କନକ ବ୍ୟୁରୋ: ଜୀବନ୍ତ ମହିଳା ଭଳି ଶାଢ଼ୀ ପିନ୍ଧିଛନ୍ତି, ସିନ୍ଥିରେ ସିନ୍ଦୂର ଲଗେଇଛନ୍ତି । ହାତରେ ଶଙ୍ଖା ଓ ସୁନା ଅଳଙ୍କାର ଆଭୂଷଣ କରିଛନ୍ତି । ଓଠରେ ସ୍ମିତହାସ୍ୟ ଦେଉଥିବା ଏହି ମହିଳା ଜଣକ ବାସ୍ତବରେ ଏକ ପ୍ରତିମୂର୍ତ୍ତି । ତା’ପୁଣି ଅତ୍ୟାଧୁନିକ ସିଲିକନରେ ତିଆରି କରାଯାଇଛି । ମରିଯାଇଥିବା ଲୋକଟି ଏବେ ଯେମିତି ଏହି ମୂର୍ତ୍ତି ଜରିଆରେ ଜୀବନ୍ତ ହୋଇପଡ଼ିଛି । ସେଥିପାଇଁ ତ ସ୍ୱାମୀଠୁ ପିଲାଛୁଆ ପୂରା ପରିବାରରେ ଖୁସି କହିଲେ ନସରେ ।
୩ ବର୍ଷ ତଳେ କୋଭିଡ ଭଳି କାଳ ସ୍ତ୍ରୀ କିରଣଙ୍କୁ ଛଡାଇନେଇଥିଲା । ଦୁଇ ଝିଅ, କୁନି ପୁଅକୁ ଧରି ପୁରା ଅସହାୟ ହୋଇପଡିଥିଲେ ସ୍ୱାମୀ ପ୍ରଶାନ୍ତ । ହେଲେ ଶିଳ୍ପୀଙ୍କ କଳ୍ପନା ଆଜି ତାଙ୍କ ପତ୍ନୀଙ୍କୁ ତାଙ୍କ ପାଖକୁ ପୁଣି ଫେରାଇ ଆଣିଛି । ସେଇ ରୂପ, ସେଇ ହସ । ଅବିକଳ କିରଣ । ମା’କୁ ପୁଣି ପାଖରେ ପାଇ ପିଲାମାନେ ଯେପରି ଖୁସି, ସ୍ୱାମୀ ପ୍ରଶାନ୍ତ ବି ସେତିକି ଆଶ୍ୱସ୍ତ ।
କୋଭିଡରେ ସ୍ତ୍ରୀ ଚାଲିଗଲା ପରେ ପୁରା ପରିବାର ହତାସ୍ ହୋଇପଡିଲା । ବ୍ରହ୍ମପୁରର ୫୨ ବର୍ଷୀୟ ବ୍ୟବସାୟୀ ପ୍ରଶାନ୍ତ ନାୟକ ପୁରା ନିଃସଙ୍ଗ ହୋଇଯାଇଥିବାବେଳେ ବାପା, ଓ କୁନି ଭାଇର କଷ୍ଟ ଲାଘବ କରିବାକୁ ଯୋଜନା କଲେ ଦୁଇ ଝିଅ । ମା’ର ଅଭାବକୁ ମେଣ୍ଟାଇବାକୁ ଏକ ପ୍ରତିମୂର୍ତ୍ତି ବନାଇବାକୁ ଯୋଜନା କଲେ । ଏଥିପାଇଁ ୟୁଟ୍ୟୁବରେ ବାରମ୍ବାର ସର୍ଚ୍ଚ କରିବା ପରେ ତାଙ୍କୁ ସିଲିକନ୍ ଷ୍ଟାଚ୍ରୁର କନସେପ୍ଟ ମିଳିଲା ।
ଏକଥା ବାପାଙ୍କୁ କହିବା ପରେ ବାପା ତୁରନ୍ତ ରାଜି ହୋଇଯାଇଥିଲେ । ବେଙ୍ଗାଲୁରୁର ସିଲିକନ୍ ଆର୍ଟିଷ୍ଟଙ୍କ ସହ ଯୋଗାଯୋଗ କଲେ । ସେଠାକୁ ଯାଇ ତାଙ୍କ ସହ କଥାବାର୍ତ୍ତା କରିବା ସହ ପତ୍ନୀ କିରଣଙ୍କ ଫଟୋ ଦେଇଥିଲେ । ଏହାକୁ ଦେଖି ଶିଳ୍ପୀ ଆରମ୍ଭ କରିଥିଲେ ସିଲିକନ୍ ମୁର୍ତ୍ତି ଗଢା । ଏଥିପାଇଁ ଲାଗିଥିଲା ପାଖାପାଖି ଦେଢବର୍ଷ ସମୟ । ବ୍ୟୟବହୁଳ ହୋଇଥିଲେ ବି ଟଙ୍କା ଖର୍ଚ୍ଚକୁ ଖାତିର ନକରି ପତ୍ନୀଙ୍କ ଅବିକଳ ମୂର୍ତ୍ତି ବନାଇଲେ, ସୁଦୂର ବେଙ୍ଗାଲୁରୁରୁ ଘରକୁ ଆଣିଲେ ।
ଏବେ ତାଙ୍କ ଘର ଏକରକମ ଖୁସିରେ ଭରିଯାଇଛି । ୨ ବର୍ଷ ତଳେ ସମସ୍ତଙ୍କୁ ଛାଡି ଆରପାରିକୁ ଚାଲିଯାଇଥିବା ମା’ଙ୍କ ଅବିକଳ ମୂର୍ତ୍ତିକୁ ପାଇ ପୁଅ, ଝିଅଙ୍କ ଖୁସି କହିଲେ ନସରେ । ସତେ ଯେପରି ତାଙ୍କ ମା’ ପୁଣି ତାଙ୍କ ପାଖକୁ ଫେରିଆସିଛନ୍ତି । ସକାଳୁ ଉଠିଲେ ମା’ଙ୍କର ସବୁ ନିତ୍ୟକର୍ମ ଶେଷ କରିବାରେ ଝିଅର ଭାରି ଖୁସି । ଦିନେ ବି ମା’ଙ୍କ ସେବାରେ ତ୍ରୁଟି କରେନି ଝିଅ । ପ୍ରତିମୂର୍ତ୍ତି ପତ୍ନୀଙ୍କ ଉପସ୍ଥିତି ଯେପରି ପୁରା ପରିବାରକୁ ପୁଣି ପୂର୍ଣ୍ଣ କରିଦେଇଛି ।