କନକ ବ୍ୟୁରୋ: ସୁନ୍ଦରଗଡ଼ ସରଣ୍ଡା ଜଙ୍ଗଲରୁ ମାଓବାଦୀ ବିପୁଳ ବିସ୍ଫୋରକ ଲୁଟି ନେବା ଘଟଣାର ତଦନ୍ତ ପାଇଁ ଗଠନ ହେଲା ଏସଆଇଟି ଟିମ୍ । ଓଡ଼ିଶା ପୋଲିସ ଡିଜି ଗଠନ କଲେ ଏସ୍ଆଇଟି । ଏସଆଇଟି ଟିମ୍ରେ ରାଉରକେଲା ଅତିରିକ୍ତ ଏସ୍ପିଙ୍କ ନେତୃତ୍ୱରେ ଅଛନ୍ତି ୪ ଜଣ । ରାଉରକେଲା ଅତିରିକ୍ତ ଏସପି, ବଣାଇ ଏସ୍ଡିପିଓଙ୍କ ସହ ଦୁଇ ପୁଲିସ ଇନ୍ସପେକ୍ଟର । ଏସ୍ଆଇଟି ଟିମ୍ ଏନଆଇଏକୁ ସହଯୋଗ କରିବା ସହ କରିବ ସ୍ୱତନ୍ତ୍ର ତଦନ୍ତ । ୪ ଦିନ ପରେ ବି ୫ ହଜାର କେଜି ବିସ୍ଫୋରକର ମିଳିନି ପତ୍ତା । ଏବେ ଘଟଣାର ତଦନ୍ତ କରୁଛି ଏନଆଇଏ ଟିଏମ୍ । ସେପଟେ ବାଙ୍କୋ ପଥର ଖଣିରୁ ବିସ୍ଫୋରକ ସାମଗ୍ରୀ ଲୁଟ୍ ଘଟଣାରେ, ଘଟଣା ସ୍ଥଳରେ ପହଞ୍ଚିଲା ସାଇଣ୍ଟିଫିକ୍ ଟିମ୍ ସହ ଡଗ୍ ସ୍କ୍ୱାଡ୍ । ଜଙ୍ଗଲ ଭିତର ଏବଂ ଲୁଟ୍ ସ୍ଥଳକୁ ଯାଇ ଯାଞ୍ଚ କରୁଛି ଟିମ୍ ।
ମାଓବାଦୀଙ୍କ ହାତରେ ବିସ୍ଫୋରକ ଲାଗିଥିବା ସନ୍ଦେହରେ ଡିଭିଏଫ୍ ଓ ଝାଡ଼ଖଣ୍ଡ ସିଆରପିଏଫ୍ ପକ୍ଷରୁ କମ୍ବିଂ ଅପରେସନ୍କୁ ଜୋରଦାର କରାଯାଇଛି । ଲୁଟ୍ ଘଟଣାର ୪ ଦିନ ପରେ ପରେ ବି ପୁଲିସ ହାତ ଖାଲି । ନିଜେ ଡିଜିପି ଘଟଣାର ତଦାରଖ କରୁଛନ୍ତି । ଏଠି ପ୍ରଶ୍ନ ଉଠୁଛି କୁଆଡ଼େ ଗଲା ବିସ୍ଫୋରକ ସାମଗ୍ରୀ ଟ୍ରକ୍ ? ଅନ୍ଧାରରେ ବାଡ଼ି ବୁଲାଉଛି କି ପୁଲିସ ? ଏହି ଲୁଟ୍ ଘଟଣା ୨୦୦୯ର ସମାନ ଘଟଣାକୁ ମନେପକାଇ ଦେଉଛି । ୨୦୦୯ ଜୁଲାଇ ୧୮ରେ ଠିକ୍ ସମାନ ଢଙ୍ଗରେ ମାଓବାଦୀମାନେ ରାଉରକେଲାର ଚମ୍ପାଝରନ୍ଠାରେ ବିସ୍ଫୋରକ ଗାଡ଼ିକୁ ଲୁଟି ନେଇଥିଲେ । ଏହି ସମୟରେ ମାଓବାଦୀମାନେ କୋଇଡା ଥାନାର ତତ୍କାଳୀନ ଭାରପ୍ରାପ୍ତ ଅଧିକାରୀ ସବ୍ଇନ୍ସପେକ୍ଟର ଅଜିତ ବର୍ଦ୍ଧନଙ୍କୁ ମଧ୍ୟ ନିର୍ମମ ଭାବେ ହତ୍ୟା କରିଥିଲେ ।