କନକ ବ୍ୟୁରୋ: କନକ ନ୍ୟୁଜରେ ଖବର ବାଜିଲା, ଚେତିଲା ପ୍ରଶାସନ । ଛତୁଆ ବାଣ୍ଟିବା ଚୁକ୍ତିରୁ ବହିଷ୍କାର ହେଲା ନିମ୍ନମାନର ଛତୁଆ ତିଆରି କରୁଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ । ଆଗାମୀ ଦିନରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସମାଜ ମଙ୍ଗଳ ଅଧିକାରୀଙ୍କ ଚେତାବନୀ । ସିମୁଳିଆ ବ୍ଲକରେ ଲକ୍ଷ୍ମୀ ନାରାୟଣ ଗାଦି ସ୍ୱୟଂ ସହାୟିକା ଗୋଷ୍ଠୀ ୧୧ଟି ପଞ୍ଚାୟତରେ ଅଙ୍ଗନବାଡି କେନ୍ଦ୍ର ଗର୍ଭବତୀ, ପ୍ରସୂତି ଓ ଶିଶୁଙ୍କ ପାଇଁ ଛତୁଆ ଯୋଗାଇ ଆସୁଥିଲେ । କିନ୍ତୁ ୬ ମାସ ହେଲାଣି ବିନା ଫୁଡ୍ ଲାଇସେନ୍ସ ରେ ଏହି ଗୋଷ୍ଠୀ ଛତୁଆ ଯୋଗାଉଥିବା ବେଲେ ନିମ୍ନ ମାନର ଛତୁଆ ବୋଲି ସରକାରୀ ରିପୋର୍ଟ କହୁଛି ।
ଏନେଇ ଜିଲ୍ଲା ପ୍ରଶାସନ ଓ ମୂଖ୍ୟ ମନ୍ତ୍ରୀଙ୍କୁ ଅଭିଯୋଗ କରିଥିଲେ ସ୍ଥାନୀୟ ଲୋକେ। ଏ ସଂକ୍ରାନ୍ତରେ କନକ କ୍ରମାଗତ ଭାବେ ଖବର ପ୍ରସାରିତ କରିବା ପରେ ଆକ୍ସନକୁ ଆସିଥିଲା ଜିଲ୍ଲା ପ୍ରଶାସନ। ପ୍ରଥମେ ତଦନ୍ତ ରେ ଅଟକି ଥିଲା ମାମଲା। ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ ଜିଲ୍ଲାପାଳ । ଶନିବାର ଏହା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା କହିଛନ୍ତି ସମାଜ ମଙ୍ଗଳ ଅଧିକାରିଣୀ ଗୌରୀ ମଣି ନାୟକ। ଏହି ଗୋଷ୍ଠୀ ନିମ୍ନ ମାନର ଛତୁଆ ଯୋଗାଉଥିବା ଓ ଫୁଡ୍ ଲାଇସେନ୍ସ ନଥିବା ପ୍ରମାଣିତ ହୋଇ ତାକୁ ଆଧାର କରି ହୋଇଥିବା ଚୁକ୍ତିକୁ ନାକଚ କରାଯାଇଛି । ନିୟମ ଅନୁସାରେ ରିକଭରୀ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।