କନକ ବ୍ୟୁରୋ: ଏଣିକି ଆନାସ୍ଥେସିଆ ଡାକ୍ତରଙ୍କ ପାଇଁ କଟକ ବଡ଼ ଡାକ୍ତରଖାନା ଉପରେ ଶିଶୁଭବନ କର୍ତ୍ତୃପକ୍ଷ ନିର୍ଭର କରିବେ ନାହିଁ । ଶିଶୁଭବନରେ ପୂର୍ଣ୍ଣକାଳୀନ ଆନାସ୍ଥେସିଆ ୟୁନିଟ୍ ଖୋଲିବାକୁ ଯାଉଛି । ଏଥିପାଇଁ ଚାରିଟି ଆନାସ୍ଥେସିଆ ମେସିନ୍ ଓଡ଼ିଶା ରାଜ୍ୟ ମେଡିକାଲ୍ କର୍ପୋରେସନ୍ ଲିମିଟେଡ୍(ଓଏସ୍‌ଏମ୍‌ସିଏଲ୍‌) ପକ୍ଷରୁ ଏବେ ସ୍ଥାପନ କରାଯାଇଛି । ଏହା ସହିତ ବିଧିବଦ୍ଧ ଭାବେ ଚାରିଟି ଡାକ୍ତରୀ ପଦବି ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । 

Advertisment

ପୂର୍ବରୁ ଶିଶୁ ଭବନର ପୁରୁଣା କୋଠାରେ ପେଡିଆଟ୍ରିକ୍‌ ସର୍ଜରି ପାଇଁ ଦୁଇଟି ସାଧାରଣ ଓଟି ଚାଲୁଥିଲା । ଏବେ ନୂଆ କୋଠାରେ ତିନୋଟି ମଡ୍ୟୁଲାର୍ ଓଟି ପ୍ରସ୍ତୁତ ହୋଇସାରିଛି । ଏହି ମଡ୍ୟୁଲାର୍ ଓଟିରେ ଶିଶୁଭବନରେ ପ୍ରାରମ୍ଭିକ ଭାବେ କିଡ୍‌ନି ପ୍ରତିରୋପଣ କରାଯିବ । ପରେ ଲିଭର, ହାର୍ଟ ପ୍ରତିରୋପଣ ସହ ଏଣ୍ଡୋସ୍କୋପି, ସିଷ୍ଟୋସ୍କୋପି ସର୍ଜରି କରାଯିବ । ତେବେ ପୂର୍ବରୁ ଶିଶୁଭବନରେ ଯଦିଓ ଦୁଇଟି ଆନାସ୍ଥେସିଆ ପଦବି ଥିଲା, ଶିଶୁଭବନରେ କୌଣସି ସ୍ଥାୟୀ ଡାକ୍ତର ନିଯୁକ୍ତି ହୋଇନଥିଲା । ଏହି ଡାକ୍ତରମାନେ କଟକ ବଡ଼ ଡାକ୍ତରଖାନାରୁ ନିୟମିତ ଆସୁଥିଲେ । ଅପରେସନ୍ କରିବା ପରେ ଚାଲିଯାଉଥିଲେ । କିନ୍ତୁ ଏବେ ଶିଶୁଭବନରେ ଆରମ୍ଭ ହେବାକୁ ଯାଉଥିବା ପୂର୍ଣ୍ଣକାଳୀନ ଆନାସ୍ଥେସିଆ ୟୁନିଟ୍‌ରେ ଏକକାଳୀନ ଚାରି ଜଣ ଡାକ୍ତର ନିଯୁକ୍ତ ହେବେ । ଯାହା ଫଳରେ ଶିଶୁଭବନରେ ୨୪ ଘଣ୍ଟିଆ ଅପରେସନ୍ ସମ୍ଭବ ହେବାକୁ ଯାଉଛି । 

ଏହି ୟୁନିଟ୍‌ରେ ଜଣେ ଲେଖାଏଁ ପ୍ରଫେସର, ଆସୋସିଏଟ୍ ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଫେସର, ସିନିୟର ରେସିଡେଣ୍ଟ ନିଯୁକ୍ତ ହେବେ । ଏମାନେ ତିନୋଟି ମଡ୍ୟୁଲାର୍‌ ଓଟି ଓ ଗୋଟିଏ ରିକଭରି ରୁମ୍‌ ଦାୟିତ୍ବରେ ରହିବେ । ଏବେ ଶିଶୁଭବନରେ ପେଡିଆଟ୍ରିକ୍‌ ବିଭାଗ, ପେଡିଆଟ୍ରିକ୍‌ ସର୍ଜରି, ପେଡିଆଟ୍ରିକ୍‌ ନେଫ୍ରୋଲଜି ଡିଭିଜନ୍ ଚାଲୁ ରହିଛି । ଏହା ସହିତ ଆନାସ୍ଥେସିଆ ୟୁନିଟ୍‌ ଯୋଡ଼ି ହେବାକୁ ଯାଉଥିବାରୁ ଶିଶୁଭବନର କ୍ଷମତା ବଢ଼ିବ ।