କନକ ବ୍ୟୁରୋ : କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ । ଛତୁଆ ପ୍ରସ୍ତୁତି ପାଇଁ ସଂପୃକ୍ତ ଏସଏଚଜିକୁ  ଦିଆଯାଇଥିବା ଗହମକୁ ସ୍ଥଗିତ ରଖିବାକୁ ଜିଲ୍ଲା ମଙ୍ଗଳ ଅଧିକାରୀ ଚିଠି କରିଛନ୍ତି । ୪ ମାସ ଧରି ନିମ୍ନମାନର ଛୁତୁଆ ଯୋଗାଣ ସତ୍ବେ ମାମଲା କିଭଳି ତଦନ୍ତରେ ଅଟକି ରହିଥିଲା ତାହା ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଇଏ ହେଉଛି ସିମୁଳିଆ ସିଡିପିଓଙ୍କୁ ବାଲେଶ୍ୱର ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଲେଖିଥିବା ଚିଠି ।  ଚିଠିରେ ଛତୁଆ ପ୍ରସ୍ତୁତି ପାଇଁ ମା ଲକ୍ଷ୍ମୀ ନାରାୟଣ ଏସଏଚଜିକୁକୁ ଦିଆଯାଇଥିବା ଗହମ ଆଲଟମେଂଟକୁ ସ୍ଥଗିତ ରଖିବାକୁ  ନିର୍ଦ୍ଦେଶ ଦିଆଯାଇଛି ।

Advertisment

ବାଲେଶ୍ବର ସିମୁଳିଆ ବ୍ଲକ୍ ୧୧ଟି ପଞ୍ଚାୟତରେ ଛତୁଆ ପ୍ରଦାନ ପାଇଁ ପୁଣି ଥରେ ଲକ୍ଷ୍ମୀ ନାରାୟଣ ଏସଏଚଜିକୁ ମିଳିଥିଲା ଗହମ । ଏହି ଏସଏଚଜି ବିରୋଧରେ ଫୁଡ ଲାଇସେନ୍ସ ନ ଥିବା ନିମ୍ନ ମାନର ଛତୁଆ ବଣ୍ଟନ କରୁଥିବା ସରକାରୀ ରିପୋର୍ଟ ଆସିଥିଲା । ଏନେଇ କନକ ନ୍ୟୁଜରେ ଖବର ପ୍ରସାରଣ ପରେ ତଦନ୍ତ ହେଉଛି ବୋଲି ଅତିରିକ୍ତ ଜିଲ୍ଲାପାଳ କହିଥିଲେ । ତଦନ୍ତ ପ୍ରକ୍ରିୟା ଚାଲୁଥିବାବେଳେ ଗତ ୮ ତାରିଖ ଦିନ ସମାଜ ମଙ୍ଗଳ ଅଧିକାରୀ ଏହି ଏସଏଚଜିକୁ ଛତୁଆ ପ୍ରସ୍ତୁତି ପାଇଁ ଗହମ ଦେବାକୁ ଚିଠି କରିଥିଲେ । ପୁଣି ଏ ନେଇ ଖବର ବାଜିବା ପରେ ଆକ୍ସନକୁ ଆସି ଗହମ ଆଲମେଂଟକୁ ସ୍ଥିଗତ ରଖାଯାଇଛି ।

ତଥ୍ୟ ଅନୁସାରେ ଆଜିକୁ ୬ ମାସ ହେବ ଛତୁଆ ଯୋଗାଉଥିବା ଲକ୍ଷ୍ମୀନାରାୟଣ ଏସଏଚଜି ପାଖରେ  ଖାଦ୍ୟ ଲାଇସେନ୍ସ ନାହିଁ । ମାସ ମାସ ଧରି ନିମ୍ନମାନର  ଛତୁଆ ପ୍ରସ୍ତୁତ ହେଉଥିବା ରିପୋର୍ଟ କହୁଛି ।  ଜିଲ୍ଲା ପ୍ରଶାସନ ଓ ମୁଖ୍ୟମନ୍ତ୍ରୀଙ୍କୁ  ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ତାସତ୍ତ୍ବେ ତଦନ୍ତରେ ଅଟକିଛି ମାମଲା । ଜିଲ୍ଲାପାଳ କହିଛନ୍ତି କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଏଫଭିଓ-ରାଜିନାମା ଅନୁସାରେ, ନିମ୍ନମାନର ଛତୁଆ ଦେଲେ ସଂପକ୍ତ ସଂସ୍ଥାକୁ  କାରଣ ଦର୍ଶାଅ ନୋଟିସ ସହ  ଲାଇସେନ୍ସ ରଦ୍ଦ ହେବା କଥା । ତେବେ ୪ ମାସ ଧରି କ୍ରମାଗତ ନିମ୍ନମାନର ଛତୁଆ ଯୋଗାଉଥିବା ସରକାରୀ ରିପୋର୍ଟ ଆସିବା ପରେ କେବଳ ତଦନ୍ତରେ ମାମଲା ଅଟକିବା ଅନେକ ପ୍ରଶ୍ନ ସୃଷ୍ଟି କରିଛି । ପ୍ରଶ୍ନ ଉଠୁଛି, ତଦନ୍ତକୁ ବାଟବଣା କରୁଛି କିଏ? ଲାଇନସେନ୍ସ ନାହିଁ ବୋଲି କେମିତି ଜାଣିପାରିଲେନି ଅଧିକାରୀ ?