କନକ ବ୍ୟୁରୋ : ବିହାର ବିଧାନସଭା ପୂର୍ବରୁ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଭୋଟର ତାଲିକା ପୁନଃନିରୀକ୍ଷଣକୁ ନେଇ ରାଜନୀତି ସରଗରମ ହୋଇଛି । ଏହାକୁ ନେଇ ଆରୋପ-ପ୍ରତ୍ୟାରୋପ ଆରମ୍ଭ ହୋଇଛି । ହେଲେ ନିର୍ବାଚନ ଆୟୋଗ ବିଜେପି ପାଇଁ କିଭଳି ଭୋଟ ଚୋରି କରୁଛନ୍ତି ତା'ର ପ୍ରମାଣ ଉପସ୍ଥାପନ କରିଛନ୍ତି ବିରୋଧୀଦଳ ନେତା ରାହୁଲ ଗାନ୍ଧୀ । ଶୁକ୍ରବାର ଦିନ ରାହୁଲ ଇଣ୍ଡିଆ ମେଣ୍ଟ ସହ ଏକ ଭୋଜିରେ ଯୋଗଦେଇ ବଡ଼ ଖୋଲାସା କରିଛନ୍ତି । ଏହାସହ ଏହି ଭିଡିଓକୁ ସେ ନିଜ ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ସେୟାର କରିଛନ୍ତି । ଏଥିରେ ସେ ଅଭିଯୋଗ କରିଛନ୍ତି କି, ଦେଶରେ ଭୋଟ ଚୋରି ହେଉଛି ଆଉ ଏହି ଭୋଟ ଚୋରି ବିଜେପି ନିର୍ବାଚନ ଆୟୋଗଙ୍କ ସହାୟତାରେ କରୁଛନ୍ତି । ଏହାର ମୁଖ୍ୟ ଉର୍ଦ୍ଦେଶ୍ୟ ହେଉଛି ଗରିବଙ୍କ ଠାରୁ ଭୋଟଦାନ ଅଧିକାର ଛଡାଇନେବା ବୋଲି ବିରୋଧୀଦଳ ନେତା ଅଭିଯୋଗ କରିଛନ୍ତି । 

Advertisment

ରାହୁଲ କହିଛନ୍ତି ଏହା ସତ୍ୟ କି ଭାରତରେ ନିର୍ବାଚନ ଆୟୋଗ ଓ ବିଜେପି ମଳିତ ଭାବେ ଭୋଟ ଚୋରି କରୁଛନ୍ତି । ମୁଁ ସେମାନଙ୍କ ଚୋରି ଧରିଛି । ତେଣୁ ତରବର ଭାବେ ନିର୍ବାଚନ ଆୟୋଗ ଏସଆଇଆର ଆଣିଛନ୍ତି । ଏସଆଇଆରର ମୁଖ୍ୟ ଉର୍ଦ୍ଦେଶ୍ୟ ଗରିବଙ୍କ ଠାରୁ ସେମାନଙ୍କ ମତଦାନ ଅଧିକାର ଛଡ଼ାଇନେବା । ସେ କହିଛନ୍ତି କି, ଯଦି ନିର୍ବାଚନ ଆୟୋଗ ନିର୍ବାଚନରେ ଭୋଟ ଚୋରି କରିନଥାନ୍ତେ ତେବେ ଆଜି ନରେନ୍ଦ୍ର ମୋଦୀ ନୁହେଁ ଦେଶରେ ଇଣ୍ଡିଆ ମେଣ୍ଟର ସରକାର ଚାଲିଥାନ୍ତା । 

ନିର୍ବାଚନ ଆୟୋଗଙ୍କ ନାମରେ ଅଭିଯୋଗ ଆଣି ରାହୁଲ ଗାନ୍ଧୀ କହିଛନ୍ତି, ଆମେ ଯେତେବେଳେ ନିର୍ବାଚନ ଆୟୋଗଙ୍କୁ ଭୋଟର ତାଲିକା, ପୋଲିଂ ବୁଥର ଭିଡ଼ିଓ ରେକଡ଼ିଂ ମାଗିଲୁ ସେ ଦେବାକୁ ମନା କରିଦେଇଥିଲେ । ଏଥିରୁ ସନ୍ଦେହ ବଢିଥିଲା କି, ଭୋଟ ଚୋରି ହେଉଛି । ଏକ ଗଣତନ୍ତ୍ରରେ ଭୋଟ ଚୋରି କେବଳ ନିର୍ବାଚନୀ ଦୁର୍ନୀତି ନୁହେଁ ବରଂ ଲୋକତନ୍ତ୍ର ବିରୋଧରେ ଏକ ବଡ଼ ଅପରାଧ । ଦେଶର ଅପରାଧୀ ଜାଣି ରଖିବା ଦରକାର, କାଲି କ୍ଷମତା ବଦଳିବ ଓ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । 

ରାହୁଲ ଗାନ୍ଧୀ କେବଳ କଥାରେ କହିନାହାଁନ୍ତି ବରଂ ଭୋଟ ଚୋରିର ଅନେକ ପ୍ରମାଣ ଉପସ୍ଥାପନ କରିଛନ୍ତି । କର୍ଣ୍ଣାଟକ ମହାଦେବପୁରା ଆସନକୁ ନେଇ ସେ କହିଛନ୍ତି କି, ଏହି ଆସନରେ ୧ ଲକ୍ଷ ରୁ ଅଧିକ ଭୋଟ ଚୋରି ହୋଇଛି । ୫ ଟି ଭିନ୍ନ ଭିନ୍ନ ପ୍ରକ୍ରିୟାରେ ଭୋଟ ଚୋରି କରାଯାଇଛି । ଯେଉଁଥିରେ ନକଲି ଭୋଟ ୧୧,୯୬୫, ନକଲି ଠିକଣା ଥିବା ଭୋଟରଙ୍କ ସଂଖ୍ୟା, ୪ ହଜାର ୯, ଗୋଟିଏ ଠିକଣାରେ ୧୦,୪୫୨ ଭୋଟର, ଭୁଲ ଫଟୋ ଥିବା ଭୋଟରଙ୍କ ସଂଖ୍ୟା ୪୧୩୨, ଏହାସହ ଫର୍ମ-୬ ର ଭୁଲ ବ୍ୟବହାର କରାଯାଇ ୩୩୬୯୨ ଜଣ ଭୋଟ ଦେଇଛନ୍ତି । 

ଏହି ପ୍ରମାଣ ଉପସ୍ଥାପ କରିବା ବେଳେ ରାହୁଲ ଗାନ୍ଧୀ ନିର୍ବାଚନ ଆୟୋଗଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି । ସେ କହିଛନ୍ତି କି, ନିର୍ବାଚନ ଆୟୋଗ ଏକ ସାମ୍ବିଧାନିକ ସଂସ୍ଥା ହୋଇଥିଲେ ବି ବିଜେପି ସହ ମିଶି ଦେଶର ଭୋଟରଙ୍କୁ ଯେଭଳି ଧୋକ୍କା ଦେଉଛନ୍ତି ତାହା ଦେଶଦ୍ରୋହ ଅପରାଧ ଠାରୁ କମ୍ ନୁହେଁ । ସମୟ ଆସିବ ଏହି ଦେଶଦ୍ରୋହୀମାନଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରାଯିବ । ସେ ଆହୁରି କହିଛନ୍ତି, ଏପର୍ଯ୍ୟନ୍ତ ଭୋଟର ଯୋଡିବାରେ ହୋଇଥିବା ଦୁର୍ନୀତି ସାମ୍ନାକୁ ଆସିଛି, ହେଲେ ଭୋଟର ତାଲିକାରୁ ନାଁ କଟିବା ନେଇ ତଥ୍ୟ ସଂଗ୍ରହ କରାଯାଉଛି । ନିର୍ବାଚନ ବେଳେ ଏଗଜିଟ୍ ପୋଲ ରିପୋର୍ଟ କିଭଳି ସମ୍ପୂର୍ଣ୍ଣ ଅଲଗା ହେଉଛି । ଏହାର ଉଦାହରଣ ଭାବେ ସେ ଉତ୍ତରାଖଣ୍ଡ, ଛତିଶଗଡ଼, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରର ନିର୍ବାଚନ ଫଳାଫଳକୁ ଦେଖାଇଥିଲେ । 

ସେପଟେ ରାହୁଲଙ୍କ ଖୁଲାସା ପରେ ନିର୍ବାଚନ ଆୟୋଗ କମ୍ ବିଜେପି ଅଧିକ ବୟାନ ଦେବାରେ ଲାଗିଛି । ନିର୍ବାଚନ ଆୟୋଗ କହିଛନ୍ତି କି, ଯଦି ରାହୁଲ ଗାନ୍ଧୀଙ୍କ ପ୍ରମାଣର ସତ୍ୟତା ଅଛି ତେବେ ସତ୍ୟପାଠ ଦାଖଲ କରନ୍ତୁ ଯଦି ଶପଥ ପାଠ କରିବେ ନାହିଁ ତେବେ ସେ ଦେଶବାସୀଙ୍କୁ ଭ୍ରମିତ କରୁଛନ୍ତି । ତେଣୁ ତୁରନ୍ତ ଶପଥ ପାଠ ଦାଖଲ କରନ୍ତୁ ନହେଲେ ଦେଶବାସୀଙ୍କୁ କ୍ଷମା ମାଗନ୍ତୁ । 

ବିଜେପି ସାଂସଦ ସମ୍ବିତ ପାତ୍ର କହିଛନ୍ତି, ଏହା ପ୍ରଥମ ଘଟଣା ନୁହେଁ ରାହୁଲ ଗାନ୍ଧୀ କୌଣସି ସାମ୍ବିଧାନିକ ସଂସ୍ଥା ଉପରେ ଆକ୍ରମଣ କରୁଛନ୍ତି । ଏଥର ସେ ନର୍ବାଚନ ଆୟୋଗଙ୍କୁ ଅଧାର କରି ବିଜେପିକୁ ଘେରିବାକୁ ଚେଷ୍ଟା କରୁଛନ୍ତି ।