‘‘ଡାକ୍ତର ମତେ କହିଛନ୍ତି ମୋ ପାଖରେ ବଞ୍ଚିବା ପାଇଁ ମାତ୍ର ଏକ ମାସ ସମୟ ଅଛି । ମୁଁ ଏ ଯାତ୍ରାକୁ ଏକୁଟିଆ ବଞ୍ଚିବାକୁ ଚାହେଁ ଏବଂ ଶାନ୍ତିରେ ସଂସାରରୁ ବିଦାୟ ନେବାକୁ ଚାହେଁ । ମୋ ପାଖରେ କେହି ସନ୍ତାନ ନାହାନ୍ତି । ଜୀବନରେ ଗୋଟିଏ ହିଁ ଦୁଃଖ ରହିବ ଯେ ତୁମ ସହ ମୁଁ ଭଲରେ ବଞ୍ଚିପାରିଲି ନାହିଁ । ତୁମେ ମୋର ପ୍ରଥମ ପ୍ରେମ ହୋଇ ସବୁବେଳେ ମୋ ହୃଦୟରେ ରହିବ । ମୁଁ ନିଜର ୬୦ କୋଟି ଟଙ୍କାର ସଂପତ୍ତି ତୁମ ପାଇଁ ଛାଡ଼ି ଯାଉଛି । ଆଶା ତୁମକୁ ମୋ ଉପହାର ପସନ୍ଦ ଆସିବ …’’
/kanak/media/media_files/2025/05/06/hQMg5SQ9sKnhD6iLQ3ES.jpg)
କ’ଣ ଆପଣଙ୍କ ପାଖକୁ ବି ଏମିତି ମେସେଜ୍ ଆସିଛି କି ? ଯଦି ଆସିଛି ତା’ହେଲେ ସାବଧାନ ହୋଇଯାଆନ୍ତୁ ଏବଂ ଏଭଳି ମେସେଜ୍ ଉପରେ ଆଦୌ ଭରସା କରିବାର ଭୁଲ୍ କରନ୍ତୁ ନାହିଁ । ଏ ହେଉଛି ସ୍କାମର୍ ତଥା ହ୍ୟାକରଙ୍କ ନୂଆ ଚାଲ୍ । ଏହି ମେସେଜ୍ କିମ୍ବା ଲିଙ୍କ୍ ଉପରେ କ୍ଲିକ୍ କରି ଆପଣ ନିଜର ସର୍ବସ୍ବ ହରାଇ ପାରନ୍ତି । କୌଣସି ନକଲି ୱେବସାଇଟରୁ ଏମିତି ହଜାର ହଜାର ଲିଙ୍କ୍ ନେଇ ୟୁଜର୍ସଙ୍କ ପାଖକୁ ସ୍କାମର୍ ପଠାନ୍ତି ଏବଂ ନାଁ , ନମ୍ବର , ବ୍ୟାଙ୍କ୍ ଡିଟେଲ୍ସ ଏବଂ OTP ମାଗନ୍ତି । ୟୁଜର୍ସ ଯଦି ସ୍କାମରଙ୍କ ଶିକାରରେ ଫସି ସବୁ ବିବରଣୀ ଦେଇଦେବେ ତା’ହେଲେ କଥା ସରିଲା । ବ୍ୟାଙ୍କ୍ ଆକାଉଣ୍ଟରୁ ଖାଲି ହୋଇଯିବ ସବୁ ଟଙ୍କା । କିଛି ମେସେଜରେ ତ ଆପ୍ ଡାଉନଲୋଡ୍ କରିବା ପାଇଁ ମଧ୍ୟ କୁହାଯାଏ ଯାହା ଆପଣଙ୍କ ଫୋନକୁ ହ୍ୟାକ୍ କରିବା ପାଇଁ ଯଥେଷ୍ଟ ।
ଏଭଳି ସ୍କାମରୁ ବର୍ତ୍ତିବା ପାଇଁ କ’ଣ କରିବେ ?
୧. ଏଭଳି ମେସେଜକୁ ଅଣଦେଖା କରନ୍ତୁ । ଯଦି କୌଣସି ଅଜଣା ନମ୍ବରରେ ଖୁବଶୀଘ୍ର ଧନୀ ହେବା ପାଇଁ ପ୍ରଲୋଭନ ଦିଆଯାଏ ତେବେ ଏହା ସ୍କାମ୍ ବୋଲି ଜାଣିରଖନ୍ତୁ ।
୨. ଭୁଲ୍ କରି ମଧ୍ୟ ନିଜ ବ୍ୟକ୍ତିଗତ ଡାଟା କାହା ସହ ସେୟାର୍ କରନ୍ତୁ ନାହିଁ । OTP , Password , ATM କାର୍ଡ କିମ୍ବା ବ୍ୟାଙ୍କ୍ ଡିଟେଲ୍ସକୁ କାହା ସହ ସେୟାର୍ କରନ୍ତୁ ନାହିଁ ।
୩. ଲିଙ୍କ୍ ଖୋଲିବା ପୂର୍ବରୁ ପ୍ରଥମେ ୨ ଥର ଭାବନ୍ତୁ । ଯଦି ଅଜଣା ମେସେଜରେ କୌଣସି ଲିଙ୍କ୍ ଦିଆଯାଉଛି ତେବେ ଏଥିରେ କ୍ଲିକ୍ କରନ୍ତୁ ନାହିଁ ।
୪ . ସରକାରୀ ୱେବସାଇଟରୁ ହିଁ ସମ୍ପୂର୍ଣ୍ଣ ବିବରଣୀ ନିଅନ୍ତୁ । ଟଙ୍କା ରୋଜଗାର କଲା ଭଳି ଯଦି କୌଣସି ସ୍କିମ୍ ଅଛି ତେବେ ଏହାର ସୂଚନା ସରକାରୀ ୱେବସାଇଟରେ ମଧ୍ୟ ଉପଲବ୍ଧ ରହିବ ।
୫ . ଫୋନରେ ଆଣ୍ଟିଭାଇରସ୍ ରଖନ୍ତୁ ଏବଂ ଅଯଥା ଆପ୍ ଡାଉନଲୋଡ୍ କରିବାରୁ ଦୂରେଇ ରୁହନ୍ତୁ । ଆପ୍ ଡାଉନଲୋଡ୍ କରିବା ପାଇଁ Google Play Store କିମ୍ବା Apple App Store ର ହିଁ ସାହାଯ୍ୟ ନିଅନ୍ତୁ ।
ଯଦି ଆପଣଙ୍କ ସହ କୌଣସି ଧୋକା ହେଉଛି ତେବେ ତୁରନ୍ତ www.cybercrime.gov.in ରେ ରିପୋର୍ଟ କରନ୍ତୁ କିମ୍ବା ୧୯୩୦ ରେ କଲ୍ କରନ୍ତୁ । ସାବଧାନ ରୁହନ୍ତୁ , ସତର୍କ ରୁହନ୍ତୁ ।