କନକ ବ୍ୟୁରୋ: ବାୟୁ ଓ ଜଳ ପ୍ରଦୂଷଣ ପରେ ଅନୁଗୁଳକୁ ଘାରିଲାଣି ପ୍ଲାଷ୍ଟିକ୍ ପ୍ରଦୂଷଣ ଚିନ୍ତା । ଦୋକାନ ବଜାରରେ ଖୁଲମ୍ଖୁଲା ଚାଲିଛି ନିଷିଦ୍ଧ ପଲିଥିନ୍ ଓ ପ୍ଲାଷ୍ଟିକ୍ ବିକ୍ରି । ଏଥିରେ ରୋକ୍ ଲଗାଇବାକୁ ଏବେ ଅଣ୍ଟା ଭିଡ଼ିଛି ଜିଲ୍ଲା ପ୍ରଶାସନ । ପ୍ରାରମ୍ଭିକ ଭାବେ ଅନୁଗୁଳ ସହରକୁ ପ୍ଲାଷ୍ଟିକ୍ମୁକ୍ତ କରିବାକୁ ଆରମ୍ଭ ହୋଇଛି ଜୋରଦାର ଚଢ଼ାଉ।
ଅନୁଗୁଳ ସହରରେ ବେଆଇନ ଭାବେ ଖୁଲମ୍ଖୁଲା ଚାଲିଛି ସିଙ୍ଗଲ ୟୁଜ ପ୍ଲାଷ୍ଟିକ୍ ବେପାର । ପ୍ଲାଷ୍ଟିକ୍ ସାମଗ୍ରୀ ବିକୁଥିବା ବ୍ୟବସାୟ ପ୍ରତିଷ୍ଠାନରେ ଗଦା ହୋଇଛି ବସ୍ତାବସ୍ତା ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍ ଗ୍ଲାସ, କପ୍, ଥର୍ମୋକୁଲ ଖଲି, ଦନା ଓ ପଲିଥିନ୍ ବ୍ୟାଗ୍ । ସେହି ବେଆଇନ ପ୍ଲାଷ୍ଟିକ୍ ବିକ୍ରିରେ ରୋକ୍ ଲଗାଇବାକୁ ଅଣ୍ଟା ଭିଡ଼ିଛି ଅନୁଗୁଳ ଜିଲ୍ଲା ପ୍ରଶାସନ । ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ପୁଲିସ୍ ଓ ପୌରପାଳିକାର ମିଳିତ ଟିମ୍ ବ୍ୟବସାୟ ପ୍ରତିଷ୍ଠାନରେ ଅତର୍କିତ ଚଢ଼ାଉ କରୁଛନ୍ତି । ଜବତ କରୁଛନ୍ତି କ୍ବିଣ୍ଟାଲ କ୍ବିଣ୍ଟାଲ ସିଙ୍ଗଲ ୟୁଜ ପ୍ଲାଷ୍ଟିକ୍ ।
ବ୍ୟବସାୟୀଙ୍କ ଉପରେ ଲଦାଯାଉଛି ମୋଟା ଅଙ୍କର ତଣ୍ଡ । ଏନେଇ ଅନୁଗୁଳ ପୌରପାଳିକା ନିର୍ବାହୀ ଅଧିକାରୀ କହିଛନ୍ତି, ଦିନକରେ ୭ଟି ବ୍ୟବସାୟ ପ୍ରତିଷ୍ଠାନରେ ଚଢ଼ାଉ ହୋଇଛି । ୨ କ୍ବିଣ୍ଟାଲ ସିଙ୍ଗଲ ୟୁଜ ପ୍ଲାଷ୍ଟିକ୍ ଜବତ କରାଯାଇଛି । ତେବେ ବହୁ ବ୍ୟବସାୟୀ ସହର ଉପକଣ୍ଠରେ ଗୋଦାମ କରି ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍ ମହଜୁଦ ରଖିଥିବା ସୂଚନା ମିଳିଛି । ସେସବୁ ଗୋଦାମକୁ ଚିହ୍ନଟ କରାଯାଉଛି । ଖୁବ୍ଶୀଘ୍ର ସେମାନଙ୍କ ଉପରେ ଚଢ଼ାଉ କରି ଅନୁଗୁଳ ସହରକୁ ସିଙ୍ଗଲ ୟୁଜ ପ୍ଲାଷ୍ଟିକ୍ମୁକ୍ତ ସହରରେ ପରିଣତ କରାଯିବ ।
ବାଇଟ୍- ସତ୍ୟପ୍ରକାଶ ତ୍ରିପାଠୀ, ନିର୍ବାହୀ ଅଧିକାରୀ, ଅନୁଗୁଳ ପୌରପାଳିକା
ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀଙ୍କ କହିବା କଥା, ୨୦୨୨ ଡିସେମ୍ବର ୩୧ରୁ ରାଜ୍ୟରେ ସିଙ୍ଗଲ ୟୁଜ ପ୍ଲାଷ୍ଟିକ୍ ବ୍ୟାନ ହୋଇଛି। ୧୨୦ରୁ କମ୍ ମାଇକ୍ରନର ପ୍ଲାଷ୍ଟିକ୍ ଓ ପଲିଥିନ୍ ସମ୍ପୂର୍ଣ୍ଣ ନିଷିଦ୍ଧ ହୋଇଛି । ତେବେ ବହୁ ବ୍ୟବସାୟୀ ବେଆଇନ ଭାବେ ପ୍ରଦୂଷଣ ସୃଷ୍ଟିକାରୀ ପ୍ଲାଷ୍ଟିକ୍ ଓ ପଲିଥିନ୍ ବିକ୍ରି କରୁଛନ୍ତି । ଲୋକେ ସଚେତନ ହୋଇ ଅଖା କିମ୍ବା କପଡ଼ା ବ୍ୟାଗ୍ ବ୍ୟବହାର କରନ୍ତୁ । ସେହିପରି ବ୍ୟବସାୟୀମାନେ କେବଳ କମ୍ପୋଷ୍ଟେବଲ ପଲିଥିନ୍ ଓ ବାୟୋଡିଗ୍ରେଡେବଲ ପ୍ଲାଷ୍ଟିକ୍ ବିକ୍ରି କରନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି ।
ଏପଟେ ବ୍ୟବସାୟୀଙ୍କ ଅଭିଯୋଗ, ଫ୍ୟାକ୍ଟ୍ରି ବନ୍ଦ ନକରି ଦୋକାନରେ ଚଢ଼ାଉ କରି ଜରିମାନା କରିବା କେତେ ଯୁକ୍ତିଯୁକ୍ତ ? ଯଦି ବ୍ୟାନ୍ ହୋଇଛି ଫ୍ୟାକ୍ଟ୍ରିରେ କିଭଳି ତିଆରି ହେଉଛି ? ସରକାର ପ୍ରଥମେ ସିଙ୍ଗଲ ୟୁଜ ପ୍ଲାଷ୍ଟିକ୍ ଓ ପଲିଥିନ୍ ତିଆରି କରୁଥିବା ଫ୍ୟାକ୍ଟ୍ରିକୁ ବନ୍ଦ କରନ୍ତୁ । ଏତେ ସବୁ ପରେ ସିଙ୍ଗଲ ୟୁଜ ପ୍ଲାଷ୍ଟିକ୍ମୁକ୍ତ ଅନୁଗୁଳ ପାଇଁ ପ୍ରଶାସନ ଆରମ୍ଭ କରିଥିବା ପ୍ରୟାସ ସଫଳ ହେବ ତ ? ନା ପ୍ଲାଷ୍ଟିକ୍ ଦୋକାନରେ ଚଢ଼ାଉ କେବଳ ଦିନିକିଆ ଷ୍ଟଣ୍ଟ ସୋ’ ହୋଇ ରହିଯିବ ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/02/plastic-market-2026-01-02-17-23-58.jpg)