କନକ ବ୍ୟୁରୋ: ରଜନୀକାନ୍ତ କାମରୁ ବିରତି ନେଇ ଏକ ଆଧ୍ୟାତ୍ମିକ ଯାତ୍ରାରେ ଅଛନ୍ତି । ସେ ରାସ୍ତାପାର୍ଶ୍ବରେ ଧୋତି ଓ କୁର୍ତ୍ତା ପିନ୍ଧି ଠିଆ ହୋଇ ଏକ ପତ୍ରଥାଳିରେ ଖାଦ୍ୟ ଖାଉଥିବା ଦେଖିବାକୁ ମିଳୁଛି । ଏ ସମୟରେ ତାଙ୍କର ଅତି ସରଳ ଜୀବନଶୈଳୀ ଦେଖିବାକୁ ମିଳିଛି ।
ସୁପରଷ୍ଟାର ରଜନୀକାନ୍ତ କାମରୁ ବିରତି ନେଇ ଏକ ଆଧ୍ୟାତ୍ମିକ ଯାତ୍ରାରେ ଅଛନ୍ତି । ଏଭଳି ସମୟରେ ଋଷିକେଶରୁ ତାଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ସେ ରାସ୍ତାପାର୍ଶ୍ବରେ ଧୋତି ଓ କୁର୍ତ୍ତା ପିନ୍ଧି ଠିଆ ହୋଇ ଏକ ପତ୍ରଥାଳିରେ ଖାଦ୍ୟ ଖାଉଥିବା ଦେଖିବାକୁ ମିଳୁଛି ।
ପ୍ରଶଂସକମାନେ ରଜନୀକାନ୍ତଙ୍କ ଏହି ସରଳ ଜୀବନକୁ ଖୁବ ପ୍ରଶଂସା କରିଛନ୍ତି । ରଜନୀକାନ୍ତ ଦ୍ୱାରହାଟ ଏବଂ ବଦ୍ରିନାଥ ଧାମ ମଧ୍ୟ ପରିଦର୍ଶନ କରିଛନ୍ତି । ଏହି ଗସ୍ତ ସମୟରେ ସେ ଗଙ୍ଗା ଆଳତୀ କରିବା ସହିତ ପାହଡ଼ରେ ବସି ତପସ୍ୟା କରୁଥିବାର ବି ନଜର ଆସିଛି । ଏହି ଯାତ୍ରାକୁ ନେଇ ରଜନୀକାନ୍ତ କହିଛନ୍ତି, ‘ମୋର ଏହି ଯାତ୍ରା ଖୁବ ନିଆରା ରହିଛି । ମନକୁ ଏକ ଅଦ୍ଭୁତ ଶାନ୍ତି ମିଳୁଛି’ ।
ରଜନୀକାନ୍ତଙ୍କ ବୃତ୍ତିଗତ ଜୀବନ କଥା କହିବାକୁ ଗଲେ ତାଙ୍କୁ ଫିଲ୍ମ ‘ଜେଲର ୨’ ରେ ଦେଖିବାକୁ ମିଳିବ । ଏହି ଫିଲ୍ମଟି ଆସନ୍ତା ବର୍ଷ ଜୁନରେ ମୁକ୍ତିଲାଭ କରିବ । ଫିଲ୍ମର କିଛି ଅଂଶ ସୁଟିଂ ସରିଥିବା ବେଳେ ଆଉ କିଛି ଅଂଶ ଏବେ ବି ବାକି ଅଛି । ରଜନୀକାନ୍ତଙ୍କ ସ୍ୱାସ୍ଥ୍ୟକୁ ଧ୍ୟାନରେ ରଖି ଫିଲ୍ମଟି ସୁଟିଂ କରାଯାଉଛି ।