କନକ ବ୍ୟୁରୋ : ୨୦୦୬ ମସିହାରେ କଙ୍ଗନା ରଣାୱତ , ଇମରାନ୍ ହାସମି ଏବଂ ସାଇନି ଆହୁଜାଙ୍କ ଅଭିନିତ ସିନେମା ଗ୍ୟାଙ୍ଗଷ୍ଟାର୍ ଏ ଲଭ୍ ଷ୍ଟୋରି ରିଲିଜ୍ ହୋଇଥିଲା । ସିନେମାଟି ଲୋକଙ୍କୁ ଯେତେ ଆକୃଷ୍ଟ କରିଥିଲା ଏହାର ସଙ୍ଗୀତ ଗୁଡ଼ିକ ମଧ୍ୟ ସେତେ ପପୁଲାର୍ ହୋଇଥିଲା । ଫିଲ୍ମର ଗୋଟିଏ ଗୀତ ‘ୟା ଅଲ୍ଲି ରେହମ୍ ଅଲ୍ଲି’ ସେତେବେଳେ ପ୍ରତିଟି ଯୁବପିଢ଼ିଙ୍କ ମନପସନ୍ଦର ଗୀତ ପାଲଟିଥିଲା । ତେବେ ଏହି ଗୀତଟିକୁ ଗାଇଥିବା ଆସାମୀ ଗାୟକ ଜୁବିନ୍ ଗର୍ଗଙ୍କ ମାତ୍ର ୫୨ ବର୍ଷ ବୟସରେ ମୃତ୍ୟୁ ଘଟିଛି । ସିଙ୍ଗାପୁରରେ ସ୍କୁବା ଡାଇଭିଂ ଦୁଃସାହସିକ କ୍ରୀଡ଼ା କରୁଥିବା ସମୟରେ ଏହି ଆସାମୀ ଗାୟକଙ୍କର ମୃତ୍ୟୁ ଘଟିଛି । ତେବେ ଦୁର୍ଘଟଣା ପୂର୍ବରୁ ତାଙ୍କର ଏକ ଭିଡିଓ ଇଣ୍ଟରନେଟରେ ଭାଇରାଲ୍ ହୋଇଛି । ଭିଡିଓରେ ମୃତ୍ୟୁ ପୂର୍ବରୁ ଗର୍ଗଙ୍କୁ ଶେଷ ମୁହୂର୍ତ୍ତରେ ଦେଖାଯାଉଛି । କ୍ଲିପରେ ଗାୟକଙ୍କୁ ଏକ ଲାଇଫ୍ ଜ୍ୟାକେଟ୍ ସଜାଡ଼ି ପହଁରା ଉପଭୋଗ କରିବା ପାଇଁ ସମୁଦ୍ରକୁ ଡେଇଁ ପଡ଼ୁଥିବାର ଦେଖାଯାଉଛି ।
/filters:format(webp)/kanak/media/media_files/2025/09/21/jubin-2025-09-21-12-22-34.jpg)
ଶନିବାର ଉତ୍ତର-ପୂର୍ବ ମହୋତ୍ସବରେ ପ୍ରଦର୍ଶନ କରିବାକୁ ଥିବା ଗର୍ଗ ସମୁଦ୍ର ଯାତ୍ରା ସମୟରେ ଅସୁସ୍ଥ ହୋଇପଡ଼ିଥିଲେ । ସେ ଅସୁସ୍ଥ ହେବା ପରେ ତାଙ୍କୁ ଉଦ୍ଧାର କରାଯାଇ ଆଇସିୟୁରେ ଭର୍ତ୍ତି କରାଯିବା ସତ୍ତ୍ୱେ ଡାକ୍ତରମାନେ ତାଙ୍କୁ ବଞ୍ଚାଇ ପାରିନଥିଲେ । ତେବେ ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ୍ସ ପୋଷ୍ଟ୍ ଜରିଆରେ ଶୋକ ପ୍ରକାଶ କରି ଲେଖିଛନ୍ତି, "ଲୋକପ୍ରିୟ ଗାୟିକା ଜୁବୀନ ଗର୍ଗଙ୍କ ଆକସ୍ମିକ ମୃତ୍ୟୁରେ ମୁଁ ମର୍ମାହତ । ସଙ୍ଗୀତ ପ୍ରତି ସମୃଦ୍ଧ ଅବଦାନ ପାଇଁ ତାଙ୍କୁ ମନେ ରଖାଯିବ ।" ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ଏହି ଦୁଃଖଦ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ସେ ଲେଖିଛନ୍ତି, "ଆଜି ଆସାମ ତାର ପ୍ରିୟ ପୁଅମାନଙ୍କ ମଧ୍ୟରୁ ଜଣଙ୍କୁ ହରାଇଲା । ଜୁବିନ ଆସାମ ପାଇଁ କ'ଣ କହିଥିଲେ ତାହା ବର୍ଣ୍ଣନା କରିବା ପାଇଁ ମୋର ଶବ୍ଦ ନାହିଁ । ସେ ବହୁତ ଶୀଘ୍ର ଚାଲିଯାଇଛନ୍ତି, ଏହା ଯିବାର ବୟସ ନଥିଲା ।"