୍ୟଟକଙ୍କ ଭିଡ଼ ଲାଗିବ ଏଠାରେ ।