କନକ ବ୍ୟୁରୋ : କନକ ନ୍ୟୁଜର ମହା ପ୍ରଭାବ । ନିମ୍ନ ମାନର ଛତୁଆ ଯୋଗାଉଥିବା ସ୍ବୟଂ ସହାୟକ ଗୋଷ୍ଠୀ ହାତରୁ ଫେରାଇ ନିଆଗଲା ଗହମ ବଣ୍ଟନ କାମ । ବାଲେଶ୍ବର ସିମୁଳିଆ ବ୍ଲକ୍ ୧୧ଟି ପଞ୍ଚାୟତରେ ହିତାଧିକାରୀଙ୍କୁ ଗହମ ବଣ୍ଟନ ନେଇ ସେହି ସ୍ୱୟଂ ସହାୟକ ଗୋଷ୍ଠୀକୁ ଦାୟିତ୍ବ ଦିଆଯାଇଥିଲା । ଯାହା ବିରୋଧରେ ହୋଇଥିଲା ନିମ୍ନ ମାନର ଛତୁଆ ବଣ୍ଟନ ଅଭିଯୋଗ । ଏନେଇ କନକ ନ୍ୟୁଜରେ ହୋଇଥିଲା ଖବର ପ୍ରସାରଣ । ବାଲେଶ୍ବର ଜିଲ୍ଲା ପ୍ରଶାସନ କାର୍ଯ୍ୟଶୈଳୀକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା ।
ଖବର ପ୍ରସାରଣ ପରେ ଏବେ ଚିଠି କରି ପୁଣିଥରେ ସେହି ଏସଏଚଜି ଠାରୁ ଗହମ ବଣ୍ଟନ କାମ ଫେରାଇ ନିଆଯାଇଛି । ୨ ଦିନ ତଳେ ସଂପୃକ୍ତ ଗୋଷ୍ଠୀ କୁ ୧୯୫ କୁଇଁଣ୍ଟାଲ ଗହମ ବାଣ୍ଟିବାକୁ ଚିଠି କରିଥିଲା ଜିଲ୍ଲା ପ୍ରଶାସନ । ସିମୁଳିଆ ବ୍ଲକ୍ ୧୧ଟି ପଞ୍ଚାୟତରେ ଗତି କିଛିମାସ ଧରି ଛତୁଆ ଦୁର୍ନୀତି ନେଇ ଅଭିଯୋଗ ହୋଇ ଆସୁଛି । ଏନେଇ ବିଧାନସଭାରେ ବି ପ୍ରସଙ୍ଗ ଉଠିଛି । ସ୍ଥାନୀୟ ଲୋକେ ଜିଲ୍ଲାପାଳଙ୍କ ନିକଟରେବି ଅନେକ ଥର ଅଭିଯୋଗ କରିଛନ୍ତି ।
ଯେଉଁ ଏସଏଚଜି ଗ୍ରୁପକୁ ଛତୁଆ ବାଣ୍ଟିବା ଦାୟିତ୍ବ ଦିଆଯାଇଥିଲା, ତାହାର ଲାଇସେନ୍ସ ଗତ ମାର୍ଚ୍ଚ ମାସରୁ ସରି ସାରିଛି । ଆଉ ଏହି ଗୋଷ୍ଠୀ ଗର୍ଭବତୀଙ୍କୁ ନିମ୍ନମାନର ଛତୁଆ ଦେଇ ଆସୁଥିବା ଅଭିଯୋଗ ହୋଇଥିଲା । ଏହା ସତ୍ୱେ ସେହି ଗୋଷ୍ଠୀକୁ ଗହମ ବାଣ୍ଟିବା ଦାୟିତ୍ବ ଦିଆଯାଇଥିଲା । ସେପଟେ ଛତୁଆ ଦୁର୍ନୀତି ନେଇ ତଦନ୍ତ ଚାଲିଥିବା କହିଛନ୍ତି ଜିଲ୍ଲାପାଳ ସୁର୍ଯ୍ୟବଂଶୀ ମୟୁରବିକାଶ ।