କନକ ବ୍ୟୁରୋ : ପାଗରେ ପରିବର୍ତ୍ତନ ହୋଇଛି, ବର୍ଷା ଋତୁ ଆରମ୍ଭ ହୋଇଛି । ଆଉ ଏଭଳି ସମୟରେ ଓଡିଶାକୁ ଘାରିଛି ରୋଗର ଭୟ । ଲଘୁଚାପ ବର୍ଷା ଲାଗିରହିଥିବାବେଳେ ଡାଇରିଆ, ଡେଙ୍ଗୁ, ଜଣ୍ଡିସ ଓ ଥଣ୍ଡାଜ୍ବରରେ ଘାଣ୍ଟିହେଉଛି ଓଡିଶା  । ଯାଜପୁରରୁ ଆରମ୍ଭ ହୋଇଥିବା ଡାଇରିଆ ସଂକ୍ରମଣ ଜିଲ୍ଲାକୁ ଜିଲ୍ଲା ଡେଇଁଲାଣି । ୯ରୁ ଅଧିକ ଜିଲ୍ଲାକୁ ବ୍ୟାପିଲାଣି ଡାଇରିଆ ସଂକ୍ରମଣ । ଯାଜପୁରରେ ହଇଜା ରୋଗୀ ସଂଖ୍ୟା ବୃଦ୍ଧି ପାଉଛି । ଯାଜପୁର ସହ ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା, କେନ୍ଦୁଝର, ପୁରୀ, ଭଦ୍ରକ ଢେଙ୍କାନାଳ, ବାଲେଶ୍ବର, ମୟୂରଭଞ୍ଜ ରେ ଚିହ୍ନଟ ହୋଇଛନ୍ତି ଡାଇରିଆ ଆକ୍ରାନ୍ତ । ବିଷ ଭଳି ହୋଇଯାଇଛି ପିଇବା ପାଣି । ଫୁଟାପାଣି ପିଇବା ଏକମାତ୍ର ବିକଳ୍ପ । ବାହାର ପାଣି ପିଇବାକୁ ଭୟ କଲେଣି ଲୋକେ  । 

Advertisment

ଡାଇରିଆକୁ ନେଇ ଉପକୂଳ ଓ ଉତ୍ତର ଓଡ଼ିଶାରେ ହାହାକାର ପଡିଥିବାବେଳେ, ଖୋର୍ଦ୍ଧା ଓ ଦକ୍ଷିଣଓଡ଼ିଶାକୁ ଘାରିଛି ଡେଙ୍ଗୁ ଭୟ । ବର୍ଷା ଦିନ ଆରମ୍ଭରୁ ଘରେ ଘରେ ଖୁଁ ଖାଁ ବଢ଼ିବା ସହ  ଥଣ୍ଡା ଜ୍ବର ବ୍ୟାପିଲାଣି । କରୋନା ରୋଗୀଙ୍କ ସଂଖ୍ୟା ବି ଶହେ ଛୁଇଁଛି । ରାୟଗଡା ଭଳି ଜିଲ୍ଳାରେ ଅଜଣା ଜ୍ବର ଲୋକଙ୍କୁ ଡରାଉଛି । ସେହିପରି ଭୁବନେଶ୍ବରରେ ଜଣ୍ଡିସ ମୁଣ୍ଡବିନ୍ଧାର କାରଣ ପାଲଟିଛି ।  ତେଣୁ ସତର୍କ ରହିବାକୁ ବିଶେଷଜ୍ଞ ପରାମର୍ଶ ଦେଲେଣି । 

 ଦୂଷିତ ପାଣି ଓ ବାସିଖାଦ୍ୟ ଅଧିକାଂଶ ରୋଗର ମୁଖ୍ୟ କାରଣ ହୋଇଛି । ବିଭିନ୍ନ ଜିଲ୍ଲା ପ୍ରଶାସନ ବିଭିନ୍ନ ସ୍ଥାନରେ ଜୋରଦାର ଚଢାଉ କରୁଛନ୍ତି । ପାଣି ଓ ଖାଦ୍ୟନମୁନା ଯାଂଚ ଚାଲିଛି । ତେଣୁ ସ୍ଥିତି ନିୟନ୍ତ୍ରଣକୁ ନ ଆସିବା ଯାଏଁ ନିଜେ ସୁରକ୍ଷିତ ରହିବା ସହ ଖାଦ୍ୟ ଓ ପିଇବା ପାଣି ଉପରେ ଦୃଷ୍ଟି ରଖିବାକୁ କୁହାଯାଇଛି ।