କନକ ବ୍ୟୁରୋ: ଶ୍ରୀମନ୍ଦିର ମୁଖଶାଳାକୁ ଫେରିବ କି ଦଶାବତାର ମୂର୍ତ୍ତି! ଦୀର୍ଘ ୧୨ ବର୍ଷ ଧରି ଶ୍ରୀହୀନ ହୋଇଛି ଶ୍ରୀମନ୍ଦିର ମୁଖଶାଳା। ନିର୍ମାଣର ୧୨ ବର୍ଷ ପରେ ବି ଶିଳ୍ପୀ ଦୁଆରେ ଖରା ବର୍ଷାରେ ପଡି ରହିଛନ୍ତି ନବନିର୍ମିତ ଦଶାବତାର ମୂର୍ତ୍ତି। ତେବେ ମୂର୍ତ୍ତିରେ ନବମ ଅବତାରରେ ସ୍ଵୟଂ ଜଗନ୍ନାଥ ରହିବେ ନା ବୁଦ୍ଧ ରହିବେ ଏହାକୁ ନେଇ ହୋଇଥିବା ବିବାଦ କୋର୍ଟରେ ଗଡୁଛି। ତେବେ ମରାମତି ବା ସଂରକ୍ଷଣ ବେଳେ ସମାନ କିମ୍ବା ଅବିକଳ ମୂର୍ତ୍ତି ସ୍ଥାପନ କରିବାର ନିୟମ ରହିଥିବାରୁ ଅଛିଣ୍ଡା ବିବାଦରେ ଛନ୍ଦି ହୋଇଛି ଏଏସଆଇ ।
ସିଂହଦ୍ବାରରେ ଦଶାବତାର ମୂର୍ତ୍ତି ଫେରାଇ ଆଣିବାକୁ ଦାବି ତେଜିଛି । ଦଶାବତାର ମୂର୍ତ୍ତିକୁ ନେଇ ଦୁଇ ଗୋଷ୍ଠୀଙ୍କ ବିବାଦ ଯୋଗୁଁ ୧୨ ବର୍ଷ ହେଲା ଶ୍ରୀମନ୍ଦିର ମୁଖଶାଳାରେ ପ୍ରତିଷ୍ଠା ହୋଇପାରୁନି ମୂର୍ତ୍ତି। ବାଦ ବିବାଦ ଯୋଗୁଁ ଶିଳ୍ପୀ ଦୁଆରେ ଖରା ବର୍ଷରେ ପଡ଼ିରହିଛି ନବନିର୍ମିତ ମୂର୍ତ୍ତି। ୨୦୧୨ରେ ସିଂହଦ୍ୱାର ମରାମତି ବେଳେ ଚୁନରେ ତିଆରି ଦଶାବତାର ମୁର୍ତିକୁ କାଢି ନେଇଥିଲା ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ପ୍ରତ୍ନତତ୍ତ୍ଵ ସଂସ୍ଥା । ଏହାପରେ ବୀରହରେକୃଷ୍ଣପୁରର ନିର୍ମାଣ ଅନୁଷ୍ଠାନକୁ ଅବିକଳ ଦଶାବତାରର ମୁର୍ତି ତିଆରି କରିବାକୁ କୁହାଯାଇଥିଲା । କିନ୍ତୁ ୧୨ ବର୍ଷ ପରେ ବି ନା ମୂର୍ତ୍ତି ଶ୍ରୀମନ୍ଦିର ଆସିପାରୁଛି ନା ଶିଳ୍ପୀ ତା ପାଉଣା ପାଇପାରୁଛି ।
ଦଶାବତାର ମୂର୍ତ୍ତିରେ ନବମ ଅବତାରରେ ବୁଦ୍ଧ ରହିବେ ନା ଜଗନ୍ନାଥ । ଏହାକୁ ନେଇ ଜୋର ଧରିଛି ଶାସ୍ତ୍ରୀୟ ବିବାଦ। ଚୂନର ମୂର୍ତ୍ତିରେ ନବମ ସ୍ଥାନରେ ବୁଦ୍ଧ ରହିଥିବା ବେଳେ ଏବେ ପଥର ମୂର୍ତିରେ ଶ୍ରୀଜଗନ୍ନାଥ ରହିବାକୁ ବିରୋଧ ହେଉଛି। ଶ୍ରୀଜଗନ୍ନାଥ ଅବତାର ନୁହଁନ୍ତି । ସେ ଅବତାରୀ ବୋଲି ଯୁକ୍ତି ବାଢ଼ିଛି ଗୋଟିଏ ଗୋଷ୍ଠୀ । ବିବାଦ ହାଇକୋର୍ଟରେ ପହଞ୍ଚିଥିବାରୁ ତୁଟି ପାରୁନି । ତେବେ ଦଶାବତାର ମୂର୍ତ୍ତି ପୁନଃସ୍ଥାପନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ତଥା ରାଜ୍ୟ ସରକାର ଗୁରୁତ୍ବ ଦିଅନ୍ତୁ ବୋଲି କହିଛନ୍ତି ବିଭିନ୍ନ ଅନୁଷ୍ଠାନ।
କେବେ ତୁଟିବ ଶ୍ରୀମନ୍ଦିର ଦଶାବତାର ମୂର୍ତ୍ତି ବିବାଦ? ସିଂହଦ୍ବାର ଗୁମୁଟକୁ ମୂର୍ତ୍ତି ଫେରାଇ ଆଣିବାକୁ ଏବେ ଦାବି ତେଜିଛି । ଆଗକୁ କଣ ରହିବ ଶ୍ରୀମନ୍ଦିର ପ୍ରଶାସନର ପରବର୍ତ୍ତୀ ପଦକ୍ଷେପ ତା ଉପରେ ସମସ୍ତଙ୍କ ନଜର ।