କନକ ବ୍ୟୁରୋ : ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ଶନମୁଗରତ୍ନମ ଦୁନିଆ ଓଡ଼ିଶା ଗସ୍ତ ଓଡ଼ିଶାର ଦକ୍ଷତା ବିକାଶ ଓ ଶିଳ୍ପ ଜଗତ ପାଇଁ ଶୁଭ ସଙ୍କେତ। ବିମାନ ବନ୍ଦରରେ ତାଙ୍କୁ ଭବ୍ୟ ସ୍ୱାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟ ସଚିବ ମନୋଜ ଆହୁଜା । ଉଭୟ ସିଙ୍ଗାପୁର ଏବଂ ଓଡ଼ିଶା ପାଇଁ ଶନମୁଗରତ୍ନମଙ୍କ ଗସ୍ତ ବେଶ ଗୁରୁତ୍ୱପୂର୍ଣ୍ଣ। ଗସ୍ତର ପ୍ରଥମ ଦିନରେ ବିଶ୍ୱ ଦକ୍ଷତା ବିକାଶ କେନ୍ଦ୍ର ବୁଲି ଦେଖିଛନ୍ତି ସିଙ୍ଗାପୁର ରାଷ୍ଟ୍ରପତି । ବିଶ୍ୱ ଦକ୍ଷତା ବିକାଶ କେନ୍ଦ୍ର ପରିସରରେ ଓଡ଼ିଶା ସରକାର ଓ ସିଙ୍ଗାପୁରରୁ ବିଭିନ୍ନ ସଂସ୍ଥା ସହ ୮ଟି ଏମଓୟୁ ସ୍ୱାକ୍ଷରିତ ହୋଇଛି ।
ସ୍ୱାକ୍ଷର ହେଲା ୮ଟି ଏମଓୟୁ
ଦକ୍ଷତା ବିକାଶ, ଅକ୍ଷୟ ଶକ୍ତି, ସବୁଜ ଶକ୍ତି, ସେମିକଣ୍ଡକ୍ଟର, ଇଣ୍ଡଷ୍ଟ୍ରିଆଲ ପାର୍କ, ଲଜିଷ୍ଟିକ, ସହରାଞ୍ଚଳ ବିକାଶ, ପେଟ୍ରୋ କେମିକାଲ କ୍ଷେତ୍ର ପାଇଁ ଚୁକ୍ତି ସ୍ୱାକ୍ଷର ହୋଇଛି । ଉତ୍କର୍ଷ ଓଡ଼ିଶା ପୂର୍ବରୁ ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଗସ୍ତ ପୁଞ୍ଜିନିବେଶର ଦ୍ୱାର ଖୋଲି ଦେଇଛି । ଏହା ଆଗକୁ ସିଙ୍ଗାପୁର ଏବଂ ଓଡ଼ିଶା ମଧ୍ୟରେ ବ୍ୟବସାୟିକ ଓ ସାଂସ୍କୃତିକ ସଂପର୍କକୁ ଦୃଢୀଭୂତ କରିବ ଏଥିରେ ସନ୍ଦେହ ନାହିଁ । ଓଡ଼ିଶାରେ ନିବେଶ ଓ ସିଙ୍ଗାପୁର ସହଯୋଗରେ ନୂଆ ଓଡ଼ିଶା ଓ ସମୃଦ୍ଧ ଓଡ଼ିଶା ଗଠନରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଗସ୍ତର ଅନ୍ତିମ ଦିନରେ ରଘୁରାଜପୁର ହେରିଟେଜ ଭିଲେଜ ବୁଲି ଦେଖିବେ । ଏହାପରେ ଆଇଓସିଏଲ ଯିବେ ସିଙ୍ଗାପୁର ରାଷ୍ଟ୍ରପତି । ବିଶ୍ୱର ସପ୍ତାଶ୍ଚର୍ଯ୍ୟ କୋଣାର୍କ ମନ୍ଦିର ପରିଦର୍ଶନ କରିବେ । ଅପରାହ୍ନରେ ଅନ୍ଧାରୁଆରେ ଥିବା ଭାରତ ବାୟୋଟେକର ଟୀକା ପ୍ରସ୍ତୁତ କେନ୍ଦ୍ର ପରିଦର୍ଶନ କରି ଅଧିକାରୀମାନଙ୍କ ସହ ଆଲୋଚନା କରିବେ।