କନକ ବ୍ୟୁରୋ: ମହାରାଷ୍ଟ୍ର ୟବତମାଲ ଜିଲ୍ଲାର ଖୁର୍ସି ଗାଁର ଜଣେ ଚାଷୀ ଏବେ ଚର୍ଚ୍ଚାରେ । କାରଣ ଗୋଟିଏ ମାତ୍ର ଗଛ ତାଙ୍କୁ ରାତିରାତି କରିଦେଇଛି କୋଟିପତି । ଏହା ବିଶ୍ବାସ ହେଉନଥିଲେ ବି ଘଟଣା କିନ୍ତୁ ସତ । ସ୍ଥାନୀୟ ଅଂଚଳର କେଶବ ସିନ୍ଦେ ନାମକ ଚାଷୀଙ୍କ ଜମିରେ ଥିବା ଗୋଟିଏ ଗଛ ତାଙ୍କ ଭାଗ୍ୟ ବଦଳାଇ ଦେଇଛି ।
ଘଟଣା ହେଉଛି, ଟ୍ରେନ୍ ଟ୍ରାକ୍ ପାଇଁ ଜମି ଅଧିଗ୍ରହଣ ହେବାର ଥିଲା । ଏଥିପାଇଁ ରେଲୱେ ବିଭାଗର କିଛି ଅଧିକାରୀ ସେହି ଅଞ୍ଚଳକୁ ସର୍ବେକ୍ଷଣ କରିବାକୁ ଯାଇଥିଲେ । ଅଧିଗ୍ରହଣ ହେବାକୁ ଥିବା ଜାଗାରେ ପଡୁଥିଲା ଚାଷୀ କେଶବ ସିନ୍ଦେଙ୍କ ଜମି । ଜମି ମାପଚୁପ ହେଉଥିବାବେଳେ ସେଠାରେ ଉପସ୍ଥିତ ଥିଲେ ବରିଷ୍ଠ ଅଧିକାରୀ, ଇଞ୍ଜିନିୟର ଓ କେଶବ ସିନ୍ଦେ । ହେଲେ ସେଠାରେ ଅଧିକାରୀ ଯାହା ଦେଖିଲେ ସେଥିରେ ଆଶ୍ଚର୍ଯ୍ୟ ହୋଇଗଲେ । କେଶବଙ୍କ ୭ ଏକର ପୈତୃକ ଜାଗା ଉପରେ ଛିଡା ହୋଇଥିଲା ପାଖାପାଖି ଶହେ ବର୍ଷର ବିଶାଳ ଗଛ । ହେଲେ ତାହା କି ଗଛ ସେ ବିଷୟରେ କେଶବ କିମ୍ବା ତାଙ୍କ ଗାଁ ଲୋକ କେହି କିଛି ଜାଣିନଥିଲେ ।
ରେଲୱେ ଅଧିକାରୀ ଏହାକୁ ଚିହ୍ନିପାରିଥିଲେ । କହିଥିଲେ, ଏହା ଏକ ମୂଲ୍ୟବାନ୍ ରକ୍ତ ଚନ୍ଦନ ଗଛ । ଏକଥା ଶୁଣି ଖୁସି ହୋଇଯାଇଥିଲେ କେଶବ । ଜଣେ ଅଭିଜ୍ଞ ବ୍ୟକ୍ତିଙ୍କୁ ପଚାରିବାରୁ ଏହାର ମୂଲ୍ୟ ସେ ଆକଳନ କରିଥିଲେ । ଗଛଟିର ମୂଲ୍ୟ ପାଖାପାଖି ୪ କୋଟି ୯୭ ଲକ୍ଷ ହେବ ବୋଲି କହିଥିଲେ । ହେଲେ ଏକଥା ଶୁଣି ପଛଘଞ୍ଚା ଦେଇଥିଲା ରେଲୱେ ବିଭାଗ । ଅଧିଗ୍ରହଣ ହେବାକୁ ଥିବା ରକ୍ତ ଚନ୍ଦନ ଗଛର ଏତେ ମୂଲ୍ୟ ଦେବାକୁ ମନା କରିଦେଇଥିଲେ । ହେଲେ ଏହା ବିରୋଧରେ କୋର୍ଟର ଦ୍ବାରସ୍ଥ ହୋଇଥିଲେ କେଶବ । କେଶବ ପୂରା ଘଟଣା କହିଲା ପରେ ମୁମ୍ବାଇ ହାଇକୋର୍ଟର ନାଗପୁର ବେଞ୍ଚ ଏହାର ଶୁଣାଣି କରିଥିଲେ । ଗଛ ବାବଦରେ ୧କୋଟି ଟଙ୍କା ଦେବାକୁ ରେଲୱେକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ସେଥିରୁ ୫୦ ହଜାର ଟଙ୍କା କୋର୍ଟରେ ଜମା ରଖିବା ସହ ବାକି ୫୦ ଲକ୍ଷ ଟଙ୍କା ଚାଷୀ ଉଠାଇପାରିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।