କନକ ବ୍ୟୁରୋ: ଗୋଟିଏ ଥର ଟେଲିକମ କମ୍ପାନିଠାରୁ ସିମ୍‌କାର୍ଡ କିଣି ଡକ୍ୟୁମେଣ୍ଟ ଦେଲା ପରେ କଥା ସରିଲା । ଆପଣ ବି ଜାଣି ନଥିବେ, ଆପଣଙ୍କ ଡକ୍ୟୁମେଣ୍ଟରେ ବଜାରରେ ଅନେକ । ଲୋକ ସିମ୍‌ କାର୍ଡ ବ୍ୟବହାର କରୁଥିବେ । ଗତକାଲି ଚନ୍ଦକା ପୁଲିସ ସାଇବର ଠକଙ୍କୁ ବାନ୍ଧିଲା ପରେ, ଏହି ପ୍ରି ଆକ୍ଟିଭେଟେଡ୍‌ ସିମ୍‌ କାର୍ଡ ବା ଫେକ ସିମକାର୍ଡର ଷଡ଼୍‌ଯନ୍ତ୍ର ପଦାକୁ ଆସିଛି । 

Advertisment

ମଣିଷ ଏକ, ସିମକାର୍ଡ ଅନେକ । ଇଣ୍ଡିଆନ ସାଇବର କ୍ରାଇମ କୋ-ଅର୍ଡିନେସନରୁ ମିଳିଥିବା ସୂଚନା ମୁତାବକ ପଶ୍ଚିମବଙ୍ଗ ଓ ଆସାମ ସମେତ ଓଡ଼ିଶା ପାଲଟିଛି ଫେକ୍‌ ସିମ୍‌ର ହବ୍‌ । ପୁଲିସ ପାଇଁ ଏବେ ମୁଣ୍ଡବିନ୍ଧାର କାରଣ ପାଲଟିଥିବା ସାଇବର ସ୍କାମ୍‌ ଓ ଲୋନ ଫ୍ରଡ୍‌ ପାଇଁ ଫେକ୍‌ ସିମ୍‌ ବ୍ୟବହାର କରାଯାଉଛି । କିନ୍ତୁ ଏସବୁ ପରେ ବି ଚେତା ପଶୁନି । ଶହେ ଟଙ୍କା ଦେଲେ ମିଳିଯାଉଛି ସିମକାର୍ଡ । 

ପ୍ରତି ସେକେଣ୍ଡରେ କେହି ନା କେହି ସାଇବର ଠକଙ୍କ ଆକ୍ରୋଶର ଶିକାର ହେଉଛନ୍ତି  I ପ୍ରତିଦିନ ଦେଶରେ ୬୦ ହଜାର ପାଖାପାଖି ସାଇବର ସମ୍ପର୍କିତ ଅଭିଯୋଗ ହେଉଛି । ତଥ୍ୟ ଅନୁସାରେ ୨୦୨୩ରେ ୨ ଲକ୍ଷ ୯୫ ହଜାର ୪୬୧ ଟି ସିମ୍‌କୁ ବ୍ଲକ୍‌ କରାଯାଇଥିଲା । ଏହା ସହ ଲିଙ୍କ୍‌ ଥିବା ୨୮୧୦ ଟି ୱେବ୍‌ସାଇଟ୍‌, ୫୯୫ ମୋବାଇଲ୍‌ ଆପ୍ଲିକେସନ୍‌, ୪୬ ହଜାର ୨୨୯ IMEI ନମ୍ବରକୁ ବ୍ଲକ କରାଯାଇଛି । ଓଡ଼ିଶାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଟ୍ରାଇ ଓ ମୋବାଇଲ କମ୍ପାନି ସହ ବାରମ୍ବାର ଆଲୋଚନା ସତ୍ତ୍ୱେ ରାସ୍ତାକଡ଼ରେ ସିମ୍‌ କାର୍ଡ ବିକ୍ରି ହେଉଛି । ଠକେଇ ଅଭିଯୋଗ ପରେ, ଏହାକୁ ରୋକିବାକୁ ପ୍ରୟାସ ଆରମ୍ଭ କରିଛି ପୁଲିସ ।  

ଡିଜିଟାଲ ଆରେଷ୍ଟଠୁ ଆରମ୍ଭ କରି ବ୍ୟାଙ୍କ ଖାତା ଅପଡେଟ ହେଉ କିମ୍ବା ସୁନ୍ଦରୀ ତରୁଣୀଙ୍କ ଫଟୋ ଲଗାଇ ହନିଟ୍ରାପ । ଏସବୁ ଫ୍ରଡ୍‌ରେ ମାତ୍ରାଧିକ ବେନାମୀ ସିମ୍‌ର ବ୍ୟବହାର ସାମ୍ନାକୁ ଆସିଛି । ଟେଲିକମ ସଂସ୍ଥା ମାନେ ଜଣକ ନାଁରେ ଏକାଧିକ ସିମ୍‌ କାର୍ଡ ଦେଉଥିବା ନଜିର ରହିଛି । ପ୍ରଶ୍ନ ଉଠୁଛି, ବେଆଇନ ଭାବରେ ବିକ୍ରି ଚାଲିଥିବା ପ୍ରି- ଆକ୍ଟିଭେଟେଡ୍‌ ସିମ୍‌ ଉପରେ କେବେ ଲାଗିବ ରୋକ୍? ଆଉ କେବେ ବନ୍ଧା ହେବେ ସାଇବର ସଇତାନ?