କନକ ବ୍ୟୁରୋ: ଆଜିକାଲି ସମସ୍ତେ ଚାହୁଛନ୍ତି, ତାଙ୍କ ଚେହେରା ସବୁବେଳେ  ଚମକୁଥାଉ । ଚେହେରା ସବୁବେଳେ ସତେଜ ଦେଖାଯାଉ । କିନ୍ତୁ ଏଥିପାଇଁ ଯେ ସବୁବେଳେ ଦାମୀ ବିଉଟି ପ୍ରଡକ୍ଟ ବା ବ୍ୟୟବହୁଳ ଟ୍ରିଟମେଣ୍ଟ କରିବାକୁ ପଡ଼ିବ ସେମିତି କିଛି ନାହିଁ । ଆପଣଙ୍କ ଛୋଟ ଛୋଟ ଅଭ୍ୟାସ ଆପଣଙ୍କୁ ସତେଜ ଏବଂ ସୁନ୍ଦର ରଖିବାକୁ ଯଥେଷ୍ଟ । ଏଭଳି କିଛି ଘରୋଇ ଉପଚାର ଅଛି ଯାହା ବର୍ଷ ବର୍ଷ ଧରି ବ୍ୟବହାର ହେଉଛି । ଏହି ଅଭ୍ୟାସ ଗୁଡ଼ିକ କେବଳ ଆପଣଙ୍କ କେଶ ଓ ତ୍ବଚାକୁ ସୁସ୍ଥ ରଖିବ ତା ନୁହେଁ ବରଂ ଆଣଙ୍କୁ ଫିଟ୍ ଆଣ୍ଡ ଫାଇନ୍ ରଖିବାରେ ସାହାଯ୍ୟ କରେ ।

Advertisment

ଉଷୁମ ପାଣି, ଲେମ୍ବୁ ସହ ସକାଳ ଆରମ୍ଭ କରନ୍ତୁ : 

ଲେମ୍ବୁ ପାଣିକୁ ଏକ ପ୍ରାକୃତିକ ଡିଟକ୍ସ ପାନୀୟ ଭାବେ ବ୍ୟବହାର କରାଯାଏ । ଲେମ୍ବୁ ରସ ମିଶ୍ରିତ ଉଷୁମ ପାଣି ପ୍ରତିଦିନ ସକାଳୁ ପିଇଲେ  ଏହା ଶରୀରରୁ ବର୍ଜ୍ୟ ଉପାଦାନକୁ ବାହାର କରିବା ସହ ଶରୀରର ପ୍ରତିଶେଧକ ଶକ୍ତି ବଢ଼ାଇଥାଏ । ଏଥିରେ ପ୍ରଚୂର ଭିଟାମିନ୍ ସି ଥିବାରୁ ଏହାର ଆପଣଙ୍କ ତ୍ବଚାରେ ଚମକ ଆଣିବା ସହ ତ୍ବଚାର କୁଞ୍ଚନ ଦୂର କରେ । ଯଦି ଆପଣଙ୍କୁ ମିଠା ପସନ୍ଦ ତାହେଲେ ଏଥିରେ ମହୁ ମିଶାଇ ପିଇ ପାରନ୍ତି ।

କେଶରେ ତେଲ ମାଲିସ କରନ୍ତୁ : 

ଆମର ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ କେଶର ଭୂମିକା ଗୁରୁତ୍ବପୂର୍ଣ୍ଣ । ତେଣୁ କେଶର ଯତ୍ନ ନେବାକୁ ଜରୁରି। ଏଥିପାଇଁ ସପ୍ତାହରେ ଦୁଇର ୩ ଥର କେଶରେ ନଡ଼ିଆ ତେଲ ହେଉ ବା ବାଦାମ କିମ୍ବା ସୋରିଷ ତେଲ ମାଲିସ କରନ୍ତୁ । ଫଳରେ କେଶ ଉପୁଡ଼ିବା ବନ୍ଦ ହେବା ସହ କେଶ ଘନ କଳା ହୋଇଥାଏ । କେଶ ମୂଳରେ ତେଲ ମାଲିସ କରିବା ଦ୍ବାରା ରକ୍ତ ସଞ୍ଚାଳନ ଭଲ ହେବା ସହ କେଶରେ ଚମକ ଆସିଥାଏ । 

ସୁପର ଫୁଡ୍ସ : 

ଆମ ରୋଷେଇଘରେ ଏଭଳି ଅନେକ ସାମଗ୍ରୀ ଅଛି ଯାହା ଆଣ୍ଟି ଏଜିଂ ଫୁଡ୍‌ ଭାବେ କାମ କରିଥାଏ । ଅଁଅଳା, ହଳଦି ବା ବାଦାମ ଏସବୁକୁ କିଛି କିଛି ମାତ୍ରାରେ ପ୍ରତିଦିନର ଖାଦ୍ୟ ସାରଣୀରେ ସାମିଲ କଲେ ଆମ କେଶ ସହ ତ୍ବଚାରେ ଚମକ ଆସିଥାଏ ।

ଯୋଗ , ବ୍ୟାୟାମ : 

କେବଳ ଖାଇବା ପିଇବା, କାମ କରିବାରେ ଦିନର ୨୪ ଘଣ୍ଟାକୁ ସୀମିତ ରଖିଲେ ହେବନି । ଏହାସହ କିଛି ସମୟର ବ୍ୟାୟାମ ଓ ଯୋଗ ବି ନିହାତି ଜରୁରି। ବିଜ୍ଞାନ କୁହେ,  ମଣିଷର ଶରୀର ଏଭଳି ଭାବେ ଗଠିତ ଯାହା କଠିନ ପରିଶ୍ରମ କରିବା ଢାଞ୍ଚାରେ ଗଢ଼ାହୋଇଛି । ବ୍ୟାୟାମ ନକଲେ ରୋଗ ମାଡ଼ିବସିବାର ଆଶଙ୍କା ବଢ଼ିଯାଏ । ଆଗରୁ ଲୋକେ କୂଅରୁ ପାଣେି କାଢ଼ିବା, ଚକି, ଶିଳ ଆଦି ବ୍ୟବହାର କରିବା ସହ ଢ଼ିଙ୍କିରେ କୁଟାକୁଟି କାମ କରୁଥିଲେ । ଏହା ପୂରା ବ୍ୟୟାମର ଆବଶ୍ୟକତାକୁ ପୂରଣ କରୁଥିଲା । କିନ୍ତୁ ଯେହେତୁ ଆକିଜାଲି ଏସବୁ ନାହିଁ ତେଣୁ ଦିନକୁ ଅନ୍ତତଃ ଅଧଘଣ୍ଟା ବାହାର କରି ବ୍ୟାୟାମ ଓ ଯୋଗ କରିବା ନିହାତି ଜରୁରି । ଏହା ଶରୀରକୁ ଫୂର୍ତ୍ତି ରଖିବା ସହ ତ୍ବଚାରେ ବୟସର ଛାପକୁ ଏତେ ଶୀଘ୍ର ଆସିବାକୁ ଦିଏନି । 

ଭଲ ନିଦ:

ପରିଶ୍ରମ କରୁଛନ୍ତି ମାନେ ଶରୀରକୁ ବିଶ୍ରାମ ଦରକାର,  ନିଦ ବି  ଆବଶ୍ୟକ   । ୨୪ ଘଣ୍ଟା ଭିତରେ ୬ରୁ ୮ ଘଣ୍ଟା ଆରାମରେ ଶୁଅନ୍ତୁ । ଶୋଇବାକୁ ଯିବା ଆଗରୁ ହାଲୁକା ଉଷୁମ ପାଣି ପିଅନ୍ତୁ  । ଏଥିରେ ଅଳ୍ପ ମାତ୍ରାରେ ହଳଦି ମଧ୍ୟ ମିଶାଇପାରିବେ  , ନଚେତ୍ ଉଷୁମ ଖୀର ପିଇପାରିବେ  । ଶୋଇବା ଅଧ ଘଣ୍ଟା ଆଗରୁ ମୋବାଇଲରୁ ଦୂରେଇ ରୁହନ୍ତୁ । ସୁଖ ନିଦ୍ରା ଆପଣଙ୍କ ତ୍ବଚାରେ ଚମକ ଆଣିଦିଏ । 

ହସନ୍ତୁ : 

ମୁହଁର ପ୍ରକୃତ ଅଳଙ୍କାର ହେଉଛି ହସ । ଯଦି ଆପଣଙ୍କ ମୁହଁରେ ଚେନାଏ ହସ ଲାଖି ରହିଛି ତାହେଲେ ମୁହଁର ସୌନ୍ଦର୍ଯ୍ୟ ଆପେ ଆପେ ବଢ଼ିଯାଏ । ବିଜ୍ଞାନ ଅନୁସାରେ ହସିବା ଦ୍ବାରା ମୁହଁର ମାଂସପେଶୀ ସକ୍ରିୟ ବେହା ସହ ରକ୍ତ ସଞ୍ଚଳନ ମଧ୍ୟ ଠିକ୍ ଭାବେ ହୋଇଥାଏ । ନିଜ ଭିତରେ ସକାରାତ୍ମକ ଭାବନା ଜାଗ୍ରତ କରେ । ତେଣୁ ହସିବାକୁ ଗୁରୁତ୍ବ ଦିଅନ୍ତୁ । ନିଜ ଭିତରେ ହସିବାର କାରଣ ଖୋଜନ୍ତୁ । 

ଏସବୁ ଅତି ମାମୁଲି ଟିପ୍ସ ଭଳି ମନେ ହେଉଥିଲେ ବି ଏଗୁଡ଼ିକୁ ଲଗାତାର ଅଭ୍ୟାସ କଲେ ଆପଣଙ୍କ ମନ ମସ୍ତିଷ୍କ ଉପରେ ପ୍ରଭାବ ପକାଇବ ଏଥିରେ ସନ୍ଦେହ ନାହିଁ ।