କନକ ବ୍ୟୁରୋ: ପୁରାତନ ଐତିହ୍ୟ ଶିଶୁପାଳଗଡ଼ ପାଲଟିଲାଣି ଜମି ମାଫିଆଙ୍କ ଗଡ଼। ୧୯୫୦ ମସିହାରେ ୫୬୨.୬୮୧ ଏକର ବିଶିଷ୍ଟ ଏହି ଐତିହ୍ୟସ୍ଥଳୀ ଏବେ ମାତ୍ର ୭୭୫ ଡସିମିଲ୍ରେ ସୀମିତ । ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରି ଗଡ଼ ଛାତିରେ ଗଢ଼ି ଉଠୁଛି ମାଳ ମାଳ କୋଠା । ଐତିହ୍ୟ ସ୍ମାରକ ଘୋଷଣା କରି ଯେମିତି ଦାୟିତ୍ବ ସାରି ଦେଇଛି ଭାରତୀୟ ସର୍ବେକ୍ଷର ସଂସ୍ଥା (ଏଏସ୍ଆଇ) । ଅନ୍ୟପଟେ ରାଜ୍ୟ ସରକାରଙ୍କ ମଧ୍ୟ ଏହି ପୁରାତନ ଐତିହ୍ୟ ପ୍ରତି ଆନ୍ତରିକତା ନଥିବା ଅଭିଯୋଗ ହେଉଛି ।
ଇତିହାସ କହୁଛି, ଗନ୍ଧବତୀ ନଦୀ (ବର୍ତ୍ତମାନର ଗଙ୍ଗୁଆ ନାଳ) କୂଳରେ ଗଢ଼ି ଉଠିଥିଲା ଶିଶୁପାଳଗଡ଼। ରାଜା ଖାରବେଳଙ୍କ ରାଜତ୍ବ ସମୟରେ ଏହାକୁ କଳିଙ୍ଗ ରାଜ୍ୟର ରାଜଧାନୀ ‘କଳିଙ୍ଗ ନଗରୀ’ କୁହାଯାଉଥିଲା। କିନ୍ତୁ ଜମି ପାଇଁ ଐତିହ୍ୟକୁ ମାଟିରେ ମିଶାଉଛନ୍ତି ମାଫିଆ ।
୧୯୪୮ ମସିହାରେ ଖନନରେ ଦୁଇ ହଜାର ବର୍ଷର ପୁରୁଣା ସହରକୁ ଠାବ କରିଥିଲା ଏଏସଆଇ। ୨୦୦୫, ୨୦୦୯ ଓ ୨୦୧୨ ମସିହାରେ ଖନନ ପରେ ୧୩ ବର୍ଷ ହେବ ବନ୍ଦ ରହିଛି। ୨୦୦୭ରେ ଇନ୍ଟାକ୍ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟର କରିଥିଲା। ହେଲେ ପିଆଇଏଲ୍ର ଶୁଣାଣି ବେଳେ ୭ ବର୍ଷ ପର୍ଯ୍ୟନ୍ତ ପକ୍ଷମାନଙ୍କ ଜବାବ ମିଳିଲା ନାହିଁ। ଶେଷରେ ୬ ମାସ ଭିତରେ ସମସ୍ତ ପ୍ରକ୍ରିୟା ଶେଷ କରିବାକୁ ୨୦୨୨ରେ ହାଇକୋର୍ଟ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ୩ ବର୍ଷ ହେବ କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରାଯାଉଛି।
ଶିଶୁପାଳଗଡ଼ରେ କୌଣସି ନୂତନ ନିର୍ମାଣ ହୋଇପାରିବ ନାହିଁ ଏବଂ ଏଏସ୍ଆଇ ଓ ରାଜସ୍ବ ବିଭାଗ ଜମି ଚିହ୍ନଟ ପାଇଁ ପଦକ୍ଷେପ ନେବାକୁ ୨୦୦୧ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିଲେ। ହେଲେ ୨୫ ବର୍ଷ ସରକାରରେ ରହି ମଧ୍ୟ ତାହା ହୋ ପାରିଲା ନାହିଁ। ..ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶିଶୁପାଳଗଡ଼ରେ ବ୍ୟାପକ ଖନନ ଓ ନିର୍ମାଣ କାର୍ଯ୍ୟକୁ ବନ୍ଦ କରିବାକୁ ପତ୍ର ଲେଖିଥିଲେ। ହେଲେ କିଛି ଲାଭ ହେଲା ନାହିଁ। ଓଲଟା ଜମି କିଣା ବିକା ହେଉଛି। ବେଆଇନ ଘରକୁ ସରକାର ପାଣି, ବିଜୁଳି ଓ ଅନ୍ୟନ୍ୟ ସବିଧା ଦେଉଛନ୍ତି।
ପ୍ରଶ୍ନ ଉଠୁଛି,
ଶିଶୁପାଳଗଡ଼ ପୁନରୁଦ୍ଧାର କେବେ ?
କାହିଁକି ପାଳନ ହେଉନି ହାଇକୋର୍ଟଙ୍କ ନିର୍ଦ୍ଦେଶ?
ସୀମା ନିର୍ଦ୍ଧାରଣ କରିବାରେ କାହିଁକି ପଛଘୁଞ୍ଚା ଦେଉଛନ୍ତି ଏଏସ୍ଆଇ ଓ ରାଜସ୍ବ ବିଭାଗ?
କୋର୍ଟଙ୍କ ଅଙ୍କୁଶ ପରେ ମଧ୍ୟ କେମିତି ଗଢ଼ା ହେଉଛି ନୂଆନୂଆ ଅଟ୍ଟାଳିକା?
ବେଆଇନ ନିର୍ମାଣକୁ ବିଜୁଳି, ପାଣି କିଏ ଦେଉଛି?